ୱାଶିଂଟନ୍: ମହାକାଶ ଗବେଷଣା କ୍ଷେତ୍ରରେ ଆମେରିକାର ପ୍ରମୁଖ ସଂସ୍ଥା 'ସ୍ପେସ-ଏକ୍ସ' (SpaceX) ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସୋମବାର ଦିନ ସ୍ପେସ-ଏକ୍ସର ସବୁଠାରୁ ଶକ୍ତିଶାଳୀ ରକେଟ୍ 'ଷ୍ଟାରସିପ୍' ନିଜର ୧୪ଶ ପରୀକ୍ଷାମୂଳକ ଉଡ଼ାଣରେ ପ୍ରଥମ ଥର ପାଇଁ ପୃଥିବୀର କକ୍ଷପଥରେ ପହଞ୍ଚିବା ସହ ୨୬ଟି ଷ୍ଟାରଲିଙ୍କ୍ ସାଟେଲାଇଟ୍ ସଫଳତାର ସହ ମୁତୟନ କରିଛି। ତେବେ ମହାକାଶରେ ପ୍ରୋପେଲସନ୍ ଥ୍ରଷ୍ଟର ଖରାପ ହୋଇଯିବା ଯୋଗୁଁ ନିର୍ଦ୍ଧାରିତ ସମୟର ପ୍ରାୟ ୭ ଘଣ୍ଟା ପୂର୍ବରୁ ଏହି ମିଶନ୍କୁ ପ୍ରଶାନ୍ତ ମହାସାଗରରେ ନିୟନ୍ତ୍ରିତ ଭାବେ ବିସ୍ଫୋରଣ କରି ସମାପ୍ତ କରାଯାଇଛି।

୧୨୪ ମିଟର ଉଚ୍ଚତା ବିଶିଷ୍ଟ ଏହି ବିଶାଳ ରକେଟ୍ ଟେକ୍ସାସ ସ୍ଥିତ ସ୍ପେସ-ଏକ୍ସର 'ଷ୍ଟାରବେସ୍' କେନ୍ଦ୍ରରୁ ମହାକାଶକୁ ଉତକ୍ଷେପଣ କରାଯାଇଥିଲା। ଉତକ୍ଷେପଣର କିଛି ମିନିଟ୍ ପରେ 'ସୁପର ହେଭି' ବୁଷ୍ଟରଟି ରକେଟ୍ରୁ ଅଲଗା ହୋଇଯାଇଥିଲା, ଯାହା ଷ୍ଟାରସିପକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲା। ଏହାପୂର୍ବରୁ ୧୩ ଥର ପରୀକ୍ଷାମୂଳକ ଉଡ଼ାଣ କରାଯାଇଥିଲେ ମଧ୍ୟ ରକେଟଟି ସମ୍ପୂର୍ଣ୍ଣ କକ୍ଷପଥରେ ପହଞ୍ଚିପାରି ନଥିଲା। ମାତ୍ର ଏହି ୧୪ଶ ମିଶନରେ ଷ୍ଟାରସିପ୍ ପ୍ରଥମ ଥର ପାଇଁ କକ୍ଷପଥରେ ପହଞ୍ଚି ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି।

୨୬ଟି ଷ୍ଟାରଲିଙ୍କ୍ ସାଟେଲାଇଟ୍ ମୁତୟନ

ମହାକାଶରେ ପହଞ୍ଚିବା ପରେ ଷ୍ଟାରସିପ୍ ନିଜର ମୁଖ୍ୟ ଲକ୍ଷ୍ୟ ହାସଲ କରିଥିଲା। ଏହା ସ୍ପେସ-ଏକ୍ସର ଆଗାମୀ ପିଢ଼ିର ୨୬ଟି ଷ୍ଟାରଲିଙ୍କ୍ ସାଟେଲାଇଟକୁ କକ୍ଷପଥରେ ସଫଳତାର ସହ ସ୍ଥାପିତ କରିଥିଲା। ବିଶ୍ୱବ୍ୟାପୀ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ସ୍ପେସ-ଏକ୍ସ ଯେଉଁ ମେଗା-ସାଟେଲାଇଟ୍ ନେଟୱାର୍କ ଗଢ଼ୁଛି, ଏହି ସଫଳତା ସେହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

 

ଏହି ମିଶନ ପ୍ରାୟ ୧୦ ଘଣ୍ଟା ଧରି ଚାଲିବାର ଯୋଜନା ଥିଲା। କିନ୍ତୁ ସୁପର ହେଭି ବୁଷ୍ଟରରୁ ଅଲଗା ହେବା ପରେ ଷ୍ଟାରସିପ୍ର ଥ୍ରଷ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ମିଶନ୍ଟି ମାତ୍ର ୩ ଘଣ୍ଟାରୁ ଅଳ୍ପ ଅଧିକ ସମୟ ମଧ୍ୟରେ ଶେଷ ହୋଇଥିଲା। ସ୍ପେସ-ଏକ୍ସର ବିଜ୍ଞାନୀମାନେ ନିୟନ୍ତ୍ରିତ ଭାବେ ହାୱାଇ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ରକେଟ୍କୁ ଖସାଇ ଦେଇଥିଲେ।

ଭାରତ ଉପର ଦେଇ ଗତି କରିଥାନ୍ତା ଷ୍ଟାରସିପ୍

ପୂର୍ବ ନିର୍ଦ୍ଧାରିତ ପଥ ଅନୁସାରେ, ପୃଥିବୀ ଚାରିପାଖରେ ଚକ୍କର କାଟିବା ସମୟରେ ଷ୍ଟାରସିପ୍ ଭାରତର ଆକାଶମାର୍ଗ ଦେଇ ଗତି କରିବାର କାର୍ଯ୍ୟସୂଚୀ ରହିଥିଲା। ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭାରତ ଉପର ଦେଇ ଯିବା ପୂର୍ବରୁ ହିଁ ସ୍ପେସ-ଏକ୍ସ ଏହାର ଉଡ଼ାଣକୁ ବାତିଲ କରି ପ୍ରଶାନ୍ତ ମହାସାଗର ମୁହାଁ କରାଇଥିଲା।

ନାସାର 'ଆର୍ଟେମିସ୍' ମିଶନ୍ ପାଇଁ ଗୁରୁତ୍ୱପୂର୍ଣ୍ଣ

ଜନ୍ଦ୍ରମା ଓ ମଙ୍ଗଳ ଗ୍ରହକୁ ମାନବ ପ୍ରେରଣ କରିବା ପାଇଁ ଏଲନ୍ ମସ୍କଙ୍କ ସ୍ପେସ-ଏକ୍ସ କମ୍ପାନୀ ପାଇଁ ଷ୍ଟାରସିପ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ନାସା (NASA) ମଧ୍ୟ ନିଜର 'ଆର୍ଟେମିସ୍' (Artemis) ଚନ୍ଦ୍ର ମିଶନ୍ ପାଇଁ ଷ୍ଟାରସିପକୁ ଲ୍ୟାଣ୍ଡର ଭାବେ ଚୟନ କରିଛି। ମିଶନ୍ ଆଗୁଆ ଶେଷ ହୋଇଥିଲେ ସୁଦ୍ଧା କକ୍ଷପଥରେ ପହଞ୍ଚିବା ଏବଂ ସାଟେଲାଇଟ୍ ମୁତୟନ କରିବାର ଦୁଇଟି ମୁଖ୍ୟ ଲକ୍ଷ୍ୟ ହାସଲ ହୋଇଥିବାରୁ ଏହାକୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି।