ନୂଆଦିଲ୍ଲୀ: ଏକ ଅଧ୍ୟୟନରୁ ବାର୍ଷିକ ସର୍ପ ଦଂଶନ ଭାରତରେ ସର୍ବାଧିକ ବୋଲି ଜଣାପଡିଛି। ଲିଭରପୁଲ ସ୍କୁଲ ଅଫ ଟ୍ରପିକାଲ ମେଡିସିନର ବୈଜ୍ଞାନିକଙ୍କ ଅନୁସାରେ ବର୍ଷକୁ ପାଖାପାଖି ୨୧ରୁ ୭୦ ଲକ୍ଷ ଲୋକେ ସାପ କାମୁଡ଼ାର ଶିକାର ହୁଅନ୍ତି। ଏଥିରୁ କେବଳ ଭାରତରେ ୧୩ଲକ୍ଷ ଲୋକେ ଥିବା ଜଣାପଡିଛି। ଏହି ମାମଲାରେ ଭାରତ ପଛକୁ ରହିଛି ନାଇଜେରିଆ। ଏଠାରେ ବାର୍ଷିକ ୬ଲକ୍ଷ ୬୬ ହଜାର ଲୋକେ ସାପ କାମୁଡ଼ାରେ ଆକ୍ରାନ୍ତ ହୁଅନ୍ତି। ଇଣ୍ଡୋନେସିୟାରେ ବାର୍ଷିକ ୪,୯୦,୦୦୦ ଲୋକେ ସାପ କାମୁଡାର ଶିକାର ହେଉଥିବା ବେଳେ ଡିଆରସି କଙ୍ଗୋରେ ୪,୬୭ ହଜାର ମାମଲାର ଅଭିଯୋଗ ମିଳିଛି।

ଏଥିରେ ନିମ୍ନଆୟକାରୀ ଦେଶମାନଙ୍କରେ ସାପ କାମୁଡ଼ା ମୃତ୍ୟୁ ହାର ସର୍ବାଧିକ ହେଉଥିବା ବେଳେ ଏଥିରେ ଉପସାହାରା ଆଫ୍ରିକାରେ ସାପ କାମୁଡା ଓ ଏଥି ପାଇଁ ହେଉଥିବା ମୃତ୍ୟୁ ମାମଲା ସର୍ବାଧିକ। ଏଠାରେ ସାପ କାମୁଡ଼ା ମୃତ୍ୟୁ ହାର ପାଖାପାଖି ୪୫% ବୋଲି ଜଣାପଡିଛି। ଦକ୍ଷିଣ ଏସିୟାରେ ଦେଖା ଦେଉଥିବା ଘଟଣା ତୁଳନାରେ ଏହା ପାଖାପାଖି ୩ ଗୁଣା ଅଧିକ ହୋଇଥିବା ବେଳେ ଏହାର ପିଛିଲା ଅନୁମାନ ବହୁତ କମ୍ ଥିଲା ଓ ସଠିକ ନଥିଲା ବୋଲି କୁହାଯାଇଛି।

ପିଏଲଓଏସ୍ ମେଡିସିନରେ ପ୍ରକାଶିତ ଅଧ୍ୟୟନରେ ମୁଖ୍ୟ ଲେଖକ ଦିଲେପା ଏଡିରିଭେରା ସାପ ବିଷ ଯୋଗୁ ହେଉଥିବା ରୋଗ (ଏସଇ)କୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ବୋଲି କହିଛନ୍ତି। ଅତୀତରେ ସାପ କାମୁଡ଼ିବା ଓ ଗିଳିଯିବାର ଅନେକ ଉଦାହରଣ ରହିଛି। ଏଥିରୁ କିଛି ଗତ ବର୍ଷର ହୋଇଥିବା ବେଳେ ଆଉ କିଛି ଚଳିତବର୍ଷର। ତେବେ ଏହି ସଂଖ୍ୟା ଅନୁମାନ କରିବା ଏବେବି ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ଏହି ଅଧ୍ୟୟନ ଲାଗି ଗବେଷକମାନେ ଜାନୁୟାରୀ ୨୦୦୭ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ୭୯ଟି ଦେଶରେ ସାପ କାମୁଡ଼ା ସମ୍ପର୍କିତ ତଥ୍ୟ ସମୀକ୍ଷା କରିଛନ୍ତି। ସେମାନଙ୍କ ବିଶ୍ଲେଷଣ ଅନୁସାରେ ପ୍ରତି ବର୍ଷ ୨୧ରୁ ୭୦ ଲକ୍ଷ ସର୍ପ ଦଂଶନ ହେଉଛି। ଏଥିରୁ ୭୫ ପ୍ରତିଶତ କେବଳ ୨୦ଟି ଦେଶରେ ହେଉଛି।

ଏହି ତାଲିକାରେ ଭାରତ ଶୀର୍ଷରେ ରହିଛି। କାରଣ ଭାରତରେ ପ୍ରତି ବର୍ଷ ୪୯ ହଜାରରୁ ୧୩ଲକ୍ଷ ପର୍ଯ୍ୟନ୍ତ ସର୍ପ ଦଂଶନ ଅଭିଯୋଗ ଆସୁଛି। ଏହି ୨୦ ଦେଶରେ ନାଇଜେରିଆ, ବ୍ରାଜିଲ ଓ ଚୀନ୍ ମଧ୍ୟ ଅଛନ୍ତି। ସର୍ପ ଦଂଶନ ଯୋଗୁ ବିଶ୍ୱରେ ପ୍ରତି ବର୍ଷ ୨,୭୪ ହଜାରରୁ ୫ଲକ୍ଷ ୧୩ ହଜାର ଲୋକେ ପ୍ରାଣ ହରାଉଛନ୍ତି। ତେବେ ଗବେଷକମାନେ କହିଛନ୍ତି ଯେ ଏହି ତଥ୍ୟ ହୁଏତ କମ ହୋଇ ପାରେ, ବାସ୍ତବିକ ମାମଲା ଓ ଏଥିଯୋଗୁ ହେଉଥିବା ମୃତ୍ୟୁ ଅଧିକ ହୋଇପାରେ।