ନୂଆଦିଲ୍ଲୀ: ଲକ୍ଷ୍ନୌର ଗୋମତୀ ନଗର ଅଞ୍ଚଳରେ ଜଣେ ଏସବିଆଇ (SBI) କର୍ମଚାରୀ ନିଜ ସ୍ତ୍ରୀ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତ ମାନସ ବାଜପେୟୀ , ସ୍ତ୍ରୀ ଦିବ୍ୟା ମିଶ୍ର (ଆଇସିଆଇସିଆଇ ବ୍ୟାଙ୍କ କର୍ମଚାରୀ), ଏବଂ ଭଉଣୀ ଶିବା ବାଜପେୟୀ (ମାନସିକ ରୋଗୀ) ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ମାନସ ଗୋମତୀ ନଗରସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଶାଖା ବାହାରକୁ ସ୍ତ୍ରୀ ଦିବ୍ୟାଙ୍କୁ ଡାକି କିଛି ସମୟ କଥାବାର୍ତ୍ତା ହେବା ପରେ ନିକଟରୁ ଗୁଳି କରି ଫେରାର ହୋଇଯାଇଥିଲେ। ଦିବ୍ୟାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ବ୍ୟାଙ୍କ ବାହାରେ ସ୍ତ୍ରୀଙ୍କୁ ଗୁଳି କରିବା ପରେ ମାନସ ଘରକୁ ଫେରି ମାନସିକ ରୋଗୀ ଭଉଣୀ ଶିବାଙ୍କୁ ଗୁଳି କରିଥିଲେ ଏବଂ ପରେ ନିଜେ ଆତ୍ମହତ୍ୟା କରିଥିଲେ।

ମାନସ ଏବଂ ଦିବ୍ୟା ୧୨ ବର୍ଷ ପୂର୍ବରୁ ବିବାହ କରିଥିଲେ । ହେଲେ ବିବାଦ କାରଣରୁ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଦୁହେଁ ଅଲଗା ରହୁଥିଲେ। ଦିବ୍ୟା ଗତବର୍ଷ କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ। ସେପଟେ ଦିବ୍ୟା ପ୍ରତାରଣା କରିଥିବା ନେଇ ମାନସ ଅଭିଯୋଗ କରିଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ମାନସ ହ୍ୱାଟ୍ସଆପ୍ ଷ୍ଟାଟସରେ ଲେଖିଥିଲେ ଯେ, ସେ ପ୍ରତାରଣା କରିଥିବା ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ଏବଂ ଏବେ ନିଜେ, ନିଜ ଭଉଣୀ ଓ ସ୍ତ୍ରୀଙ୍କ ଭଉଣୀ ପ୍ରଜ୍ଞାଙ୍କୁ ଶେଷ କରିଦେବେ।

ପଡ଼ୋଶୀଙ୍କ କହିବା ଅନୁଯାୟୀ, ମାନସ ମଧ୍ୟାହ୍ନ ପ୍ରାୟ ୧୨:୩୦ରେ ତରବରିଆ ଭାବରେ ଘରକୁ ଫେରି ହନୁମାନ ଚାଳିଶା ବଜାଇଥିଲେ। ପରେ ହ୍ୱାଟ୍ସଆପ୍ ଷ୍ଟାଟସ୍ ଦେଖି ପଡ଼ୋଶୀ ଘର ଭିତରକୁ ଯିବାରୁ ମାନସଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣା ସମ୍ପର୍କରେ ଦିବ୍ୟାଙ୍କ ଭଉଣୀ ପ୍ରଜ୍ଞା ମିଶ୍ର ସୋସିଆଲ ମିଡିଆରେ ପୋଷ୍ଟ କରି ଉତ୍ତର ପ୍ରଦେଶ ପୋଲିସର ସାହାଯ୍ୟ ଲୋଡ଼ିଥିଲେ। ପୋଲିସ ବର୍ତ୍ତମାନ ଏହି ସମ୍ବେଦନଶୀଳ ମାମଲାର ଅଧିକ ତଦନ୍ତ ଚଳାଇଛି।