ନୂଆଦିଲ୍ଲୀ: ସେୟାର ମାର୍କେଟରେ ହାହାକାର । ପାଣିରେ ପଡ଼ିଲା ନିବେଶକଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କା । କାରବାରର ପ୍ରଥମ ଦିନରେ ଶେୟାର ବଜାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି । କାରବାର ସମୟରେ ସେନସେକ୍ସ ୧୭୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୧,୯୪୭.୫୫ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୪୮୮.୨୦ ପଏଣ୍ଟ କମି ୨୨,୩୩୧.୪୦ ପଏଣ୍ଟରେ ପହଞ୍ଚିଛି।

ସେପଟେ ସୋମବାର ପ୍ରଥମ ଥର ପାଇଁ ଡଲାର ତୁଳନାରେ ଭାରତୀୟ ମୁଦ୍ରା ସର୍ବନିମ୍ନ ୯୫ ଟଙ୍କାକୁ ଖସିଆସିଛି । ମାର୍ଚ୍ଚ ତ୍ରୈମାସିକରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ୪.୪ ପ୍ରତିଶତ ହ୍ରାସ ପାଇଛି। ତେବେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁଁ ଟଙ୍କାର ମୂଲ୍ୟ କମିଛି ।

ଆଜି ସେନସେକ୍ସର ୩୦ଟି ଷ୍ଟକ୍ ମଧ୍ୟରୁ ୨୭ଟିରେ ହ୍ରାସ ଘଟିଛି। ବଜାଜ୍ ଫାଇନାନ୍ସ ସର୍ବାଧିକ ହ୍ରାସ ପାଇଥିବା ବେଳେ ଅଲଟ୍ରାଟେକ୍ ସିମେଣ୍ଟର ଷ୍ଟକ୍ ମଧ୍ୟ ୪.୫ ପ୍ରତିଶତ ହ୍ରାସ ପାଇଛି। SBI, ଇଣ୍ଡିଗୋ, କୋଟାକ୍ ବ୍ୟାଙ୍କ, ବଜାଜ୍ ଫିନସର୍ଭ, ଆକ୍ସିସ୍ ବ୍ୟାଙ୍କ, ଭାରତୀ ଏୟାରଟେଲରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଅନ୍ୟପକ୍ଷରେ, ଟେକ୍ ମହିନ୍ଦ୍ରା ୧.୬୫ ପ୍ରତିଶତ ବୃଦ୍ଧି ପାଇଛି। ପାୱାରଗ୍ରୀଡ୍ ଏବଂ ରିଲାଏନ୍ସ ମଧ୍ୟ ଲାଭ କମାଇଛନ୍ତି।

ଷ୍ଟକ୍ ବଜାର କାହିଁକି ଖସିଲା ?

ପଶ୍ଚିମ ଏସିଆରେ ବଢ଼ୁଥିବା ସଙ୍କଟ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ପୁଣି ଥରେ ବୃଦ୍ଧି ଘଟିଛି। ବ୍ୟାରେଲ ପିଛା ଦାମ ୧୧୫ ଡଲାର ଅତିକ୍ରମ କରିଛି। WTI ଅଶୋଧିତ ତୈଳ ମଧ୍ୟ ୧୦୦ ଡଲାର ଉପରେ କାରବାର କରୁଛି। ଆଜି ଏସୀୟ ବଜାରରେ ଏହି ପ୍ରଭାବ ଦୃଶ୍ୟମାନ ହେଉଛି। ପ୍ରାରମ୍ଭିକ କାରବାରରେ ଜାପାନର ସେୟାର ବଜାର ପ୍ରାୟ ୫ ପ୍ରତିଶତ ହ୍ରାସ ପାଇଛି। ୟୁରୋପରେ, କିଛି ସପ୍ତାହ ମଧ୍ୟରେ ଜେଟ୍ ଇନ୍ଧନ ମୂଲ୍ୟ ୧୦୦ ପ୍ରତିଶତ ବୃଦ୍ଧି ପାଇଛି।

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁଁ ଆଜି ପୁଣି ଥରେ ସେୟାର ବଜାରରେ ଦ୍ରୁତ ହ୍ରାସ ଘଟିଛି। କାରବାର ସମୟରେ ସେନସେକ୍ସ ୧୭୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିବା ବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୨୨,୪୦୦ ପଏଣ୍ଟ ତଳକୁ ଖସିଯାଇଛି । ସେନସେକ୍ସ ଷ୍ଟକ୍ ମଧ୍ୟରେ ବଜାଜ ଫାଇନାନ୍ସ ସବୁଠାରୁ ଅଧିକ କ୍ଷତି ସହିଛି।