ୱାସିଂଟନ: ଆମେରିକା ଭର୍ଜିନିୟା ଷ୍ଟେଟ ୟୁନିଭର୍ସଟିରେ ଶନିବାର ଭୋର ସମୟରେ ହୋଇଥିବା ଗୁଳିକାଣ୍ଡରେ ୫ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣକର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏହି ଗୁଳିକାଣ୍ଡ ୟୁନିଭର୍ସିଟିର କ୍ୱାଡ ଏନେକ୍ସ ନିକଟରେ ହୋଇଛି। ଘଟଣା ପରେ କ୍ୟାମ୍ପସରେ ଲକଡାଉନ ଲଗାଇ ଦିଆଯାଇଥିଲା, ତେବେ ପରେ ହଟାଇ ନିଆଯାଇଛି। ଭର୍ଜିନିୟା ଷ୍ଟେଟ ୟୁନିଭର୍ସିଟି ପୋଲିସ ବିଭାଗ ଅନୁସାରେ ଗୁଳିକାଣ୍ଡ ୟୁନିଭର୍ସିଟିର ରେସିଡେନ୍ସ ହଲ ନିକଟ କ୍ୱାଡ ଆନେକ୍ସ ଅଞ୍ଚଳରେ ହୋଇଛି।

ଗୁଳିକାଣ୍ଡ ଖବର ପାଇ ପୋଲିସ ଅଧିକାରୀ ରାତି ପ୍ରାୟ ଗୋଟାଏ ୨୮ ମିନିଟ୍ ରେ ଭିଏସୟୁ ଷ୍ଟ୍ରିଟ୍ ର ୩୩୦୦ ବ୍ଲକ୍ ନିକଟରେ ପହଞ୍ଚିଥିଲେ। ସେଠାରେ ଆହତ ଅବସ୍ଥାରେ ଥିବା ୫ ଜଣଙ୍କୁ ପୋଲିସ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଛି। ଗୁଳିକାଣ୍ଡ ନେଇ ଭର୍ଜିନିୟା ଷ୍ଟେଟ୍ ୟୁନିଭର୍ସିଟି ଏକ୍ସ ରେ ଏକ ପୋଷ୍ଟ କରିଛି। ଏଥିରେ ଜାରି ଲକଡାଉନ ସମାପ୍ତ ହୋଇଯାଇଥିବା କୁହାଯାଇଛି। ତେବେ ତଦନ୍ତ ସରିବା ପର୍ଯ୍ୟନ୍ତ ପୋଲିସ କ୍ୟାମ୍ପସରେ ରହିବ ବୋଲି କୁହାଯାଇଛି।

ଚେଷ୍ଟରଫିଲ୍ଡ କାଉଣ୍ଟି ପୋଲିସ ଏହି ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଛି। ଏଥିରେ ଭର୍ଜିନିୟା ଷ୍ଟେଟ୍ ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି ଯେ ଯାଞ୍ଚରେ ଭିଏସୟୁ ପୋଲିସ, ଏଟିଏଫ ଓ ହନୋଭର କାଉଁଣ୍ଟି ସେରିଫ କାର୍ଯ୍ୟାଳୟର ସହାୟତା ନିଆଯାଇଛି।