LIVE TV

କିଙ୍ଗ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସ୍ମୃତି ମନ୍ଧାନା, ଭାରତୀୟ ବ୍ୟାଟର ଭାବେ ହାସଲ କଲେ ଦ୍ରୁତତମ ଶତକ

NEWS7
Smirti Mandhana

ନୂଆଦିଲ୍ଲୀ: ପୁରୁଷ କ୍ରିକେଟରଙ୍କ ତୁଳନାରେ ସେ ନୁହନ୍ତି କିଛି କମ୍। ବୀରେନ୍ଦ୍ର ସେହ୍ଵାଗଙ୍କ ପରି କରନ୍ତି ବିସ୍ଫୋରକ ବ୍ୟାଟିଂ। ସେଥିପାଇଁ ଆଜି ହେଉଛନ୍ତି ସେ ଦୁନିଆର ସବୁଠୁ ବିସ୍ଫୋରକ ଓପନିଂ ବ୍ୟାଟର। ଏହି ଖେଳାଳି ହେଉଛନ୍ତି ଭାରତର ବାମହାତୀ ବିସ୍ପୋରକ ବ୍ୟାଟର ସ୍ମୃତି ମନ୍ଧାନା।  ଆଉ ଏହାକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି ସ୍ମୃତି। ସ୍ମୃତି ଏମିତି ବିସ୍ଫୋରକ ଇନିଂସ ଖେଳିଛନ୍ତି ଯାହା ଆଜି ପର୍ଯ୍ୟନ୍ତ ଦିନିକିଆରେ କୌଣସି ଭାରତୀୟ କ୍ରିକେଟର ସେ ପୁରୁଷ ହୁଅନ୍ତି କି ମହିଳା ଖେଳି ନାହାନ୍ତି। ଦିନିକିଆରେ ଭାରତୀୟ ହିସାବରେ ଦ୍ରୁତତମ ଶତକ ହାସଲ କରିଛନ୍ତି ଏହି ବ୍ୟାଟର। ଆଉ ଭାଙ୍ଗିଛନ୍ତି କିଙ୍ଗ କୋହଲିଙ୍କ ବିରାଟ ରେକର୍ଡ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଛି ତୃତୀୟ ଦିନିକିଆ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଧୁଆଁଧାର ବ୍ୟାଟିଂ କରି ୪୧୨ ରନର ବିଶାଳ ସ୍କୋର କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତ ପକ୍ଷରୁ ଧମାକାଦାର ଶତକୀୟ ଇନିଂସ ଖେଳିଛନ୍ତି ସ୍ମୃତି ମନ୍ଧାନା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ସ୍ମୃତି ୬୩ ବଲରୁ ଖେଳିଛନ୍ତି ୧୨୫ ରନର ବିଧ୍ଵଂସୀ ଇନିଂସ। ଏହି ସମୟରେ ମାରିଛନ୍ତି ୧୭ ଚୌକା ଓ ୫ ଛକା। ମନ୍ଧାନା ମାତ୍ର ୫୦ ବଲରେ ହାସଲ କରିଛନ୍ତି ଶତକ। ଏହା ସହିତ ପାଲଟିଛନ୍ତି ଦିନିକିଆ ଇତିହାସରେ ଦ୍ରୁତତମ ଶତକହାସଲକାରୀ ଭାରତୀୟ ଖେଳାଳି। ମନ୍ଧାନ ତାରକା କ୍ରିକେଟର ବିରାଟ କୋହଲିଙ୍କ ଭାଙ୍ଗିଛନ୍ତି ୧୨ ବର୍ଷର ପୁରୁଣା ରେକର୍ଡ। କୋହଲି ୨୦୧୩ରେ ଅଷ୍ଟ୍ରେଲିଆ ବିରୋଧରେ ମାତ୍ର ୫୨ ବଲରେ ହାସଲ କରିଥିଲେ ଶତକ।

୨୯ ବର୍ଷୀୟ ମନ୍ଧାନା ମହିଳା ଦିନିକିଆ ଇତିହାସରେ ଦ୍ଵିତୀୟ ଦ୍ରୁତତମ ଶତକହାସଲକାରୀ ବ୍ୟାଟର ହୋଇଛନ୍ତି। ଏହା ସହ ଦିନିକିଆରେ କ୍ରମାଗତ ଦ୍ଵିତୀୟ ଶତକ ହାସଲ କରିଛନ୍ତି ସ୍ମୃତି ମନ୍ଧାନା। ସେ ଅଷ୍ଟ୍ରେଲିଆର ବେଥ ମୁନି ଓ କରେନ ରୋଲଟନଙ୍କୁ ପକାଇଛନ୍ତି ପଛରେ। ମୁନି ଆଜି ନିର୍ଣ୍ଣାୟକ ଦିନିକିଆରେ ଭାରତ ବିପକ୍ଷରେ ୫୭ ବଲରୁ ଖେଳିଥିଲେ ଶତକୀୟ ଇନିଂସ। ତାଙ୍କ ପୂରବରୁ ପୂର୍ବତନ କ୍ରିକେଟର ରୋଲଟନ ୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୭ ବଲରୁ ହାସଲ କରିଥିଲେ ଶତକ। ମହିଳା ଦିନିକିଆ ଇତିହାସରେ ଦ୍ରୁତତମ ଶତକ ମାରିବାର ରେକର୍ଡ ମେଗ ଲାନିଙ୍ଗଙ୍କ ନାଁରେ ରହିଛି। ଅଷ୍ଟ୍ରେଲିଆର ଏହି ପୂର୍ବତନ ଅଧିନାୟକ ୨୦୧୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମାତ୍ର ୪୫ ବଲରେ ହାସଲ କରିଥିଲେ ଶତକ। ଆଉ ସ୍ମୃତି ମନ୍ଧାନା ୫୦ ବଲରୁ ଶତକ ପୂରା କରି ଭାରତ ପକ୍ଷରୁ ରଚିଛନ୍ତି ଇତିହାସ।

ଦିନିକିଆରେ ଭାରତ ପାଇଁ ଉଭୟ ପୁରୁଷ ଓ ମହିଳା ଦଳ ପକ୍ଷରୁ ଦ୍ରୁତତମ ଶତକ  ହାସଲ କରିଥିବା ଖେଳାଳିଙ୍କ ଉପରେ ଚାଲନ୍ତୁ ନଜର ପକାଇବା। ୫୦ ବଲରେ ସ୍ମୃତି ମନ୍ଧାନା ଶତକ ହାସଲ କରି ତାଲିକାରେ ପ୍ରଥମ ସ୍ଥାନରେ। ୫୨ ବଲ୍ ସହ ବିରାଟ କୋହଲି ଦ୍ଵିତୀୟ, ୬୦ ବଲରୁ ଶତକ ହାସଲ କରିଛନ୍ତି ବୀରେନ୍ଦ୍ର ସେହ୍ଵାଗ। ଚତୁର୍ଥରେ ଅଛନ୍ତି ପୁଣି ବିରାଟ କୋହଲି। ସେ ୬୧ ବଲରୁ ଖେଳିଥିଲେ ଶତକୀୟ ଇନିଂସ। ଆଉ ୬୨ ବଲରୁ ଶତକ ମାରି ତାଲିକାରେ ପଞ୍ଚମରେ ଅଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦୀନ।