ମୁମ୍ବାଇ: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଭାରତକୁ ଏକ ବଡ଼ ଝଟକା ଲାଗିଛି। ଇରାନରୁ ତୈଳ ନେଇ ଭାରତ ଆସୁଥିବା ଏକ ଜାହାଜ ଅଚାନକ ମଝି ସମୁଦ୍ରରେ ରାସ୍ତା ବଦଳାଇ ଚୀନ୍ ମୁହାଁଇଛି। ଯଦି ଏହି ଟ୍ୟାଙ୍କର ଭାରତ ପହଞ୍ଚିଥାନ୍ତା ତେବେ ପ୍ରାୟ ୭ ବର୍ଷ ପରେ ଇରାନ ତୈଳ ଭାରତକୁ ମିଳିଥାନ୍ତା। ତେବେ ଜାହାଜ ଟ୍ରାକିଂ ଫାର୍ମ କେପଲର ଅନୁସାରେ ଆଫ୍ରାମେକ୍ସ ଟ୍ୟାଙ୍କର ପିଙ୍ଗ ଶୁନ ପ୍ରଥମେ ଗୁଜରାଟର ଭାଡିନାର ଆସୁଥିଲା, ହେଲେ ଏବେ ନିଜର ଗନ୍ତବ୍ୟ ବଦଳାଇ ଚୀନ୍ ର ଡୋଙ୍ଗୟୋଙ୍ଗ କରିଦେଇଛି। ତେବେ ଜାହାଜ ଚୀନ୍ କାହିଁକି ଗଲା ଆସନ୍ତୁ ଜାଣିବା।

ପେମେଣ୍ଟକୁ ନେଇ ଥିଲା ସମସ୍ୟା
ଇରାନ ତୈଳରେ ପୂର୍ବରୁ ଭାରତକୁ ୩୦ରୁ ୬୦ ଦିନର କ୍ରେଡିଟ ମିଳୁଥିଲା। ହେଲେ ଏବେ ବିକ୍ରେତା ତୈଳ ପାଇଁ ଆଡଭାନ୍ସ ମାଗୁଛନ୍ତି ନଚେତ ପେମେଣ୍ଟ ଅନ ଡେଲିଭରୀ ଚାହୁଁଛନ୍ତି।ତେବେ ଏହି ତୈଳର ବିକ୍ରେତା କିଏ ଓ କ୍ରେତା କିଏ ତାହା ଏ ପର୍ଯ୍ୟନ୍ତ ପୁଷ୍ଟି ହୋଇ ପାରିନି। ହେଲେ ପୂର୍ବରୁ ହୋର୍ମୁଜ ଦେଇ ଆସିବା ବେଳେ ଜାହାଜ ନିଜର ଗନ୍ତବ୍ୟ ଗୁଜରାଟର ଭାଡିନାର ପୋର୍ଟ ଅଟୋମେଟିକ୍ ଆଇଡେଣ୍ଟିଫିକେସନ ସିଷ୍ଟମ (ଏଆଇଏସ୍) ରେ ଦେଖାଉଥିଲା।

ଭାଡିନାର ରିଫାଇନାରୀର ଭୂମିକା
ଭାଡିନାରରେ ନାୟରା ଏନର୍ଜୀର ବାର୍ଷିକ ୨୦ ନିୟୁତ ଟନ କ୍ଷମତା ସମ୍ପନ୍ନ ରିଫାଇନାରୀ ରହିଛି। ଏହାକୁ ଋଷିଆର ରୋସନେଫ୍ଟ ସମର୍ଥନ କରୁଛି। ସମ୍ଭବତଃ ଜାହାଜ ଏଠାକୁ ଆସୁଥିଲା। ତେବେ ମଝି ରାସ୍ତାରେ ଜାହାଜ ଗନ୍ତବ୍ୟ ବଦଳାଇବା କିଛି ନୂଆ କଥା ନୁହେଁ, ହେଲେ ଏଥିରୁ ଜଣା ପଡୁଛି ତୈଳ ବ୍ୟବସାୟରେ ପେମେଣ୍ଟକୁ ନେଇ ଏବେ ରିସ୍କ ବଢି ଯାଇଛି।

ପେମେଣ୍ଟ ବିବାଦର ସମାଧାନ ହେଲେ ଭାରତ ଫେରିବ ଜାହାଜ
ଏଭଳି ପରିସ୍ଥିତିରେ ଯଦି ପେମେଣ୍ଟ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଯାଏ ତେବେ କାର୍ଗୋ ପୁଣି ଭାରତ ଫେରିପାରେ। ଏଥିରେ ସିଧାସଳଖ କଥା ହେଉଛି ଯିଏ ଭଲ ପୈଠ କରିବ ଓ ଆଡଭାନ୍ସରେ ଦେବ ଜାହାଜ ତାର ହେବ। ଏଣୁ ଏହି କାର୍ଗୋ ଏବେବି ଭାରତର ଯେ କୌଣସି ରିଫାଇନାରୀକୁ ପହଞ୍ଚିବ ବୋଲି ଆଶା କରାଯାଉଛି। ତେବେ ଭାରତ ତୈଳ ମନ୍ତ୍ରାଳୟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ଇରାନ ତୈଳର ଆମଦାନୀ କେବଳ ବୈଷୟିକ ଓ ବ୍ୟବସାୟିକ ଆଧାରରେ ହେବ।

ଭାରତ-ଇରାନ ତୈଳ ସମ୍ପର୍କର ଇତିହାସ
ତୈଳ ଆମଦାନୀରେ ଭାରତ ଅନେକ ବର୍ଷରୁ ଇରାନର ବଡ଼ ଗ୍ରାହକ ଥିଲା। ଭାରତୀୟ ରିଫାଇନାରୀ ଇରାନରୁ ହେବି ଓ ଲାଇଟ କୃଡ କିଣନ୍ତି। କାରଣ ଏହା ଶସ୍ତା ଓ ପ୍ରୋସେସ କରିବା ବେଶ୍ ସହଜ। ୨୦୧୮ ମସିହାରେ ଆମେରିକାର କଡ଼ା କଟକଣା କାରଣରୁ ଭାରତ ମେ ୨୦୧୯ରୁ ଇରାନରୁ ତୈଳ ଆଣିବା ବନ୍ଦ କରିଦେଇଛି। ସେବେଠାରୁ ଭାରତ ମଧ୍ୟପ୍ରାଚ୍ୟ, ଆମେରିକା ଓ ଅନ୍ୟ ଦେଶରୁ ତୈଳ ଆମଦାନୀ କରୁଛି।

ସମୁଦ୍ରରେ ଭାସୁଛି ୯୫ ମିଲିୟନ ବ୍ୟାରଲ ତେଲ
ଏକ ଅନୁମାନ ଅନୁସାରେ ଏହି ସମୟରେ ୯୫ ମିଲିୟନ ବ୍ୟାରଲ ଇରାନ ତୈଳ ସମୁଦ୍ରରେ ରହିଛି। ଏଥିରୁ ୫୧ ମିଲିୟନ ବ୍ୟାରଲ ଭାରତକୁ ବିକ୍ରି କରାଯାଇ ପାରେ। ବାକି ତୈଳକୁ ଚୀନ୍ ଓ ଦକ୍ଷିଣ ଏସିଆର ଅନ୍ୟ ଦେଶ ନେଇ ପାରନ୍ତି। କେପଲର ରିପୋର୍ଟ ଅନୁସାରେ କେବଳ ‘ପିଙ୍ଗ ଶୁନ’ରେ ୬୦ ଲକ୍ଷ ବ୍ୟାରେଲ ତୈଳ ରହିଛି। ଏହି ତୈଳକୁ ମାର୍ଚ୍ଚ ୪ ତାରିଖରେ ଖାର୍ଗ ଦ୍ୱୀପରୁ ବୋଝେଇ କରାଯାଇଥିଲା। ଏହାର ଇଟିଏ ଏପ୍ରିଲ ୪ ତାରିଖରେ ଭାଡିନାର ନିମନ୍ତେ ଧାର୍ଯ୍ୟ ଥିଲା।

ପେମେଣ୍ଟ ସବୁଠୁ ବଡ଼ ସମସ୍ୟା
ଇରାନ ତୈଳ ବିକ୍ରି ଉପରେ ଆମେରିକାର କଟକଣା ମାସକ ପାଇଁ ହଟିଛି। ହେଲେ ଏଥିରେ ସବୁଠୁ ବଡ଼ ସମସ୍ୟା ପେମେଣ୍ଟ କୁ ନେଇ ରହିଛି। କାରଣ ଇରାନ ‘ସ୍ୱିଫ୍ଟ‘ରେ ନାହିଁ। ଏଣୁ ଇରାନକୁ ଅନ୍ତର୍ଜାତୀୟ ନେଣ ଦେଣ କରିବା କଷ୍ଟକର ହେଉଛି। ପୂର୍ବରୁ ଇରାନ ତୈଳ କ୍ରୟ ପାଇଁ ଭାରତ ତୁର୍କି ବ୍ୟାଙ୍କ ମାଧ୍ୟମରେ ୟୁରୋରେ ପୈଠ କରୁଥିଲା। ହେଲେ ଏବେ ଏହି ଅପସନ ବନ୍ଦ ହୋଇ ଯାଇଛି। ଏଣୁ ଏବେ ଯଦି ଡିଲ ବି ହୁଏ ତେବେ ପେମେଣ୍ଟ କିପରି ପୈଠ ହେବ ତାହା ସବୁଠୁ ବଡ଼ ସମସ୍ୟା ଭାବେ ଦେଖା ଦେଇଛି।

Also Read..ଯୁଦ୍ଧରେ ଥରହର ଇରାନ ଦେଲା ଭାରତକୁ ବିପୁଳ ତେଲ, ଡ୍ରୋନ-କ୍ଷେପଣାସ୍ତ୍ରକୁ ଏଡାଇ ଗୁଜରାଟ ମୁହାଁ ତେଲ ଜାହାଜ