LIVE TV

ଦିନିକିଆରେ ୫୦୦୦ ରନ୍ ପୂରଣ କଲେ ସ୍ମୃତି ମନ୍ଧାନା, କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ୍ କରିବାରେ ପ୍ରଥମ ମହିଳା ବ୍ୟାଟର

NEWS7
mandhana

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳର ଉପ-ଅଧିନାୟକ ଏବଂ ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ୮୦ ରନର ଏକ ଚମତ୍କାର ଇନିଂସ ଖେଳି ଅନେକ ରେକର୍ଡ ଭାଙ୍ଗିଛନ୍ତି । ଏହି ବାମହାତୀ ବ୍ୟାଟର ଦିନିକିଆ ମ୍ୟାଚ୍‌ରେ ୫୦୦୦ ରନ୍ ପୂରଣ କରିଛନ୍ତି । ଏପରି କରିବାରେ ବିଶ୍ୱର ପଞ୍ଚମ ଓ ଭାରତର ଦ୍ୱିତୀୟ ମହିଳା ବ୍ୟାଟର ହୋଇଛନ୍ତି । ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମହିଳା ବିଶ୍ୱକପର ୧୩ତମ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଅଧିନାୟିକା ଆଲିସା ହିଲି ଟସ୍ ଜିତି ଆୟୋଜକ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ ।

ପ୍ରତୀକା ରାୱଲ ଏବଂ ସ୍ମୃତି ମନ୍ଧାନା ଭାରତକୁ ଏକ ମଜଭୁତ ଆରମ୍ଭ ଦେଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୧୫୫ ରନ ଭାଗୀଦାରୀ ହୋଇଥିଲା।  ମନ୍ଧାନା ୪୬ ବଲ୍‌ରେ ଏବଂ ପ୍ରତୀକା ୬୯ ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ମନ୍ଧାନା ତାଙ୍କର ୩୩ତମ ଦିନିକିଆ ଅର୍ଦ୍ଧଶତକ ସହିତ ଅନେକ ରେକର୍ଡ କରିଥିଲେ । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ୍ ପୂରଣ କରିଥିବା ପ୍ରଥମ ମହିଳା ବ୍ୟାଟର ହୋଇଛନ୍ତି । ଏହା ପରେ, ସେ ଦିନିକିଆରେ ୫୦୦୦ ରନ୍ ମଧ୍ୟ ପୂରଣ କରିଥିଲେ । ଏହା କରିବାରେ ସେ ବିଶ୍ୱର ପଞ୍ଚମ ମହିଳା କ୍ରିକେଟର ଏବଂ ଭାରତର ଦ୍ୱିତୀୟ ମହିଳା କ୍ରିକେଟର ହୋଇଥିଲେ । ଏହା ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ମିତାଲି ରାଜ ଦିନିକିା କ୍ରିକେଟ୍‌ରେ ୫୦୦୦ ରନ୍ କରିଥିଲେ ।

୨୯ ବର୍ଷୀୟା ମନ୍ଧାନା ଦିନିକିଆରେ ୫,୦୦୦ ରନ୍ କରିଥିବା ସବୁଠାରୁ କମ୍ ବୟସ୍କ ମହିଳା ବ୍ୟାଟର । ସେ ନିଜର ୧୧୨ତମ ଇନିଂସର ୫୫୬୯ ବଲ ଖେଳି ଏହି ସଫଳତା ହାସଲ କରିଥିଲେ । ତାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ଷ୍ଟାଫାନି ଟେଲର୍ ୧୨୯ ଇନିଂସରେ ୫,୦୦୦ ଦିନିକିଆ ରନ୍ ପୂରଣ କରିଥିଲେ ।ଆଜିର ମ୍ୟାଚରେ ମନ୍ଧାନା ୬୬ ବଲ୍‌ରେ ୮୦ ରନ୍ କରି ଆଉଟ୍ ହୋଇଥିଲେ । ଆଜିର ଏହି ଇନିଂସରେ ୯ ଚୌକା ଏବଂ ୩ଟି ଛକା ଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଏହା ମନ୍ଧାନାଙ୍କର ଲଗାତାର ପଞ୍ଚମ ଅର୍ଦ୍ଧଶତକ ଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆରେ ୫୦ରୁ ଅଧିକ ରନ୍ କରିଥିବା ପ୍ରଥମ ମହିଳା ବ୍ୟାଟର ହୋଇଥିଲେ । ପୂର୍ବ ଚାରୋଟି ମ୍ୟାଚରେ ୧୨୫ (୬୩), ୧୧୭ (୯୧), ୫୮ (୬୩), ଏବଂ ୧୦୫ (୧୦୯) ରନ୍ କରିଥିଲେ ।