LIVE TV

କଣ୍ଟେନର ଜାହାଜ MSC Elsa ବୁଡିବାରୁ ଆରବ ସାଗର ବିଷାକ୍ତ, ଚିନ୍ତାରେ ମତ୍ସ୍ୟଜୀବୀ

NEWS7
Pulution

କୋଚ୍ଚି ୨୧।୯:  କେରଳ ଉପକୂଳରୁ ଦୂରରେ ଆରବ ସାଗରରେ ମେ ୨୫ ତାରିଖ ଦିନ ବୁଡି ଯାଇଥିବା ଏମଏସସି ଏଲସା-୩ କଣ୍ଟେନର ଜାହାଜ ଏବେ ସମୁଦ୍ରକୁ ବିଷାକ୍ତ କରୁଛି। ଏ ନେଇ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟଙ୍କ ସେଣ୍ଟର ଫର ମେରିନ ଲିଭିଂରିସୋର୍ସେସ୍ ଆଣ୍ଡ ଇକୋଲଜି (ସିଏମଏଲଆରଇ) ରିପୋର୍ଟ ସବୁଠୁ ବଡ଼ ଭୟକୁ ସତ୍ୟରେ ପରିଣତ କରିଛି। ଜାହାଜରୁ ଝରୁଥିବା ତେଲ ପାଣିର କ୍ୱାଲିଟି, ପ୍ଲେଙ୍କଟନ, ସାମୁଦ୍ରୀକ ଜୀବ, ମାଛ ଅଣ୍ଡା, ଲାର୍ଭା ଓ ବଡ଼ ସାମୁଦ୍ରୀକ ଯିବଙ୍କ କ୍ଷତି କରୁଛି।

ବୁଡି ଯାଇଥିବା ଜାହାଜରେ ୬୪୦ଟି କଣ୍ଟେନର ଥିଲା, ଯେଉଁଥିରେ କ୍ୟାଲସିୟମ କାର୍ବାଇଡ, ସଲଫର, ରବର ସଲ୍ୟୁସନ ଓ ତୈଳ ଭରି ହୋଇ ରହିଥିଲା। ଜାହାଜଟି ଭିଜିନଜମରୁ କୋଚ୍ଚି ଯାଉଥିବା ବେଳେ ବୁଡି ଯାଇଥିଲା।  ପାଣି ତଳେ ଜାହାଜରୁ ତେଲ ଝରୁଥିବାରୁ କୋଚ୍ଚିରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ପାଇଁ ଏବେ ସଂକଟ ଉପୁଜିଛି। କେରଳ ସରକାର ଏହାକୁ ଷ୍ଟେଟ୍ ଅଫ ଡିଜାଷ୍ଟର ଘୋଷଣା କରିଛନ୍ତି। ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀର ଆଇଏନଏସ ସୁଜାତା, ଆଇସିଜିଏସ ଅର୍ନିବେଶ ଓ ଆଇସିଜିଏସ ସକ୍ଷମକୁ ମୂତୟନ କରାଯାଇଛି। ଆକାଶରୁ ଡୋର୍ଣ୍ଣିୟର ବିମାନରୁ ନଜର ରଖା ଯାଇଛି।

କେରଳରେ ଭାରତର ମୋଟ ୧୫% ମାଛଧରାଯାଇଥାଏ। ମୌସୁମୀରେ ସବୁଠୁ ଅଧିକ ମାଛ ଧରା ହୁଏ। ହେଲେ ଜାହାଜ ବୁଡିବାରୁ ଜାଲ ସବୁ ତେଲ ହୋଇ ଯାଉଛି। ଏଣୁ ମାଛ ଧରା କମି ଯାଇଛି। ମାଛ ଉତ୍ପାଦନ ହ୍ରାସ, ମହଙ୍ଗା ଇନ୍ଧନ ଭଳି ସମସ୍ୟା ଭୋଗୁଥିବା ମତ୍ସ୍ୟଜୀବିଙ୍କ ଉପରେ ଏବେ ଦୋହରା ମାଡ଼ ପଡିଛି। ଗ୍ରୀନପିସ୍ ଇଣ୍ଡିଆ ଆହାକୁ ‘ଟିକିଂ ଇକୋଲଜିକାଲ ଟାଇମ ବମ’ ବୋଲି କହିଛି। ଏଥିରେ ରାଧିକା ମେନନ କହିଛନ୍ତି ଯେ ସମୁଦ୍ରରୁ ଆସିଥିବା ପ୍ରତ୍ୟେକ ଲହଡି ବିଷ ନେଇ ଆସୁଛି, ଯାହା ଫୁଡ ଚେନରେ ମିଶୁଛି।   

ଆରବ ସାଗର ପ୍ରଥମରୁ ଚାପଗ୍ରସ୍ତ ଯେପରିକି ତାପମାତ୍ରା ବଢିବା, ଅକ୍ସିଜେନ ହ୍ରାସ ହେବା, ମାଛଧରାରେ ଉଦ୍ୟୋଗର ପ୍ରବେଶ ଆଦି ଚିନ୍ତା ରହିଛି। ମେରିନ ବାୟୋଲଜିଷ୍ଟ ମିନି ଜୋସେଫ କହିଛନ୍ତି ଏହା ଥରକେ ଝରୁ ନାହିଁ, କ୍ରନିକ୍ ଲିକ୍ ହେଉଛି। ଯଦି ଜାହାଜକୁ ସିଲ ନ କରାଗଲା ତେବେ ପିଢୀ ବରବାଦ ହେବା ନିଶ୍ଚିତ। ଆଇନ ଅନୁସାରେ ସରକାର ଜାହାଜ ମାଲିକଠାରୁ କ୍ଷତିଭରଣା କରିପାରନ୍ତି। ହେଲେ ଏଲସା-୩ ଜାହାଜଟିରେ ପାନାମା ପତାକା ଲାଗିଥିବା ବେଳେ ୟୁରୋପରୁ ଅପରେଟ ହେଉଥିଲା। ଏହାର ବୀମା କୌଣସି ଅନ୍ୟସ୍ଥାନରେ ରହିଛି। ଏଣୁ ଏବେ କାହାକୁ ଦାୟି କରିବା ସହଜ ନୁହେଁ।

ତେବେ ସିଏମଏଲଆରଇ ରିପୋର୍ଟ ପ୍ରଥମେ ଏମଏସସି ଏଲତା-୩ ଅବଶେଷ ସମୁଦ୍ର ବିଷାକ୍ତ କରୁଥିବା ପ୍ରଥମେ ଅଧିକାରୀକ ପୁଷ୍ଟି କରିଥିଲା। ରିପୋର୍ଟ ଅବଶେଷର ଇନ୍ଧନ ଟ୍ୟାଙ୍କକୁ ସିଲ କରିବା ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ନଜରରେ ରଖିବାକୁ ପରାମର୍ଶ ଦେଇଛି। ଏଣୁ ଭାରତ ସରକାରଙ୍କୁ ଦ୍ରୁତ ପଦକ୍ଷେପ ନେବାକୁ ପଡିବ। ନଚେତ କ୍ଷତି ଆହୁରି ବଢିଯିବ ବୋଲି ସତର୍କ କରାଯାଇଛି।