ନୂଆଦିଲ୍ଲୀ ୧୮।୧୦: ଭାରତ ଓ ଚୀନ ମଧ୍ୟରେ ପୁଣି ଥରେ ବିମାନ ସଂଯୋଗ ଆରମ୍ଭ ହେବାକୁ ଯାଉଛି। ଚୀନ୍ ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ୯ ନଭେମ୍ବରରୁ ସାଂଘାଇ ଓ ନୂଆ ଦିଲ୍ଲୀ ମଧ୍ୟରେ ରାଉଣ୍ଡ ଟ୍ରିପ କରିବ। ଏହି ନିଷ୍ପତ୍ତି ଦୁଇ ଦେଶଙ୍କ ମଧ୍ୟରେ ସ୍ୱଭାବିକ ସମ୍ପର୍କ ସ୍ଥାପନା କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମନେ କରାଯାଉଛି। ଏୟାର ଲାଇନ୍ସ ସୂଚନା ଅନୁସାରେ ସାଂଘାଇ ଓ ନୂଆଦିଲ୍ଲୀ ମଧ୍ୟରେ ସବୁ ବୁଧବାର, ଶନିବାର ଓ ରବିବାର ବିମାନ ଚାଲିବ।

ସାଂଘାଇ ପୁଡୋଙ୍ଗ ଏୟାରପୋର୍ଟରୁ ମଧ୍ୟାହ୍ନ ୧୨ଟା ୫୦ ମିନିଟ୍ ରେ ବିମାନ ଉଡାଣ କରି ଅପରାହ୍ନ ୫ଟା ୪୫ ମିନିଟ୍ ରେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବ। ସେହିପରି ଫେରସ୍ତ ଉଡାଣ ନୂଆଦିଲ୍ଲୀରୁ ରାତି ୭ଟା ୫୫ ମିନିଟ୍ ରେ ବାହାରି ତା ପରଦିନ ଭୋର ୪ଟା ୧୦ ମିନିଟ୍ ରେ ସାଂଘାଇର ପୁଡୋଙ୍ଗ ଏୟାରପୋର୍ଟରେ ପହଞ୍ଚିବ। ଏହି ରୁଟରେ ଟିକେଟ୍ ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ ଦୁଇ ଦେଶ ପାଖାପାଖି ୫ ବର୍ଷ ପରେ ସିଧା ଉଡାଣ ସେବା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଗତ ଅଗଷ୍ଟ ମାସରେ ତିଆନଜେନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ବୈଠକ କାଳରେ ହୋଇଥିଲା। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ଆଲୋଚନା ଅବସରରେ ଏ ନେଇ ନିଷ୍ପତ୍ତି ହୋଇଥିଲା।

ଏପଟେ ଇଣ୍ଡିଗୋ ଏୟାରଲାଇନ୍ସ ଅକ୍ଟୋବର ୨୬ରୁ କୋଲକାତା-ଗ୍ୱାଙ୍ଗଝୁ ଦୈନିକ ଉଡାଣ ଆରମ୍ଭ କରିବ ବୋଲି ଘୋଷଣା କରିଛି। ଏହା ଛଡା ଦିଲ୍ଲୀ-ଗ୍ୱାଙ୍ଗଝୁ ରୁଟରେ ଇଣ୍ଡିଗୋ ଖୁବ୍ ଶୀଘ୍ର ଉଡାଣ ଆରମ୍ଭ କରିବା ପାଇଁ ଏବେ ପ୍ରସ୍ତୁତିରେ ଅଛି। ଏହି ଉଡାଣ ସ୍ୱଭାବିକ ହେଲେ ଦୁଇ ଦେଶଙ୍କ ମଧ୍ୟରେ ସିଧା ବିମାନ ଯାତ୍ରା ସମସ୍ୟା ଏବେ ଦୂର ହେବ।