କାମାକ୍ଷାନଗରରେ ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ, କହିଲେ- ୧୦ ବର୍ଷ ବିତିଲା, ହେଲେ ନିଜ ଗାଁ ଲୋକଙ୍କ ମନକୁ ଜିଣିପାରିଲେନି କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | May 13, 2024 IST

କାମାକ୍ଷାନଗର ୧୩।୦୫ : ଢେଙ୍କାନାଳରେ ବିଜେଡିର ମାରାଥନ୍ ପ୍ରଚାର। କାମାକ୍ଷାନଗରରେ ୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବା ପାଇଁ କର୍ମୀ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ବିଜେଡି ନେତା ପାଣ୍ଡିଆନ। ଏହା ସହ ଲୋକଙ୍କୁ କାମର ହିସାବ ଦେଲେ ପାଣ୍ଡିଆନ୍‌ ।

ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରିଛନ୍ତି ଭିକେ ପାଣ୍ଡିଆନ୍‌। ଏହି ସମୟରେ ସେ କହିଛନ୍ତି ଯେ, କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ଆପଣଙ୍କ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ କି ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି କି ? ପିଲାଙ୍କୁ ଛାତ୍ରବୃତ୍ତି ଦେଇଛନ୍ତି କି ? ସ୍କୁଲ, କଲେଜ ଖୋଲିଛନ୍ତି କି, ଦକ୍ଷତା କେନ୍ଦ୍ର ଖୋଲିଲେ କି ? କେନ୍ଦ୍ରମନ୍ତ୍ରୀଙ୍କ ନିଜ ଗାଁ ସ୍କୁଲକୁ ମୁଖ୍ୟମନ୍ତ୍ରୀ 5Tରେ ରୂପାନ୍ତରଣ କରିଛନ୍ତି। ୧୦ ବର୍ଷ ବିତିଲା କିନ୍ତୁ ନିଜ ଗାଁ ଲୋକଙ୍କ ମନକୁ ଜିଣିପାରିଲେ ନାହିଁ। ନିର୍ବାଚନ ମଣ୍ଡଳୀ ବଦଳାଇ ନିଜକୁ ସମ୍ୱଲପୁରକୁ କୋରିଅର କରିଦେଲେ। ଏବେ ସମ୍ବଲପୁରରେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏତେବର୍ଷ ହୋଇଗଲା କଟକ-ସମ୍ୱଲପୁର ଜାତୀୟ ରାଜପଥକୁ ସଜାଡ଼ି ପାରୁନାହାଁନ୍ତି। ଦୁର୍ଘଟଣାରେ ଅନେକ ଜୀବନ ହାନି ହେଉଛି। ପ୍ରତିଦିନ ଆମ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର, ଅଶାଳୀନ ଭାଷାରେ ଗାଳି ଦେଉଛନ୍ତି। ଓଡ଼ିଶାର ସବୁ ବର୍ଗର ଲୋକଙ୍କ ପାଇଁ କାମ କରୁଥିବା ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରିବାକୁ ଆପଣ ସହ୍ୟ କରିପାରିବେ କି ? ଡବଲ ଇଞ୍ଜିନ ସରକାର ଓଡ଼ିଶା ଲୋକଙ୍କୁ ଲଣ୍ଠନ ଦେଖାଉଛନ୍ତି, ମାଗଣାରେ ବିଜୁଳି ଦେବୁ ସୂର୍ଯ୍ୟକିରଣରୁ। ଆସନ୍ତା ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତ କରିବେ ବିଜୁଳି ବିଲ ଛାଡ଼। ଏଥିରେ ଓଡ଼ିଶା ୯୦ ପ୍ରତିଶତ ପରିବାର ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବେ, ଆପଣମାନେ ଖୁସି ତ ?

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.