ନୂଆଦିଲ୍ଲୀ: NEET UG ପେପର ଲିକ୍ ମାମଲାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ରାଜସ୍ଥାନ ପୋଲିସ ନାସିକରୁ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ନାସିକର ଡିସିପି କିରଣ କୁମାର ଚୌହାନ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଜି (ମଙ୍ଗଳବାର) ସକାରେ ରାଜସ୍ଥାନ ପୋଲିସ ସହଯୋଗ ପାଇଁ ତାଙ୍କୁ ଫୋନ କରିଥିଲା ।ରାଜସ୍ଥାନ ପୋଲିସ ପାଖରୁ ସୂଚନା ପାଇବା ପରେ ନାସିକ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତକୁ ଧରିଛି ।

ଅଭିଯୁକ୍ତ ଲୁକ୍ ପରିବର୍ତ୍ତନ କରିଥିଲା

ଡିସିପି କିରଣ କୁମାର ଚୌହାନ କହିଛନ୍ତି, ଧରାପଡ଼ିଥିବା ଅଭିଯୁକ୍ତ ଶୁଭମ ଖୈରନାର ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ଜଡ଼ିତ । ନିଜର ପରିଚୟ ଲୁଚାଇବାକୁ ଶୁଭମ ନିଜର ଲୁକ୍ ପରିବର୍ତ୍ତନ କରିଥିଲା । ହେୟାର ଷ୍ଟାଇଲ୍ ପାଖରୁ ନିଜର ବେଶଭୂଷା ବଦଳାଇ ଦେଇଥିଲା ଶୁଭମ । ପୋଲିସକୁ ଚକମା ଦେବାକୁ ସବୁ ଯୋଜନା କରିଥିଲା ଅଭିଯୁକ୍ତ । କିନ୍ତୁ ପୋଲିସ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ତାକୁ ଗିରଫ କରିଛି । ରାଜସ୍ଥାନ ପୋଲିସ ନାସିକରେ ପହଞ୍ଚିବା ପରେ, ଅଭିଯୁକ୍ତକୁ ହସ୍ତାନ୍ତର କରାଯିବ । ଗିରଫ ଅଭିଯୁକ୍ତ ମଧ୍ୟପ୍ରଦେଶର ଭୋପଳରେ ପଢ଼ୁଥିଲା ବୋଲି ଜଣାପଡ଼ିଛି ।

Also Read: NEET UG ପରୀକ୍ଷା ବାତିଲ, କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ପରୀକ୍ଷା ପୁଣି ଥରେ ଅନୁଷ୍ଠିତ ହେବ

ପେପର ଲିକ୍ ଅଭିଯୋଗ ପରେ, ମଙ୍ଗଳବାର ଦିନ NTA ମେ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UG-2026 ବାତିଲ କରିଛି । ସରକାର ଏହି ଅନିୟମିତତାର ବିସ୍ତୃତ ତଦନ୍ତ କରିବାକୁ CBIକୁ ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲ କଲେଜରେ ଗ୍ରାଜୁଏଟ ପାଠ୍ୟକ୍ରମରେ ପ୍ରବେଶ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷା ପୁଣି ଥରେ ଅନୁଷ୍ଠିତ ହେବ, ପରୀକ୍ଷା ତାରିଖ ଏନଟିଏ ପକ୍ଷରୁ ପ୍ରକାଶ ପାଇବ । ତେବେ NEET UG 2026 ପରୀକ୍ଷା ମେ ୩ ତାରିଖରେ ଭାରତର ୫୫୧ଟି ସହରରେ ଏବଂ ଅନ୍ୟ ଦେଶର ୧୪ଟି ସହରରେ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୨୩ ଲକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ଏହି ପରୀକ୍ଷା କରାଯାଇଥିଲା।