ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଆୟ ଏବଂ ପାଣ୍ଠିର ତଥ୍ୟ ହେଲା ସାର୍ବଜନୀନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସମସ୍ତ ତଥ୍ୟ ସାର୍ବଜନୀନ କରାଯାଇଛି। ଶ୍ରୀମନ୍ଦିରର ଆୟ କେଉଁଠୁ ଏବଂ କେଉଁଥିରୁ ହେଉଛି ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯାଇଛି। ଯେଉଁଥିରେ ଭକ୍ତ ଦେଉଥିବା ଦାନର ଅର୍ଥ ହେଉଛି ସଠିକ୍ ପରିଚାଳନା ହେଉଥିବା ନେଇ ସୂଚନା ଦିଆଯାଇଛି।

ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ, ଶ୍ରୀଜଗନ୍ନାଥ ମନ୍ଦିରର ଆୟ ମୁଖ୍ୟତଃ ଭକ୍ତଙ୍କ ଦାନ, ଶ୍ରୀମନ୍ଦିର ଖଣିଖାଦାନ, ସ୍ଥାୟୀ ଜମା ରଖାଯାଇଥିବା ଅର୍ଥର ସୁଧ, ଜମି ବିକ୍ରି ଓ ଜମି ଅଧିଗ୍ରହଣ ଏବଂ ସରକାରୀ ଅନୁଦାନରୁ ଆସୁଥିବା ଦର୍ଶାଯାଇଛି। ଉକ୍ତ ଆୟର କିଛି ନିର୍ଦ୍ଧିଷ୍ଟ ଅଂଶ କର୍ପସ ଫଣ୍ଡ ହିସାବରେ ଏବଂ ଅନ୍ୟ ଏକ ଅଂଶ ଫାଉଣ୍ଡେସନ ପାଣ୍ଠି ହିସାବରେ ସ୍ଥାୟୀ ଜମାରେ ରଖାଯାଇଥାଏ। ଅବଶିଷ୍ଟ ଆୟ ମନ୍ଦିର ପାଣ୍ଠି ହିସାବରେ ରଖାଯାଇଥାଏ। ଶ୍ରୀମନ୍ଦିରର ଦୈନଦିନ ଖର୍ଚ୍ଚ ଉକ୍ତ ମନ୍ଦିର ପାଣ୍ଠିରୁ କରାଯାଇଥାଏ ଏବଂ ବଳକା ମନ୍ଦିର ପାଣ୍ଠି ଅର୍ଥକୁ ସ୍ଥାୟୀ ଜମା ହିସାବରେ ରଖାଯାଇଥାଏ।

ତଥ୍ୟ ଅନୁସାରେ, ଉପରୋକ୍ତ ତିନୋଟି ଯୋଜନାରେ ୧୮୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ସ୍ଥାୟୀ ଜମାରେ ରଖାଯାଇଛି। ଏଥିମଧ୍ୟରୁ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୧୩୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ଏବଂ ଶ୍ରୀମନ୍ଦିରର ପିଏଲ୍ ଆକାଉଣ୍ଟରେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ୫ ଶହ କୋଟି ଟଙ୍କାର କର୍ପସ ଫଣ୍ଡ ରଖାଯାଇଛି। ଏହା ବାଦ୍ ଶ୍ରୀଜଗନ୍ନାଥ ମନ୍ଦିରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟମାନଙ୍କରେ ଶହେ କୋଟି ୭୦ ଲକ୍ଷ ୬୬ ହଜାର ୮୬୮ ଟଙ୍କା ରହିଛି। ଏଥିସହ ପ୍ରତ୍ୟେକ ଦିନ ଶ୍ରୀମନ୍ଦିର ହୁଣ୍ଡି ଗଣନା ହେବା ସହ ତତ୍ ସମ୍ବନ୍ଧୀୟ ବିବରଣୀ ସୂଚନା ଫଳକ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରାଯାଉଛି। ତେବେ ଆଗାମୀ ଦିନରେ ଆହୁରି କିଭଳି ଦାନ ସୂତ୍ରରେ ଅଧିକ ଅର୍ଥ ଶ୍ରୀମନ୍ଦିରକୁ ମିଳିବ ସେ ଦିଗରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟ କରିବା ଉଚିତ ବୋଲି ସେବାୟତ କହିଛନ୍ତି।

Also Read: ମହାପ୍ରଭୁଙ୍କ ରାହୁରେଖାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ସୂଚନାଥାଉକି, ଚଳିତବର୍ଷ ରଥଯାତ୍ରା ଅବ୍ୟବହିତ ପୂର୍ବରୁ ଗତ ଜୁନ୍ ୧୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଶ୍ରୀମନ୍ଦିରର ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭ ଲୋକାର୍ପଣ ହୋଇଥିଲା। ଏହି ପ୍ଲାଟଫର୍ମ ଜରିଆରେ ଶ୍ରଦ୍ଧାଳୁ ଭକ୍ତମାନେ ବିଭିନ୍ନ ସ୍ଥାନରୁ ଅତି ସହଜ ଭାବେ ଶ୍ରୀମନ୍ଦିର ତଥା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ ଦେଇପାରିବେ। ଦାନର ପରିମାଣ ମଧ୍ୟ ରସିଦ୍ ଆକାରରେ ଡାଉନଲୋଡ କରିପାରିବେ। ଚଳିତବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ଅନଲାଇନ ପ୍ଲାଟଫର୍ମ ଜରିଆରେ ୫୬ ଲକ୍ଷ ୭୦ ହଜାର ୭୦୫ ଟଙ୍କା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତମାନେ ଦାନ ଦେଇଛନ୍ତି।

ଶ୍ରୀମନ୍ଦିର ପରିଚାଳନାରେ ସ୍ବଚ୍ଛତା, ଉତ୍ତରଦାୟିତ୍ୱ ବଜାୟ ରଖିବା ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ଲକ୍ଷ୍ୟ। ଏଣୁ ଭକ୍ତମାନଙ୍କ ଦାନ ରାଶି ଏବଂ ଶ୍ରୀମନ୍ଦିର ସମ୍ପତ୍ତିର ସଠିକ୍ ପରିଚାଳନା ସମ୍ପର୍କରେ ଜନସାଧାରଣ ଏବଂ ଭକ୍ତଗଣଙ୍କୁ ଅବଗତ କରାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।