Gulf bridges on Iran's hit list: ଗତକାଲି ଆମେରିକା ଇରାନର କରାଜରେ ଥିବା ଏକ ପ୍ରମୁଖ ବ୍ରିଜକୁ ଟାର୍ଗେଟ୍ କରିବା ପରେ ଇରାନ ଏହାର ପ୍ରତିଶୋଧ ପାଇଁ ପ୍ରସ୍ତୁତ ହୋଇଛି। ତେହରାନ କିଛି ଗଲ୍ଫ ଦେଶର ବ୍ରିଜକୁ ଟାର୍ଗେଟ୍ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି। ଶୁକ୍ରବାର ଏନେଇ ତେହରାନ ଗଣମାଧ୍ୟମରେ ୮ ପ୍ରମୁଖ ଗଲ୍ଫ ବ୍ରିଜର ତାଲିକା ଜାରି କରାଯାଇଛି। ଯେଶାକୁ ତେଶା ନୀତିରେ ଇରାନ ମଧ୍ୟ ପ୍ରମୁଖ ବ୍ରିଜ୍‌କୁ ଟାର୍ଗେଟ୍ କରିପାରେ ବୋଲି ଇରାନୀ ମିଡିଆ କହିଛି।

ଉତ୍ତର ଇରାନୀ ସହରରେ ଥିବା ବି-୧ ବ୍ରିଜକୁ ଆମେରିକା ଏୟାର ଷ୍ଟ୍ରାଇକ୍ କରି ଉଡ଼ାଇବା ପରେ ଇରାନ ଯେଶାକୁ ତେଶା ନୀତି ଆପଣାଇବାକୁ ଚାହୁଁଛି। ଏନେଇ ଇରାନ ସରକାରୀ ସମର୍ଥକ ଖବର ସରବରାହ ସଂସ୍ଥା ଫାର୍ସ ନ୍ୟୁଜ୍ କହିଛି ଯେ ପଡ଼ୋଶୀ ଦେଶଗୁଡ଼ିକର ଏକାଧିକ ପ୍ରମୁଖ ବ୍ରିଜ୍ ବର୍ତ୍ତମାନ ଟାର୍ଗେଟ୍‌ରେ ଅଛି।

ଇରାନ ଆକ୍ରମଣ ପାଇଁ ଘୋଷଣା କରିଥିବା ପ୍ରମୁଖ ବ୍ରିଜ୍ଗୁଡ଼ିକ ମଧ୍ୟରୁ କୁଏତ, ବାହାରନିର ଗୋଟିଏ ଲେଖାଏ ବ୍ରିଜ୍ ରହିଥିବା ବେଳେ ଦୁଇଟି ୟୁନାଇଟେଡ୍ ଆରବ ଏମିରେଟ୍ସ ଏବଂ ୩ଟି ପୋଲ ଜୋର୍ଡାନରେ ରହିଛି।

ପୋଲଗୁଡ଼ିକର ତାଲିକା-

• କୁୱେତରେ ଶେଖ ଜାବେର ଅଲ-ଅହମଦ ଅଲ-ସବାହ ସମୁଦ୍ର ସେତୁ
• ସାଉଦି ଆରବକୁ ବାହାରିନ ସହିତ ସଂଯୋଗ କରୁଥିବା କିଙ୍ଗ ଫାହଦ କଜୱେ
• ସଂଯୁକ୍ତ ଆରବ ଏମିରେଟରେ ଶେଖ ଜାଏଦ ସେତୁ ଏବଂ ଶେଖ ଖଲିଫା ସେତୁ
• ଜୋର୍ଡାନରେ କିଙ୍ଗ ହୁସେନ ସେତୁ, ଡାମିୟାହ ସେତୁ ଏବଂ ଅବଦୁନ ସେତୁ

ଗୁରୁବାର ଆମେରିକା ଓ ଇସ୍ରାଏଲ୍ ଇରାନର ଅଲବୋର୍ଜ ରାଜ୍ୟରେ କରାଜ ସହରରେ ଥିବ ବି-୧ ବ୍ରିଜକୁ ଏୟାର ଷ୍ଟ୍ରାଇକ୍ କରି ଉଡ଼ାଇ ଦେଇଥିଲେ। ଏଥିରେ ୨ ଜଣଙ୍କର ମୃତ୍ୟୁ ବି ହୋଇଥିଲା। ସୋସିଆଲ୍ ମିଡିଆରେ ଏହାର ଭିଡିଓ ଶେୟାର କରାଯାଉଛି।

୧,୦୦୦ ମିଟର ଲମ୍ବ ବିଶିଷ୍ଟ B1 ବ୍ରିଜକୁ ଇରାନର ଗୁରୁତ୍ୱପୂର୍ଣ୍ଣ ଆଧୁନିକ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଏହା ତେହେରାନ ଏବଂ କାରାଜ ମଧ୍ୟରେ ଭିଡ଼ କମ କରିବା ଏବଂ ଦେଶର ଉତ୍ତର ଅଞ୍ଚଳଗୁଡ଼ିକୁ ଯୋଗାଯୋଗ ଉନ୍ନତ କରିବା ପାଇଁ ନିର୍ମିତ କରାଯାଇଥିଲା।

ଏହି ବ୍ରିଜକୁ ଆକ୍ରମଣ କରି ଉଡ଼ାଇବା ପରେ ଡୋନାଲ୍ଡ ଟ୍ରମ୍ପ ସୋସିଆଲ୍ ମିଡିଆରେ ଏହାର ଏକ ଭିଡିଓ ପୋଷ୍ଟ କରି ଇରାନକୁ କଡ଼ା ଚେତାବନୀ ଦେଇଥିଲେ। ସମୟ ପୂର୍ବରୁ ଡିଲ୍ କରି ନିଅ ନହେଲେ ଅବସ୍ଥା ଆହୁରି ଭୟାନକ ହେବ ବୋଲି ଟ୍ରମ୍ପ କହିଥିଲେ।

ଯୁଦ୍ଧରେ ଏପର୍ଯ୍ୟନ୍ତ...

ପରମାଣୁ ଅସ୍ତ୍ର ତିଆରି ବନ୍ଦ କରିବା ପାଇଁ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ସଫଳ ନ ହୋଇପାରିବାରୁ ଇସ୍ରାଏଲ୍ ଓ ଆମେରିକା ଦୁହେଁ ମିଶି ଇରାନ ଉପରେ ଆକ୍ରମଣ କରିଥିଲେ। ଫେବ୍ରୁଆରୀ ୨୮ ତାରିଖରେ ଇସ୍ରାଏଲ୍ ଆଟାକ୍ ଆରମ୍ଭ କରିଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଇରାନ ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲ୍ଲୀ ଖାମେନୀଙ୍କ ସମେତ ଏକାଧିକ ଇରାନ ନେତାଙ୍କ ମୃତ୍ୟୁ ହେଲାଣି। ୧୩୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।

ଏହାର ଜବାବରେ, ତେହେରାନ ଇସ୍ରାଏଲ, ଜୋର୍ଡାନ, ଇରାକ ଏବଂ ଆମେରିକାର ସାମରିକ ସମ୍ପତ୍ତି ଥିବା ଉପସାଗରୀୟ ଦେଶଗୁଡ଼ିକୁ ଟାର୍ଗେଟ କରିଛି। ଇସ୍ରାଏଲ୍ ଉପରେ ମଧ୍ୟ କଡ଼ା ପ୍ରହାର କରିଛି ଇରାନ। ଇରାନର ଏହି ଆକ୍ରମଣରେ ଆମେରିକା ଯବାନ ସମେତ କିଛି ଇସ୍ରାଏଲ୍ ଯାବନଙ୍କ ମୃତ୍ୟୁ ମଧ୍ୟ ହୋଇଛି।