LIVE TV

ସଠିକ୍ ସମୟରେ ଆକ୍ସନ ନେଇ ନଥିଲେ, ସବୁ କିଛି ଜାଳି ଦେଇଥା’ନ୍ତେ; ଲଦାଖ ହିଂସା ଉପରେ ଏଲ୍‌ଜିଙ୍କ ବୟାନ

NEWS7
kabindra gupta

ନୂଆଦିଲ୍ଲୀ: ଲଦାଖ ହିଂସା ଉପରେ ଶୁକ୍ରବାର ଉପରାଜ୍ୟପାଳ କବିନ୍ଦ୍ର ଗୁପ୍ତାଙ୍କ ବୟାନ ସାମନାକୁ ଆସିଛି । ସେ କହିଛନ୍ତି ଯେ ପାକିସ୍ତାନ ଓ ଚୀନ ଦ୍ୱାରା ଘେରି ରହିଥିବା ଲଦାଖ ହିଂସା ବରଦାସ୍ତ କରିବ ନାହିଁ, କିନ୍ତୁ କିଛି ଲୋକ କେନ୍ଦ୍ର ଶାସିତ ପ୍ରଦେଶରେ ମାହୋଲକୁ ଖରାପ କରିବା ପାଇଁ ଉଦ୍ୟମ କରୁଛନ୍ତି । ସେମାନଙ୍କୁ ଛଡ଼ାଯିବ ନାହିଁ । ଏଲଜି କହିଛନ୍ତି, ସେପ୍ଟେମ୍ୱର ୨୪ରେ ହୋଇଥିବା ହିଂସା ଉପରେ ମାଜେଷ୍ଟ୍ରିଟ୍ ତଦନ୍ତ ଆରମ୍ଭ ହୋଇଛି । ହିଂସା ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଅନେକ ଆହତ ହୋଇଥିଲେ । ସହରରେ ଶୀଘ୍ର ଶାନ୍ତି ସ୍ଥାପନ ଉପରେ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ  ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଲଦାଖରେ ଲାଗି ରହିଥିବା ସେ ସୂଚନା ଦେଇଛନ୍ତି ।

ଉପରାଜ୍ୟପାଳ କହିଛନ୍ତି, "ସ୍ଥିତି ପ୍ରାୟ ସ୍ୱାଭାବିକ ହୋଇଛି । ସବୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଛି ଓ ଆଜି ଚତୁର୍ଥ ଦିନରେ କାର୍ଯ୍ୟାଳୟଗୁଡିକ ଠିକ୍ ଭାବେ କାମ କରୁଛନ୍ତି । ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲା ଖୋଲାଯାଇଛି ଓ ଯାନବାହାନ ଚଳାଚଳ କରୁଛି । ମୋଟ ଉପରେ ସ୍ଥିତି ସ୍ୱାଭାବିକ ରହିଛି ଓ କୌଣସି ଅପ୍ରିୟ ଘଟଣାର ସୂଚନା ମିଳିନାହିଁ ।"

କିଛି ଲୋକ ସ୍ଥିତି ବିଗାଡ଼ିବାକୁ ଉଦ୍ୟମ କରୁଛନ୍ତି, ଯାହା ଡିପଫେକ୍ ଭିଡିଓ ପ୍ରସାରରୁ ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି । ଏଲଜି କହିଛନ୍ତି, ନିଜ ବୟାନ ଓ ଭାଷଣ ଜରିଆରେ ହିଂସା ସୃଷ୍ଟି କରୁଥିବା ଲୋକଙ୍କ ସହ ଅନେକ ଗିରଫ କରାଯାଇଛି । ନିର୍ଦ୍ଦୋଷ ଲୋକଙ୍କ ପାଇଁ ନ୍ୟାୟ ଓ ଦୋଷୀଙ୍କ ବିରୁଦ୍ଧରେ ଦଣ୍ଡ ପ୍ରାବଧାନ ହେବା ଜରୁରି । ହିଂସା ଘଟଣାର ନ୍ୟାୟିକ ତଦନ୍ତ ପାଇଁ ବଢୁଥିବା ଦାବି ଉପରେ ଏଲଜି ଗୁପ୍ତା କହିଛନ୍ତି, ପୂର୍ବରୁ ମାଜିଷ୍ଟ୍ରେଟ୍ ତଦନ୍ତ ଆଦେଶ ଦିଆଯାଇଛି ଓ କାହା ସହ ବି ଅନ୍ୟାୟ ହେବ ନାହିଁ । ସେ କହିଛନ୍ତି, ଯଦି ସଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥାନ୍ତା, ତେବେ ସେମାନେ (ଭିଡ଼) ସବୁ କିଛି ଜାଳି ଦେଇଥାନ୍ତେ । ଚାରି ଜଣଙ୍କ ମୃତ୍ୟୁ ଗଭୀର ଦୁଃଖ ଦେଇଛି । ଶୋକସନ୍ତପ୍ତ ପରିବାର ସହ ମୋର ସମବେଦନା ରହିଛି ।