ନୂଆଦିଲ୍ଲୀ: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ଶନିବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରେକର୍ଡ କରାଯାଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (GFZ) ଅନୁଯାୟୀ, ଏହି ଭୂମିକମ୍ପ ଭୂପୃଷ୍ଠରୁ ୧୭୫ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା।

ଏହା ପୂର୍ବରୁ ଆଜି  ୭.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ୬.୮ ତୀବ୍ରତାର ଏହି ଝଟକା ପୂର୍ବରୁ, ପୂର୍ବ ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଅନ୍ୟ ଏକ ଶକ୍ତିଶାଳୀ ଭୂକମ୍ପ ଆସିଥିଲା, ଯେଉଁଥିରେ ପ୍ରାୟ ୩୮ ଜଣ ପ୍ରାଣ ହରାଇଛନ୍ତି। ୧୫ କିଲୋମିଟର ଗଭୀରତାରେ ହୋଇଥିବା ଏହି ଭୂମିକମ୍ପ ପରେ ସୁନାମି ଚେତାବନୀ ଜାରି କରାଯାଇଥିଲା । କିନ୍ତୁ ୩ ଘଣ୍ଟା ପରେ ଏହାକୁ ହଟାଇ ଦିଆଯାଇଥିଲା।

ଭୂମିକମ୍ପ ଯୋଗୁଁ ଭୂସ୍ଖଳନ, ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ଏବଂ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରାୟ ୨,୦୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ରାସ୍ତାଘାଟ ବନ୍ଦ ହୋଇଯିବା ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ଇଣ୍ଡୋନେସିଆର ପାଣିପାଗ ଓ ଭୂବିଜ୍ଞାନ ଏଜେନ୍ସି (BMKG) ଅନୁଯାୟୀ, ଟେକ୍ଟୋନିକ୍ ପ୍ଲେଟ୍‌ର ଗତିବିଧି ଯୋଗୁଁ ଏହି ଭୂକମ୍ପ ସୃଷ୍ଟି ହୋଇଛି। ତେବେ ୬.୮ ତୀବ୍ରତାର ଏହି ନୂତନ ଝଟକାରେ ସୁନାମିର କୌଣସି ଆଶଙ୍କା ନାହିଁ। ଇଣ୍ଡୋନେସିଆ 'ରିଙ୍ଗ୍ ଅଫ୍ ଫାୟାର' ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ଏଠାରେ ବାରମ୍ବାର ଭୂମିକମ୍ପ ଏବଂ ଆଗ୍ନେୟଗିରି ଉଦଗୀରଣ ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିଥାଏ।