ନୂଆଦିଲ୍ଲୀ: ବାଇଗଣ ଭର୍ତ୍ତା ଏବଂ ରୁଟି ଖାଇବା ପରେ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ୩ ଜଣ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ୯ ମାସର ଶିଶୁ କନ୍ୟା ମଧ୍ୟ ସାମିଲ ଅଛି। ପୋଲିସକୁ ନଜଣାଇ ଏବଂ ବ୍ୟବଚ୍ଛେଦ ନକରି ପରିବାର ଲୋକେ ମୃତଦେହଗୁଡ଼ିକୁ ପୋତି ଦେଇଥିବାରୁ ଏହି ଘଟଣାରେ ପୋଲିସ ସନ୍ଦେହ ପ୍ରକାଶ କରି ତଦନ୍ତ ଆରମ୍ଭ କରିଛି।

ମୃତକମାନେ ହେଲେ ଛତରପୁର ଜିଲ୍ଲା ପିପୋରା ଖୁର୍ଦ୍ଦ ଗ୍ରାମର ବାଲମୁକୁନ୍ଦ କୁଶୱାହାଙ୍କ ତିନି ଝିଅ — ୭ ବର୍ଷୀୟା ପୁନମ୍, ୩ ବର୍ଷୀୟା ମନୀଷା ଏବଂ ୯ ମାସର ଶିଶୁ କନ୍ୟା ଚାହାତ। ପୋଲିସ ଅନୁସାରେ, ମୃତ୍ୟୁ ପୂର୍ବରୁ ୩ ଭଉଣୀ ବାଇଗଣ ଭର୍ତ୍ତା ଓ ରୁଟି ଖାଇଥିବା କୁହାଯାଉଛି। କିନ୍ତୁ ୯ ମାସର ଶିଶୁ ସାଧାରଣତଃ କ୍ଷୀର କିମ୍ବା ନରମ ତରଳ ଖାଦ୍ୟ ଖାଉଥିବା ବେଳେ, ସେ କିପରି ରୁଟି ଓ ବାଇଗଣ ଭର୍ତ୍ତା ଖାଇଲା, ସେ ନେଇ ତଦନ୍ତକାରୀ ଦଳ ସନ୍ଦେହ ପ୍ରକାଶ କରିଛି ।

ହିନ୍ଦୁ ସମ୍ପ୍ରଦାୟର ହୋଇଥିବା ସତ୍ତ୍ୱେ ମୃତଦେହଗୁଡ଼ିକୁ ଦାହ ନକରି କାହିଁକି ଏତେ ଶୀଘ୍ର ପୋତି ଦିଆଗଲା, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପୋଲିସ କିମ୍ବା ଡାକ୍ତରୀ ଦଳକୁ କୌଣସି ସୂଚନା ନଦେଇ ମୃତଦେହ ପୋତିଦେବା ଘଟଣାକୁ ଆହୁରି ସନ୍ଦେହଜନକ କରିଦେଇଛି।

ଘଟଣାର ଗମ୍ଭୀରତାକୁ ଦେଖି ପୋଲିସ ଟିମ୍ ଗାଁରେ ପହଞ୍ଚି ମୃତଦେହ ପୋତା ଯାଇଥିବା ସ୍ଥାନର ଯାଞ୍ଚ କରିଛି। ମୃତଦେହଗୁଡ଼ିକୁ ମାଟିତଳୁ କାଢ଼ି  ପରୀକ୍ଷା ପାଇଁ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଯେ, ବିଷାକ୍ତ ଖାଦ୍ୟ ମୃତ୍ୟୁର କାରଣ ଥିଲା ନା, କୌଣସି ରୋଗ କିମ୍ବା ଅନ୍ୟ କିଛି ଷଡ଼ଯନ୍ତ୍ର ରହିଛି ।