ନୂଆଦିଲ୍ଲୀ: ବିଦେଶ ମନ୍ତ୍ରାଳୟ ଗୁରୁବାର ଲିପୁଲେଖ ଓ ନାଥୁଲା ପାସ୍ ରାସ୍ତାରେ ହେବାକୁ ଥିବା ଆଗାମୀ କୈଳାଶ ମାନସରୋବର ଯାତ୍ରା ଲାଗି ୧ ହଜାର ତୀର୍ଥ ଯାତ୍ରୀଙ୍କୁ ଚୟନ କରିଛି। ମିଳୁଥିବା ସୂଚନା ଅନୁସାରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ତୀର୍ଥ ଯାତ୍ରୀଙ୍କ ଚୟନ ନିମନ୍ତେ କମ୍ପ୍ୟୁଟର ଆଧାରିତ ଲଟେରୀରେ ଶ୍ରଦ୍ଧାଳୁ ଚୟନ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟଙ୍କ ଅନୁସାରେ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ ଓ କମ୍ପ୍ୟୁଟର ଆଧାରିତ ଓ ଲିଙ୍ଗଗତ ସନ୍ତୁଳନକୁ ଧ୍ୟାନରେ ରଖି କରାଯାଇଛି। ବଛା ଯାଇଥିବା ୧ ହଜାର ଶ୍ରଦ୍ଧାଳୁଙ୍କୁ ୨୦ଟି ଦଳରେ ବିଭକ୍ତ କରାଯିବ ପ୍ରତ୍ୟେକ ଦଳରେ ୫୦ ଜଣ ତୀର୍ଥ ଯାତ୍ରୀ ରହିବେ।

କୈଳାଶ ମାନସରୋବର ଯାତ୍ରା ଜୁନ ୨୦୨୬ରୁ ଆରମ୍ଭ ହୋଇ ଅଗଷ୍ଟ ମାସ ପର୍ଯ୍ୟନ୍ତ ଚାଲିବ। ଶ୍ରଦ୍ଧାଳୁ ଚୀନ୍ ର ତୀବତ ସ୍ୱାୟତକ୍ଷେତ୍ର ସ୍ଥିତ ପବିତ୍ର କୈଳାଶ ପର୍ବତ ଓ ମାନସରୋବର ଦର୍ଶନ କରିବେ, ଯାହାକୁ ହିନ୍ଦୁ, ଜୈନ ଓ ବୌଦ୍ଧ ଧର୍ମରେ ପବିତ୍ର ମନେ କରାଯାଏ। ବିଦେଶମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ନାଥୁଲା ଓ ଲିପୁଲେଖ ରାସ୍ତା ବାହନ ଯାତାୟାତ ଲାଗି ଏବେ ପୁରା ଉପଯୁକ୍ତ ଅଛି। ଏଣୁ ଥୀର୍ଥ ଯାତ୍ରୀଙ୍କୁ ପାଦଚଲା କମ ପଡିବ।

ଉଲ୍ଲେଖଯୋଗ୍ୟ ଯେ ଯେଉଁ ଶ୍ରଦ୍ଧାଳୁଙ୍କ ଚୟନ ହୋଇଛି ସେମାନଙ୍କୁ ଇ-ମେଲ ଓ ଏସଏମଏସ ମାଧ୍ୟରେ ଜଣାଇ ଦିଆଯାଇଛି। ତେବେ ନିକଟରେ ଲିପୁଲେଖ ରାସ୍ତାରେ ହେଉଥିବା ବାର୍ଷିକ ତୀର୍ଥାଟନକୁ ନେପାଳ ବିରୋଧ କରିଥିଲା। ନେପାଳ ଲିପୁଲେଖ ପାସ୍ କୁ ନିଜ ସୀମା ଅନ୍ତର୍ଗତ ଦାବି କରିଥିଲା। ତେବେ ନେପାଳର ଦାବିକୁ ଭାରତ ସରକାର ଖଣ୍ଡନ କରିଛନ୍ତି ଓ ମାମଲାରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। କୈଳାଶ ମାନସରୋବର ଯାତ୍ରା ୫ ବର୍ଷ ବନ୍ଦ ରହିବା ପରେ ଗତବର୍ଷ ଠାରୁ ଆରମ୍ଭ ହୋଇଛି। ୨୦୨୦ରେ କୋଭିଡ-୧୯ ଓ ପୂର୍ବ ଲଦ୍ଦାଖରେ ଭାରତ-ଚୀନ ସାମରିକ ଉତ୍ତେଜନା ଯୋଗୁ ଯାତ୍ରା ସ୍ଥଗିତ କରିଦିଆଯାଇଥିଲା।