ସୀତାପୁର, ୦୫/୦୪ : ହଠାତ ଗରଜିଲା ଆକାଶ । ମାଡି ଆସିଲା ଝଡ ତୋଫାନ । କଳାହାଣ୍ଡିଆ ମେଘ ସହ ଭୟଙ୍କର ବଜ୍ରପାତ ଏବଂ ବିଜୁଳି ବି ମାରିଲା । ତେବେ ଏହି ବିଜୁଳି ଏବେ ଏକ ଗାଁ ପାଇଁ ଅଭିଶାପ ପାଲଟିଛି । ଚଡ଼କ ମାରିବା ଫଳରେ ଏକ ଗାଁ ଜଳି ଯାଇଛି ।

ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସରେୟାଁ ଚଲାକାପୁର ଗାଁରେ ଶନିବାର ଘଟିଛି ଅଭାବନୀୟ ଘଟଣା । ଶନିବାର ସନ୍ଧ୍ୟାରେ ଗାଁରେ ବିଜୁଳି ମାରି ନିଆଁ ଲାଗିଯାଇଛି । ଫଳରେ ଚାରିଆଡେ ଭୟର ମାହୋଲ ଖେଳିଯାଇଛି । ଘଟଣାରେ ଦୁଇ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି ।

ଶନିବାର ଗାଁରେ ସନ୍ଧ୍ୟାରେ ହଠାତ ବଜ୍ରପାତ ହୋଇଥିଲା । ଗୋଟିଏ ପରେ ଗୋଟିଏ ବଜ୍ରପାତ ହୋଇଥିଲା । ଏହାର ମାତ୍ରା ଏତେ ଅଧିକ ଥିଲା ଯେ ଗାଁରେ ଥିବା କିଛି ଘରେ ନିଆଁ ମଧ୍ୟ ଲାଗିଯାଇଥିଲା । ଯାହା ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ବ୍ୟାପିଥିଲା । ଫଳରେ ଲୋକେ ଏଣେତେଣେ ଦୌଡିଥିଲେ ।

ଦୁଇ ମୃତ

ଘଟଣାରେ ଦୁଇ ଜଣ ମହିଳା ପ୍ରାଣ ହରାଇଛନ୍ତି । ମୃତକ ଦୁଇ ଜଣ ହେଲେ ଫୁଲମତି । ଫୁଲମତିଙ୍କ ୬୦ ବର୍ଷୀୟା ମାଆ ମଧ୍ୟ ପ୍ରାଣ ହରାଇଛନ୍ତି । ସେହିପରି ବଜ୍ରପାତରେ ଜଣେ ୭ ବର୍ଷର ଶିଶୁ ଗୁରୁତର ହୋଇଛି । ଶିଶୁଟିର ଶରୀର ଜଳି ଯାଇଥିବା କୁହାଯାଉଛି । ଗୁରୁତର ଅବସ୍ଥାର ତାର ଚିକିତ୍ସା ଜାରି ରହିଛି ।

Also Read :-ନିର୍ବାଚନ ଲଢ଼ିବେ କ୍ରାଇମ କିଙ୍ଗ୍; ନାମାଙ୍କନ ପତ୍ରରେ ଦର୍ଶାଇଲେ ୧୭ କୋଟିର ସୁନା, ରହିଛି ଅପରାଧର ଲମ୍ବା ଲିଷ୍ଟ

ଗୋଟିଏ ଘରୁ ବ୍ୟାପିଗଲା ନିଆଁ

ଗ୍ରାମବାସୀଙ୍କ କହିବାନୁସାରେ, ବଜ୍ରପାତ ପାଇଁ ପ୍ରଥମେ ଗୋଟିଏ ଘରେ ନିଆଁ ଲାଗିଯାଇଥିଲା । ପରେ ଏହା ଅନ୍ୟ ଘରକୁ ବ୍ୟାପି ଯାଇଥିଲା । ମାତ୍ର କିଛି ମିନିଟରେ ୧୦ରୁ ଅଧିକ ଘର ହୁତୁହୁତୁ ହୋଇ ଜଳିଥିଲା । ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିଲେ ବି ବିଳମ୍ବ ହୋଇଯାଇଥିଲା ।

ତେବେ ଦୁଇ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି । ମୃତଦେହକୁ ପୋଷ୍ଟ୍ ମର୍ଟମ୍ ପାଇଁ ପଠାଯାଇଥିବା ପୋଲିସ କହିଛି । ଏହାସହ ପ୍ରଶାସନ ପକ୍ଷରୁ ପୀଡିତ ପରିବାରକୁ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଛି ।