ଜୟପୁର,୭|୦୬:ବାପାକୁ ମାଡ଼ ମାରିଲା ପୁଅ । ମନ ଇଚ୍ଛା ପିଟି ଚାଲିଲା । ମନେ ପଡିଲାନି ପିଲା ଦିନେ ବାପା କରିଥିବା ତ୍ୟାଗ । ଭୁଲିଗଲା ସମସ୍ତ ଆଦର, ସ୍ନେହ ଏବଂ ଭଲ ପାଇବା । କିଛି ଏମିତି ଘଟିଛି ରାଜସ୍ଥାନର ଜୟପୁରରେ । ଯାହାର ସିସିଟିଭି ଭିଡିଓ ମଧ୍ୟ ଭାଇରାଲ ହେଉଛି । ଏଥିରେ ଜଣେ ବ୍ୟକ୍ତି ନିଜ ଜନ୍ମ କଲା ବାପାଙ୍କୁ କିପରି ଅମାନୁଷିକ ଭାବେ ଆକ୍ରମଣ କରୁଛି ତାହା ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ଜୟପୁରର ସାନଗନେର ଥାନା ଅନ୍ତର୍ଗତ ମାରୁତି କଲୋନିରେ ଏହି ଘଟଣା ଘଟିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଭିଯୁକ୍ତ ପୁଅ ବାପାଙ୍କୁ ମୁଥ ମାରିବା ସହ ଗୋଇଠା ମଧ୍ୟ ମାରୁଛି । ଏପରିକି ପାହାଚରୁ ଟାଣି ଆଣୁଛି । ଏଥିରେ ବୃଦ୍ଧ ବାପାଙ୍କୁ ଗୁରୁତର ଆଘାତ ଲାଗୁଛି ।

ପୀଡିତ ବାପା ହେଲେ ଅନାଦି ଲାଲ୍ ଉଚେନିୟା । ଅଭିଯୁକ୍ତ ପୁଅ ଧମପତ ଉଚେନିଆ ରାତି ୮ଟା ସମୟରେ ତାଙ୍କୁ ଆକ୍ରମଣ କରୁଛନ୍ତି । ଏହାପରେ ଅନ୍ୟ ପଡୋଶୀ ସେମାନଙ୍କୁ ଅଟକାଇବା ସହ ବୃଦ୍ଧଙ୍କୁ ଉଦ୍ଧାର କରୁଥିବା ମଧ୍ୟ ଫୁଟେଜରେ ଦେଖିବାକୁ ମିଳିଛି ।

Also Read :-ଭାରତ ଗସ୍ତରେ ଆସିବେ ଡୋନାଲ୍ଡ ଟ୍ରମ୍ପ୍, ମଜବୁତ ହେବ ନୂଆଦିଲ୍ଲୀ-ଓ୍ୱାଶିଂଟନ୍ ସମ୍ପର୍କ

ପୀଡିତଙ୍କ ଝିଅ ସୁନେନା କହିଛନ୍ତି ଯେ, ଘଟଣାକୁ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ କିନ୍ତୁ କେବଳ ଏଫଆଇଆର ରଖି ଚୁପ୍ ବସି ଯାଇଥିଲା । ଏଫଆଇଆର ଜୁନ ୨୧ ତାରିଖରେ ରୁଜୁ ହୋଇଥିଲା । ଏବେ ଘଟଣାର ତଦନ୍ତ ଚାଲିଛି । କୌଣସି ଘରୋଇ ହିଂସା କାରଣରୁ ଏପରି ପରିସ୍ଥିତି ଉପୁଜିଥିବା କୁହାଯାଉଛି ।