ଭୁବନେଶ୍ୱର ୧୦।୧୨: ପୋଲିସକୁ ଆକ୍ରମଣ ଘଟଣା । ପୋଲିସର ଆକ୍ସନ । ୪ ମହିଳା ସମେତ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ ।

ପୋଲିସ ପୋଷାକରେ ଥିଲେ ନକଲି ପୋଲିସ । ଚନ୍ଦକା-ଖୋର୍ଦ୍ଧା ରାସ୍ତାର କଣ୍ଟାବାଡ଼ ନିକଟରେ ଆଦାୟ କରୁଥିଲେ ବଟି । ଏସଂପର୍କରେ ଖବର ପାଇ ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସକୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ । ଏପିରିକି କଣ୍ଟାବାଡ଼ ଗାଁର ଏକ ଘର ଭିତରେ ଅଭିଯୁକ୍ତମାନେ ଲୁଚି ଯାଇଥିଲେ ।  ଅଭିଯୁକ୍ତଙ୍କୁ ଧରିବା ପାଇଁ ଘର ଭିତରେ ପଶିଥିଲେ ତିନି ଜଣ ପୋଲିସ କର୍ମଚାରୀ । ହେଲେ ଘର ଭିତରେ ଥିବା ମହିଳା ଓ ଅଭିଯୁକ୍ତମାନେ ପୋଲିସକୁ ପ୍ରବେଶ କରାଇ ନଦେଇ ନିସ୍ତୁକ ମାଡ଼ ମାରିଥିଲେ। ଏପିରିକି ବାହାରେ ଥିବା ପୋଲିସ ଭ୍ୟାନ୍‌କୁ ମଧ୍ୟ ଭଙ୍ଗାରୁଜା କରିଥିଲେ ଅଭିଯୁକ୍ତ । ଘର ଭିତରେ ଥିବା ପୋଲିସଙ୍କ ନିକଟରୁ ମୋବାଇଲ ବି ଚଢାଇ ନେଇଥିଲେ ଅଭିଯୁକ୍ତ ।   

ସେପଟେ ଖବର ପାଇ ୨ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଚନ୍ଦକା ଥାନା ଅଧିକାରୀ ପହଞ୍ଚି ଅଟକ ଥିବା ପୋଲିସ କର୍ମୀଙ୍କୁ ଉଦ୍ଧାର କରିଥିଲେ । ପୋଲିସକୁ ଦେଖି ଅଭିଯୁକ୍ତମାନେ ଟେକା ପଥର ମାଡ଼ କରିଥିଲେ। ଶେଷରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ । ପୋଲିସ ଗୋଟିଏ କାର୍‌ ସହ ୫ଟି ବାଇକ୍‌ ମଧ୍ୟ ଜବତ କରିଥିଲା । ଆଉ ଏବେ ପୋଲିସ ଘଟଣାର ତଦନ୍ତ କରି ୪ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।