କାନବେରା: ଅଷ୍ଟ୍ରେଲିଆରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ସୁଟକେସ୍ ଭିତରୁ ମାନବ ଶରୀରର ଅଂଶବିଶେଷ ଓ କ୍ଷତବିକ୍ଷତ ମହିଳାଙ୍କ ମୃତଦେହ ଥିବା ସନ୍ଦେହ କରି ପୋଲିସ ଏକ ହତ୍ୟାକାଣ୍ଡ ମାମଲାର ତଦନ୍ତ ଆରମ୍ଭ କରିଥିଲା । ତେବେ ଫୋରେନ୍ସିକ୍ ପରୀକ୍ଷା ପରେ ଯେଉଁ ସତ ସାମ୍ନାକୁ ଆସିଛି, ତାହା ଜାଣି ପୋଲିସ ଓ ସ୍ଥାନୀୟ ଲୋକେ ତାଜୁବ୍ ହୋଇଯାଇଛନ୍ତି । ସୁଟକେସ୍ ଭିତରେ କୌଣସି ମଣିଷର ଶବ ନଥିଲା, ବରଂ ତାହା ଅବିକଳ ମଣିଷ ଭଳି ଦିଶୁଥିବା ଏକ 'ସେକ୍ସ ଡଲ୍' ଥିଲା।

ସୂଚନା ଅନୁସାରେ, ଏହି ଘଟଣାଟି ସିଡନୀରୁ ପ୍ରାୟ ୨୩୦ କିଲୋମିଟର ଦୂରରେ ଥିବା 'ଓଆଲେନ୍'ର । ରାସ୍ତା ଦେଇ ଗାଡ଼ିରେ ଯାଉଥିବା ସମୟରେ ଦୁଇ ଜଣ ଯୁବକ ଏହି ସୁଟକେସଟି ଦେଖିଥିଲେ। ସୁଟକେସ୍ ଖୋଲିବା ପରେ ସେଥିରେ ମହିଳାଙ୍କ ଶରୀର ଭଳି କିଛି ଜିନିଷ ଦେଖି ସେମାନେ ଭୟଭୀତ ହୋଇ ତୁରନ୍ତ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ ।

ପୋଲିସ ଘଟଣାକୁ ଗୁରୁତ୍ୱ ସହ ନେଇ ପ୍ରଥମେ ଏହାକୁ ଏକ ହତ୍ୟା ମାମଲା ଭାବେ ଗ୍ରହଣ କରିଥିଲା । ତଦନ୍ତକାରୀ ଟିମ୍ ଓ ଫୋରେନ୍ସିକ୍ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଥିଲେ । ତେବେ ନମୁନାର ପରୀକ୍ଷାରେ ଏହା କୌଣସି ମାନବ ଶରୀର ନୁହେଁ ବୋଲି ଜଣାପଡ଼ିଥିଲା ।

ନ୍ୟୁ ସାଉଥ୍ ୱେଲ୍ସ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଲିଣ୍ଡା ବ୍ରାଡବରୀ କହିଛନ୍ତି, "ଏହି ଖେଳଣାଟି ଏତେ ଜୀବନ୍ତ ଓ ଅବିକଳ ମଣିଷ ଭଳି ତିଆରି ହୋଇଥିଲା ଯେ ଯେକୌଣସି ବ୍ୟକ୍ତି ଏହାକୁ ମାନବ ଶରୀର ଭାବି ଭ୍ରମରେ ପଡ଼ିଯିବେ । ଏଥିରେ ଚୁଟି, ପୋଷାକ ଏବଂ ନାକ ଫୁଲ ମଧ୍ୟ ଥିଲା । ସବୁଠାରୁ ବଡ଼ କଥା ହେଉଛି, ଡଲ୍‌ଟିର ଶରୀରରେ କ୍ଷତ ଓ ଆଘାତ ଭଳି ଚିହ୍ନ ଥିଲା । ଏହା ମୃତଦେହ କ୍ଷତବିକ୍ଷତ ହୋଇଥିବା ଭଳି ଭ୍ରମ ସୃଷ୍ଟି କରିଥିଲା ।"

ପୋଲିସ ସ୍ପଷ୍ଟ କରିଛି ଯେ ଏହି ଘଟଣାରେ ସେମାନେ ଆଇନଗତ ପ୍ରକ୍ରିୟା ସଠିକ୍ ଭାବେ ପାଳନ କରିଛନ୍ତି, ତେଣୁ ଏହି ତଦନ୍ତକୁ ନେଇ ସେମାନଙ୍କର କୌଣସି ପ୍ରକାର ପରିତାପ ନାହିଁ । ଏହାସହ ସନ୍ଦେହଜନକ ଜିନିଷ ଦେଖି ତୁରନ୍ତ ସୂଚନା ଦେଇଥିବା ଦୁଇଜଣ ଯୁବକଙ୍କୁ ପୋଲିସ ପ୍ରଶଂସା କରିଛି ।