ରାଜ୍ୟର ଅନେକ ସ୍ଥାନରେ ପାରଦ ଉପରମୁହାଁ, ତତଲା କଡେଇରେ ସିଝୁଛି ବିନିକା

Published By : Prameya-News7 Bureau | April 28, 2024 IST

ବିନିକା ୨୮।୪: ସାରା ଓଡ଼ିଶାରେ ବର୍ତ୍ତମାନ ହିଟ୍‌ ୱେଭ୍ ଜାରି ରହିଛି । ରାଜ୍ୟର ବହୁତ ସ୍ଥାନରେ ପାରଦ ଉପରମୁହାଁ ହୋଇଛି । ବିଭିନ୍ନ ସହରରେ ତାପମାତ୍ରା ଆଶାତୀତ ଭାବରେ ବଢ଼ି ଚାଲିଛି । ଏହା ସହିତ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ମଧ୍ୟ ସମାନ ପରିସ୍ଥିତି ଜାରି ରହିଛି । ସକାଳ ୮ଟା ସମୟରୁ ଦେହରୁ ଝାଳ ବୋହିବା ଆରମ୍ଭ ହୋଇଯାଉଛି । ସୂର୍ଯ୍ୟଙ୍କର ପ୍ରଖର କିରଣ ଯୋଗୁଁ ଆକାଶରୁ ଅଗ୍ନି ପିଣ୍ଡୁଳା ପଡ଼ିବା ପରି ଲାଗୁଛି । ବିନିକା ସହର ଆଖପାଖ ଅଞ୍ଚଳର ଜନସାଧାରଣ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ବିନିକା ଉପରେ ନିର୍ଭର କରନ୍ତି । ସେମାନେ ସକାଳୁ ବିନିକା ଆସି ୧୦ଟା ସୁଦ୍ଧା ଘରକୁ ଫେରିବା ପାଇ ଚେଷ୍ଟା କରୁଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ ଲୋକେ ଲସି, ଥଣ୍ଡା ପାନୀୟ, ତରଭୁଜ ଓ ଆଖୁ ରସ ଦୋକାନ ମାନଙ୍କରେ ଭିଡ଼ ଜମାଉଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ସହ ବିଜୁଳିର ଲୁଚକାଳି ଖେଳ ଲୋକଙ୍କ ପାଇଁ ଦୁଃଖର କାରଣ ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି । ସକାଳ ୧୦ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଥିବା ବେଳେ ବେପାର ବାଣିଜ୍ୟ ମଧ୍ୟ ମାନ୍ଦା ଅବସ୍ଥାରେ ଗତି କରୁଛି ।

You Can Read :

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ କାଉନସିଲର

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.