ନୂଆଦିଲ୍ଲୀ: ମହିଳାଙ୍କ ଛାତି ଚାପିବା ଓ ସାଲୱାର ଖୋଲିବା ଦୁଷ୍କର୍ମ ଉଦ୍ୟମ ବୋଲି ବିଚାର କରାଯାଇପାରିବ ନାହିଁ ବୋଲି ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ। ମହିଳାଙ୍କ ମର୍ଯ୍ୟାଦା ଉପରେ ବିଚାରପତିମାନଙ୍କ ମନ୍ତବ୍ୟ ଉପରେ ମଙ୍ଗଳବାର ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ। ସିଜେଆଇ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଏଭଳି ରାୟ ଦେବା ପୂର୍ବରୁ ବିଚାରପତିମାନଙ୍କର ଅଧିକ ଗବେଷଣା କରିବା ଏବଂ ସମ୍ବେଦନଶୀଳ ହେବା ଉଚିତ୍। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏଭଳି ଘଟଣା ମହିଳାଙ୍କ ସମ୍ମାନ ଉପରେ ଆଘାତ କରେ, ଯାହାକୁ ଗମ୍ଭୀରତାର ସହ ନିଆଯିବା ଆବଶ୍ୟକ।

କେବଳ ପାଟନା ହାଇକୋର୍ଟ ନୁହେଁ, ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ବି କିଛି ଏହିଭଳି ନିଷ୍ପତ୍ତି ଶୁଣାଇଥିଲେ। ଆହ୍ଲାବାଦ ହାଇକୋର୍ଟଙ୍କ ୧୭ ମାର୍ଚ୍ଚ, ୨୦୨୫ ଆଦେଶରୁ ବିବାଦ ବଢ଼ିବା ପରେ ସୁପ୍ରିମକୋର୍ଟ ପକ୍ଷରୁ ସ୍ୱତଃପ୍ରବୃତ୍ତ ମାମଲା ବିଚାର କରାଯାଇଥିଲା। ଏହି ମାମଲାଗୁଡ଼ିକର ବିଚାର କରି, ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କୋର୍ଟରେ ବିଚାରପତିମାନଙ୍କ ମଧ୍ୟରେ ସମ୍ବେଦନଶୀଳତାର ଅଭାବ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଖଣ୍ଡପୀଠ ତାଙ୍କ ଟିପ୍ପଣୀରେ ରାୟ ଦେବା ପୂର୍ବରୁ ତଦନ୍ତ କରିବା ବିଚାରପତିମାନଙ୍କ ଦାୟିତ୍ୱ ବୋଲି ଗୁରୁତ୍ୱାରୋପ କରିଛନ୍ତି।

ଏହି ମାମଲାରେ ସର୍ବୋଚ୍ଚ ଅଦାଲତ ଦେଶର ସମସ୍ତ ଅଦାଲତଙ୍କ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଯୌନ ଅପରାଧ ମାମଲାରେ 'ନ୍ୟାୟିକ ସମ୍ବେଦନଶୀଳତା' ଉପରେ ପ୍ରସ୍ତୁତ 'ନ୍ୟାସନାଲ ଜୁଡିସିଆଲ ଏକାଡେମୀ କମିଟି'ର ରିପୋର୍ଟକୁ ସୁପ୍ରିମକୋର୍ଟ ଓ ସମସ୍ତ ହାଇକୋର୍ଟଙ୍କ ୱେବସାଇଟରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ପୋଲିସ ଷ୍ଟେସନଗୁଡ଼ିକରେ ଏଫ୍ଆଇଆର୍ (FIR) ରୁଜୁ ଏବଂ ଚାର୍ଜସିଟ୍ ଦାଖଲ ସମୟରେ ଏହି ସମ୍ବେଦନଶୀଳତା ଓ ନିୟମକୁ ଧ୍ୟାନରେ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଉ ବୋଲି ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ଓକିଲ କୋର୍ଟଙ୍କୁ କ’ଣ କହିଥିଲେ?

ଏହି ମାମଲାର ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ଶୋଭା ଗୁପ୍ତା ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଏହା ସମୟ ସମୟରେ ଘଟୁଛି। ଯେଉଁଥିରେ ପାଟନା ହାଇକୋର୍ଟଙ୍କ ୯ ଜୁଲାଇର ଏକ ନିର୍ଦ୍ଦେଶ ମଧ୍ୟ ଅନ୍ତର୍ଭୁକ୍ତ। ଏଥିରେ କୁହାଯାଇଥିଲା ଯେ ମହିଳାଙ୍କ ସାଲୱାର କାଢ଼ିବା ଏବଂ ତାଙ୍କ ସ୍ତନ ଦବାଇ ଦୁଷ୍କର୍ମ ପ୍ରୟାସ ନୁହେଁ।

କ’ଣ କହିଲେ ସୁପ୍ରିମକୋର୍ଟ ?

ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ପାଟନା ହାଇକୋର୍ଟର ନିର୍ଦ୍ଦେଶକୁ ଉଲ୍ଲେଖ କରି କହିଛନ୍ତି ଯେ ବିଚାରପତିମାନଙ୍କର ମଧ୍ୟ କିଛି ଗବେଷଣା କରିବାର ଦାୟିତ୍ୱ ଅଛି। କର୍ମଚାରୀମାନେ କିଛି କରୁନାହାଁନ୍ତି ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, "ସମସ୍ତ କୋର୍ଟ ହ୍ୟାଣ୍ଡବୁକର ବ୍ୟବସ୍ଥା ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟଗୁଡ଼ିକ ଏଫଆଇଆର ପଞ୍ଜିକରଣ ଏବଂ ଚାର୍ଜସିଟ୍ ଦାଖଲ କରିବା ସମୟରେ ହ୍ୟାଣ୍ଡବୁକ ଅନୁସରଣ କରିବା ପାଇଁ ସମସ୍ତ ପୋଲିସ ଷ୍ଟେସନକୁ ନିର୍ଦ୍ଦେଶ ଜାରି କରିବା ଉଚିତ। ଆମେ ଯୁକ୍ତିଯୁକ୍ତ ରାୟ ମଧ୍ୟ ଅପଲୋଡ୍ କରିବୁ।"

କଣ କହିଥିଲେ ପାଟନା ହାଇକୋର୍ଟ ?

ପାଟନା ହାଇକୋର୍ଟ ସମ୍ପ୍ରତି ଏକ ମାମଲାରେ ବିବାଦୀୟ ରାୟ ଦେଇଛନ୍ତି। ସେ କହିଛନ୍ତି ଯେ ଜଣେ ମହିଳାଙ୍କ ସାଲୱାର କାଢିବା ଏବଂ ତାଙ୍କ ଛାତିକୁ ଦବାଇ ବଳାତ୍କାର ଉଦ୍ୟମ ପ୍ରମାଣ କରିବା ପାଇଁ ଯଥେଷ୍ଟ ନୁହେଁ। ହାଇକୋର୍ଟ ଜଷ୍ଟିସ୍ ପୂର୍ଣ୍ଣେନ୍ଦୁ ସିଂହ କହିଥିଲେ ଯେ ଯଦି ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ସାଲୱାର କାଢି ତାଙ୍କ ଛାତିକୁ ଦବାନ୍ତି ତେବେ ଏହି କାର୍ଯ୍ୟ ବଳାତ୍କାର ପ୍ରୟାସ ନୁହେଁ ବରଂ ମହିଳାଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବାର ଅପରାଧ ଭାବରେ ବିବେଚନା କରାଯିବ। ବଳାତ୍କାର ଉଦ୍ୟମ ନେଇ ଜଣେ ବ୍ୟକ୍ତିଙ୍କୁ ଦଣ୍ଡବିଧାନ ରଦ୍ଦ କରିବା ସମୟରେ ପାଟନା ହାଇକୋର୍ଟ ଏହି ଟିପ୍ପଣୀ କରିଥିଲେ।

ପୂରା ମାମଲାଟି କ’ଣ ?

ଏହି ମାମଲା ୨୦୦୮ ମସିହାର ଏକ ଘଟଣା ସହ ଜଡିତ। ଜଣେ ମହିଳାଙ୍କ ଅଭିଯୋଗ ଅନୁଲାପେ ଲେ ନିଜ ପିତାଙ୍କ ସହ ଅମରପୁରର ଏକ ଫଟୋଗ୍ରାଫି ଷ୍ଟୁଡିଓକୁ ଯାଇଥିଲେ। ଫଟୋ ଉଠାଇବା ପରେ ଷ୍ଟୁଡିଓ ମାଲିକ ତାଙ୍କ ପିତାଙ୍କୁ ବାହାରେ ଅପେକ୍ଷା କରିବାକୁ କହିଥିଲେ, କାରଣ ମହିଳାଙ୍କୁ କମ୍ପ୍ୟୁଟରରେ ଫଟୋ ଦେଖିବାକୁ ଥିଲା। ବାପା ଚାଲିଯିବା ପରେ ଫଟୋଗ୍ରାଫର ଷ୍ଟୁଡିଓ କବାଟ ଭିତରୁ ବନ୍ଦ କରି ମହିଳାଙ୍କୁ ଯୌନ ନିର୍ଯାତନା ଦେବାକୁ ଚେଷ୍ଟା କରିଥିଲେ।

ମହିଳାଙ୍କ ଚିତ୍କାର କରିବା ପରେ ତାଙ୍କ ପାଖକୁ ଦୌଡି ଆସିବା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା। ଏଫ୍ଆଇଆର ରୁଜୁ ହେବା ଓ ତଦନ୍ତ ପରେ ଟ୍ରାଏଲ କୋର୍ଟ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଦୁଷ୍କର୍ମ ଚେଷ୍ଟା ଏବଂ ବେଆଇନ ଭାବେ ଅଟକ ରଖିବା ସମ୍ବନ୍ଧୀୟ ଧାରାରେ ଦୋଷୀ ସାବ୍ୟସ୍ତ କରିଥିଲେ। ହେଲେ ଅଭିଯୁକ୍ତ ଏହି ରାୟକୁ ପାଟନା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ପ୍ରମାଣଗୁଡିକର ପୁନଃବିଚାର ପରେ ହାଇକୋର୍ଟ କହିଥିଲେ ଯେ, ବଳାତ୍କାର ଚେଷ୍ଟା ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ରେକର୍ଡରେ କୌଣସି ଚିକିତ୍ସାଜନିତ (ମେଡିକାଲ) ପ୍ରମାଣ ନାହିଁ। କୋର୍ଟ ଏହା ମଧ୍ୟ ଲକ୍ଷ୍ୟ କରିଥିଲେ ଯେ, ବିଚାର ପ୍ରକ୍ରିୟା ସମୟରେ ତଦନ୍ତକାରୀ ଅଧିକାରୀଙ୍କୁ ଜେରା କରାଯାଇନଥିଲା ଏବଂ ଅଭିଯୋଗ ପକ୍ଷର ମାମଲା ମୁଖ୍ୟତଃ ପୀଡିତା ଓ ତାଙ୍କ ପିତାମାତାଙ୍କ ବୟାନ ଉପରେ ନିର୍ଭର କରୁଥିଲା।

ମାମଲାର ତଥ୍ୟକୁ ଆଧାର କରି ହାଇକୋର୍ଟ ମନେ କରିଥିଲେ ଯେ, ଅଭିଯୋଗ ପକ୍ଷ ବଳାତ୍କାର ଚେଷ୍ଟା ଅପରାଧକୁ ପ୍ରମାଣ କରିବାରେ ବିଫଳ ହୋଇଛି। ତେବେ ଅଦାଲତ କହିଥିଲେ ଯେ, ଯଦି ଅଭିଯୋଗ ପକ୍ଷର କଥାକୁ ସମ୍ପୂର୍ଣ୍ଣ ଭାବେ ସତ୍ୟ ବୋଲି ଧରାଯାଏ, ତଥାପି ଏହି ଘଟଣାରୁ ଆଇପିସିର ଧାରା ୩୫୪ ଅନୁଯାୟୀ ଜଣେ ମହିଳାଙ୍କ ମର୍ଯ୍ୟାଦାହାନୀ ଭଙ୍ଗ କରିବା ଅପରାଧ ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି।

ହାଇକୋର୍ଟ ତାଙ୍କ ରାୟରେ କହିଥିଲେ, “ମୋର ମନେ ହେଉଛି ଯେ, ଆବେଦନକାରୀ ପୀଡିତାଙ୍କୁ ଷ୍ଟୁଡିଓ ଭିତରେ ଅଟକ ରଖି, କବାଟ ବନ୍ଦ କରି, ତାଙ୍କ ସଲୱାର ଖୋଲିବାକୁ ଚେଷ୍ଟା କରି ଏବଂ ତାଙ୍କ ଛାତିକୁ ଚାପି ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ। ଏହି ସବୁ କାର୍ଯ୍ୟ ସ୍ପଷ୍ଟ ଭାବେ ଦର୍ଶାଏ ଯେ, ଜଣେ ମହିଳାଙ୍କ ଉପରେ ଆପରାଧିକ ବଳ ପ୍ରୟୋଗ କରିଥିଲେ। ଏହି କାର୍ଯ୍ୟଗୁଡ଼ିକ ସ୍ପଷ୍ଟ ଭାବରେ ପ୍ରତିପାଦିତ କରେ ଯେ ମହିଳାଙ୍କ ଉପରେ ଉଦ୍ଦେଶ୍ୟମୂଳକ ଭାବରେ ଅପରାଧିକ ବଳ ପ୍ରୟୋଗ କରାଯାଇଥିଲା, ନ ହେଲେ ଏପରି କାର୍ଯ୍ୟ କେବଳ ତାଙ୍କ ମର୍ଯ୍ୟାଦାନକୁ କ୍ଷୁର୍ଣ୍ଣ କରିବ ବୋଲି ଜ୍ଞାନ ଥାଇ କରାଯାଇଥିଲା।"