ମୁମ୍ବାଇ: କ୍ରିକେଟର ସ୍ମୃତି ମନ୍ଧାନା ଓ ପଲାଶ ମୁଚାଲଙ୍କ ବାହାଘର ନେଇ ବର୍ତ୍ତମାନ ଫ୍ୟାନଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଛି। ସ୍ମୃତିଙ୍କ ବାପା ଶ୍ରୀନୀବାସ ମନ୍ଧାନା ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଉଭୟଙ୍କ ବାହାଘର ସ୍ଥଗିତ ରହିଛି। ଶ୍ରୀନୀବାସଙ୍କର ହୃଦଘାତ ଜନିତ ଲକ୍ଷଣ ଦେଖାଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସୁଛି। କୁହାଯାଉଛି ସ୍ମୃତିଙ୍କ ଭାବୀ ସ୍ୱାମୀ ପଲାଶ ମୁଚାଲ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନାଥାଉକି, ୨୯ ବର୍ଷୀୟା ସ୍ମୃତି ମନ୍ଧାନା ଏବଂ ୩୦ ବର୍ଷୀୟା ପଲାଶ ମୁଚାଲ ନଭେମ୍ବର ୨୩ ତାରିଖରେ ମହାରାଷ୍ଟ୍ରର ସାଙ୍ଗଲିରେ ବିବାହ କରିଥାନ୍ତେ। ଏଥିପାଇଁ ବିବାହ  ପ୍ରସ୍ତୁତି ମଧ୍ୟ ସରିଥିଲା। ହେ​‌ଲେ ହଠାତ୍ ସ୍ୱାସ୍ଥ୍ୟଗତ ଜରୁରୀ ପରିସ୍ଥିତି ଦର୍ଶାଇ ବାହାଘରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ଉଭୟ ପରିବାର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିଲା। ହୃଦଘାତର ଲକ୍ଷଣ ଦେଖାଦେବା ପରେ ମନ୍ଧାନାଙ୍କ ବାପା ଶ୍ରୀନିବାସ ମନ୍ଧାନାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାର ୨୪ ଘଣ୍ଟା ମଧ୍ୟରେ, ପଲାଶ ମୁଚାଲଙ୍କୁ ମଧ୍ୟ ସହରର ଏକ ହସ୍ପିଟାଲକୁ ନିଆଯାଇଥିଲା। ରିପୋର୍ଟ ଅନୁଯାୟୀ ହଠାତ୍ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପରେ ମୁମ୍ବାଇର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ଏପଟେ ମଙ୍ଗଳବାର ପଲାସଙ୍କ ଭଉଣୀ ଗାୟିକା ପଲକ ମୁଚାଲଙ୍କୁ ମୁମ୍ବାଇର ଏସଆରଭି ନାମକ ଏକ ହସ୍ପିଟାଲ ଦେଖିବାକୁ ମିଳିଥିଲା। ଭାଇ ପଲାସ ସେଠାରେ ଚିକିତ୍ସିତ ହେଉଥିବା ସନ୍ଦେହ କରାଯାଉଛି। ତେବେ ପୂରା ଘଟଣା କ’ଣ ? ସେନେଇ ଉଭୟ ପରିବାର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। 

ଫଟୋ ଡିଲିଟ୍ କଲେ ସ୍ମୃତି ମନ୍ଧାନା

ଏସବୁ ଭିତରେ ଆଉ ଏକ ଘଟଣା ହେଉଛି, ସ୍ମୃତି ମନ୍ଧାନ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରୁ ବିବାହ ଉତ୍ସବର ସମସ୍ତ ଫୋଟ ଡିଲିଟ୍ କରିଦେଇଛନ୍ତି। ତାଙ୍କର ଏହି ଫଟୋ ଡିଲିଟ୍ କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଯଦି ବାପାଙ୍କ ଦେହ ଖରାପ ଥିଲା ତେବେ ବାହାଘର ଫଟୋ ଡିଲିଟ୍ କରିବାର କ’ଣ ଆବଶ୍ୟକତା ଥିଲା ? ଘଟଣା ଆଉ କିଛି ଘଟିଥାଇପାରେ ବୋଲି ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି।

ଭାଇରାଲ ହେଉଛି ପଲାଶଙ୍କ ସହ ମହିଳାଙ୍କ ଚାଟ୍‌

ସେପଟେ ମଙ୍ଗଳବାର ସକାଳେ ପଲାଶ ମୁଚାଲ ଓ ଜଣେ ମହିଳାଙ୍କ ମଧ୍ୟରେ ହୋଇଥିବା କଥିତ ଚାଟ୍‌ର ସ୍କ୍ରିନଶଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯାହା ସନ୍ଦେହକୁ ଆହୁରି ଦ୍ୱିଗୁଣିତ କରିଛି। ଭାଇରାଲ ହେଉଥିବା ଏହି ସ୍କ୍ରିନଶଟ୍ ପ୍ରଥମେ ମ୍ୟାରୀ ଡି'କୋଷ୍ଟା ନାମକ ଜଣେ ଇନଷ୍ଟାଗ୍ରାମ୍ ୟୁଜର ଶେୟାର ହୋଇଥିଲା ଏବଂ ପରେ ଏହାକୁ ରେଡିଟ୍‌ରେ ଶେୟାର କରାଯାଇଥିଲା। ହେଲେ ସ୍କ୍ରିନଶଟ୍ ପୋଷ୍ଟ କରିଥିବା ମେରି ଡି କୋଷ୍ଟାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ବର୍ତ୍ତମାନ ଡିଆକ୍ଟିଭେଟ୍ ହୋଇଯାଇଛି। ଭାଇରାଲ୍ ପୋଷ୍ଟକୁ ନେଇ ଫ୍ୟାନମାନେ ନାନା ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ପଲାଶ ସ୍ମୃତିଙ୍କୁ ଧୋକା ଦେଇଛନ୍ତି ବୋଲି ନେଟିଜେନ୍ସମାନେ କହିବା ଆରମ୍ଭ କରିଦେଲେଣି।

ମେ ୨୦୨୫ ତାରିଖରେ କରାଯାଇଥିବା ମେସେଜଗୁଡ଼ିକରେ ମୁଚଲ ମହିଳାଙ୍କୁ ସ୍ୱିମିଂ କରିବାକୁ ନିମନ୍ତ୍ରଣ ଦେଉଥିବା ଚାଟ୍‌ରୁ ଜଣାପଡ଼ୁଛି। ଆହୁରି ମଧ୍ୟ ଚାଟ୍‌ରେ 'ମେରି ଡି'କୋଷ୍ଟା' ପଲାଶଙ୍କୁ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ପଚାରୁଛନ୍ତି, ହେଲେ ପଲାଶ ଏହାକୁ ଏଡ଼ାଇ ଯାଉଥିବା ଜଣାପଡ଼ୁଛି। ଏସବୁ ସତ୍ତ୍ୱେ ବି ପଲାଶ ମହିଳାଙ୍କୁ ଦେଖା କରିବାକୁ ପ୍ରବର୍ତ୍ତାଉଥିବା ଜଣାପଡ଼ିଛି। ତେବେ ଏ ସ୍କ୍ରିନଶଟ୍‌ ସତ ନା ଫେକ୍ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଆଜିର ଏଆଇ ଫେକ୍ ଯୁଗରେ ଯଦିଓ ଏଭଳି ସ୍କ୍ରିନଶଟ୍‌କୁ ବିଶ୍ୱାସ କରାଯାଇନପାରେ, ତେବେ ଏହାକୁ ନେଇ ସୋସିଆଲ୍ ମିଡିଆରେ ନାନା ପ୍ରତିକ୍ରିୟା ଦେଖିବାକୁ ମିଳୁଛି। କିଛି ଯୁଜର ଏନେଇ ପଲାଶଙ୍କୁ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପଲାଶ ସ୍ମୃତିଙ୍କୁ ଧୋକା ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି। ସେହିପରି ଆଉ କିଛି ଏହାକୁ ଏକ ଫେକ୍ ସ୍କ୍ରିନଶଟ ଏହା ଉପରେ ବିଶ୍ୱାସ କରାଯାଇପାରେନା ବୋଲି କହିଛନ୍ତି।