ନୂଆଦିଲ୍ଲୀ : ହଜ୍ ଯାତ୍ରାକୁ ଆହୁରି ସୁବ୍ୟବସ୍ଥିତ ଓ ଡିଜିଟାଲ୍ କରିବା ଦିଗରେ ସାଉଦି ଆରବ ନେଇଛି ଏକ ବଡ଼ ପଦକ୍ଷେପ। ୨୦୨୭ ହଜ୍ ଯାତ୍ରା ପାଇଁ ବିଦେଶୀ ତୀର୍ଥଯାତ୍ରୀଙ୍କ ନିମନ୍ତେ ‘ଅଲ୍-ଇନ୍-ୱାନ୍’ ପ୍ୟାକେଜ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏଥିରେ ହଜ୍ ଯାତ୍ରା ସମୟର ଆବଶ୍ୟକୀୟ ସେବାଗୁଡ଼ିକୁ ଗୋଟିଏ ଇଣ୍ଟିଗ୍ରେଟେଡ୍ ପ୍ୟାକେଜରେ ମିଳିବ ।

ଅଲ୍-ଇନ୍-ୱାନ୍ ପ୍ୟାକେଜରେ କ’ଣ ରହିବ?

ସାଉଦିର ଅଧିକାରିକ ‘ନୁସୁକ୍ ହଜ୍’ ପ୍ଲାଟଫର୍ମ ଅନୁସାରେ ଅଲ୍-ଇନକ୍ଲୁସିଭ୍ ପ୍ୟାକେଜ୍ରେ ଭିସା ଇସ୍ୟୁ, ଫ୍ଲାଇଟ୍, ମକ୍କା ଓ ମଦିନାରେ ରହିବା ବ୍ୟବସ୍ଥା, ଖାଦ୍ୟ, ସହରଗୁଡ଼ିକ ମଧ୍ୟରେ ପରିବହନ, ମଶାଇର୍ ସେବା ଏବଂ ଗାଇଡ୍ ସେବା ଭଳି ସୁବିଧା ସାମିଲ ରହିପାରେ । ଅର୍ଥାତ୍ ଯାତ୍ରୀଙ୍କୁ ଅଲଗା ଅଲଗା ସେବା ପାଇଁ ଅନେକ ପ୍ରକ୍ରିୟା କରିବା ପରିବର୍ତ୍ତେ ଗୋଟିଏ ପ୍ୟାକେଜ୍ ମାଧ୍ୟମରେ ଯାତ୍ରା ଯୋଜନା କରିବାର ସୁବିଧା ମିଳିବ।

ଭାରତୀୟ ମୁସଲିମଙ୍କୁ କେତେ ଲାଭ ?

ଭାରତରୁ ହଜ୍ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏଭଳି ଡିଜିଟାଲ୍ ବ୍ୟବସ୍ଥାର ମୁଖ୍ୟ ସୁବିଧା ହେଉଛି ଯାତ୍ରାର ବିଭିନ୍ନ ସେବାକୁ ଗୋଟିଏ ପ୍ଲାଟଫର୍ମରେ ଦେଖିବା, ପ୍ୟାକେଜ୍ ତୁଳନା କରିବା ଏବଂ ଉପଲବ୍ଧ ବିକଳ୍ପ ଅନୁଯାୟୀ ଚୟନ କରିବାର ସୁବିଧା। ‘ନୁସୁକ୍ ହଜ୍’ରେ ପ୍ୟାକେଜ୍ ଖୋଜିବା, ତୁଳନା କରିବା, ପସନ୍ଦ ସଂରକ୍ଷଣ କରିବା ଏବଂ ଅନୁମୋଦିତ ସେବା ପ୍ରଦାନକାରୀଙ୍କ ମାଧ୍ୟମରେ ବୁକିଂ କରିବାର ଡିଜିଟାଲ୍ ବ୍ୟବସ୍ଥା ରହିଛି।

ସାଉଦିର ‘ନୁସୁକ୍ ହଜ୍’ ପ୍ଲାଟଫର୍ମରେ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଦେଶକୁ ଟାର୍ଗେଟ୍ କରାଯାଏ। ବର୍ତ୍ତମାନ ଉପଲବ୍ଧ ୧୪୪୭ ହିଜରୀ/୨୦୨୬ ତାଲିକାରେ ଭାରତର ନାମ ଦେଖାଯାଉନାହିଁ। ତେଣୁ ଏହି ଡାଇରେକ୍ଟ ନୁସୁକ୍ ପ୍ୟାକେଜ୍କୁ ଭାରତୀୟ ହଜ୍ ଯାତ୍ରୀଙ୍କ ପାଇଁ ନିଶ୍ଚିତ ଭାବେ ଲାଗୁ ହୋଇଛି କି ନାହିଁ ତାହା ଜଣାନାହିଁ। ଭାରତୀୟ ଯାତ୍ରୀଙ୍କ ହଜ୍ ବ୍ୟବସ୍ଥା ପାଇଁ ଭାରତ ସରକାର ଓ ସାଉଦି ଆରବ ମଧ୍ୟରେ ପ୍ରତିବର୍ଷ ହଜ୍ ସମ୍ପର୍କିତ ଚୁକ୍ତି ହୁଏ। ୨୦୨୬ ହଜ୍ ନୀତି ଅନୁସାରେ ଭାରତକୁ ମିଳୁଥିବା ହଜ୍ କୋଟାର ୭୦ ପ୍ରତିଶତ ହଜ୍ କମିଟି ଅଫ୍ ଇଣ୍ଡିଆ ଏବଂ ୩୦ ପ୍ରତିଶତ ହଜ୍ ଗ୍ରୁପ୍ ଅର୍ଗାନାଇଜର୍ସ ମାଧ୍ୟମରେ ବଣ୍ଟନ କରାଯାଇଥିଲା। ତେବେ ସାଉଦିର ନୂଆ ବ୍ୟବସ୍ଥାରେ ଯାତ୍ରୀମାନେ ଅନଲାଇନ୍ରେ ପ୍ୟାକେଜ୍ ଦେଖିବା, ନିଜ ପସନ୍ଦ ଅନୁଯାୟୀ ବିକଳ୍ପ ବାଛିବା ଏବଂ ଯାତ୍ରା ସମ୍ପର୍କିତ ତଥ୍ୟ ଟ୍ରାକ୍ କରିବାର ସୁବିଧା ପାଇପାରିବେ।କିନ୍ତୁ ଭାରତୀୟ ଯାତ୍ରୀଙ୍କ ପାଇଁ ଏହା କେବେ ଏବଂ କେଉଁ ରୂପରେ ଲାଗୁ ହେବ, ସେନେଇ ଭାରତ-ସାଉଦି ହଜ୍ ବ୍ୟବସ୍ଥା ଓ ଆଗାମୀ ଅଫିସିଆଲ ନୋଟିସକୁ ଅପେକ୍ଷା କରିବାକୁ ପଡ଼ିବ।