ନୂଆଦିଲ୍ଲୀ ୧୩।୧୧; ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ର ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଏବେ ଅଭିନେତାଙ୍କୁ ଡିସଚାର୍ଜ କରାଯାଇଛି। ତାଙ୍କର ଘରେ ଚିକିତ୍ସା ଜାରି ରହିବ ।  ଏହି ସମୟରେ, ଧର୍ମେନ୍ଦ୍ରଙ୍କ ବଡ଼ ପୁଅ ସନ୍ନି ଦେଓଲଙ୍କ ଏକ ଭିଡିଓ ଭାଇରାଲ ହେଉଛି।  ଭିଡିଓରେ ସନ୍ନି ରାଗିକି ଚିତ୍କାର କରୁଥିବାର ଦେଖିବାକୁ ମିଳିଛି। ତାଙ୍କ ମୁହଁରେ ରାଗ ଏବଂ ବାପାଙ୍କ ଚିନ୍ତା ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ତେବେ ଆସନ୍ତୁ ଜାଣିବା ସନ୍ନି ଦେଓଲ କାହିଁକି ଓ କାହା ଉପରେ ଚିତ୍କାର କରିଥିଲେ।

ଭିଡିଓରେ ଅଭିନେତା ତାଙ୍କ ଘରୁ ବାହାରକୁ ଆସୁଥିବା ନଜର ଆସିଛନ୍ତି। ଏହି ସମୟରେ ସେ ପାପାରାଜିମାନଙ୍କୁ ସେଠାରେ ଦେଖିଥିଲେ। ଯେଉଁମାନେ ତାଙ୍କର ଫଟୋ ଓ ଭିଡିଓ କ୍ୟାପଚର କରୁଥିଲେ। ଏସବୁ ଦେଖି ସନ୍ନି ଖୁବ୍ ରାଗିଯାଇଥିଲେ । ଅଭିନେତା ପାପାରାଜିମାନଙ୍କ ଉପରେ ଚିତ୍କାର କରି କହିଥିଲେ, "ତୁମମାନଙ୍କୁ ଲାଜ ଲାଗିବା କଥା...ତୁମ ଘରେ ବାପା-ମାଆ ଏବଂ ପିଲାମାନେ ଅଛନ୍ତି । ଆଉ ତୁମେ ଏବେ ବି ଭିଡିଓ କରୁଛ। ଲାଜ ଟିକେ ଲାଗୁନି ତୁମକୁ ?" ଏତିକି ହିଁ ନୁହେ ସନ୍ନିଙ୍କୁ ହାତ ଯୋଡୁଥିବାର ମଧ୍ୟ ଦେଖିବାକୁ ମିଳିଛି।

ଉଲ୍ଲେଖନୀୟ ଯେ ଧର୍ମେନ୍ଦ୍ରଙ୍କୁ ଶ୍ୱାସକ୍ରିୟା ସମସ୍ୟା ଯୋଗୁଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ସହ ଅଭିନେତାଙ୍କୁ ଭେଣ୍ଟିଲେଟର ସହାୟତା ମଧ୍ୟ ଦିଆଯାଇଥିଲା। କିନ୍ତୁ ପରେ ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଭାଇରାଲ ହୋଇଥିଲା। ଏହା ଶୁଣିବା ପରେ ହେମା ମାଳିନୀ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ଉପରେ ବର୍ଷିଥିଲେ । ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ଅପଡେଟ୍ ପ୍ରଦାନ କରି କହିଥିଲେ ଯେ ତାଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରୁଛି। ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ମଧ୍ୟ ତାଙ୍କ ବାପା ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅପଡେଟ୍ ଦେଇଥିଲେ।