ଭୁବନେଶ୍ୱର ୦୪।୧୧ : ଓଡ଼ିଶା ପାଇଁ ଗୌରବର ଖବର । ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନର ନୂତନ ଜାତୀୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ସଂସ୍କୃତ ଶିକ୍ଷାବିତ୍ ପ୍ରଫେସର ଅରୁଣ ରଞ୍ଜନ ମିଶ୍ର । ଖୋର୍ଦ୍ଧାର ସ୍ଥାୟୀ ବାସିନ୍ଦା ପ୍ରଫେସର ମିଶ୍ର ଏହି ମର୍ଯ୍ୟାଦାଜନକ ଅନୁଷ୍ଠାନର ସଭାପତି ହେବାରେ ଦ୍ୱିତୀୟ ଓଡ଼ିଆ । ଏହା ପୂର୍ବରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଦାୟିତ୍ୱ ତୁଲାଇଥିଲେ ।

୧୯୧୭ ମସିହାରୁ ଭାରତୀୟ ଜ୍ଞାନ ପରମ୍ପରାର ବିଭିନ୍ନ ଶାଖାରେ ଅଧ୍ୟୟନ, ଗବେଷଣା ଓ ପ୍ରସାର ପାଇଁ କାର୍ଯ୍ୟ କରିଆସୁଛି ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନ । ଏହାର ୫୨ତମ ଅଧିବେଶନ ହରିଦ୍ୱାରସ୍ଥିତ ପତଞ୍ଜଳି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ଓ ବିଦେଶର ପ୍ରାୟ ଦୁଇ ହଜାର ଅଧ୍ୟାପକ ଓ ଗବେଷକ ଯୋଗଦେଇ ୩୦ରୁ ଅଧିକ ଜ୍ଞାନଧାରା ଉପରେ ଆଲୋଚନା କରିବା ସହ ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ କରିଥିଲେ ।

Also Read:-ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ଖୋଲିଲା ବାଲେଶ୍ୱରର କୁଳଡିହା ଅଭୟାରଣ୍ୟ

ଏହି ସମ୍ମେଳନରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର କୁଳପତି ସ୍ୱାମୀ ରାମଦେବ, ସଂଚାଳକ ସ୍ୱାମୀ ବାଳକୃଷ୍ଣ, କେନ୍ଦ୍ରୀୟ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଏନ୍.ପି. ସିଂଙ୍କ ସମେତ ବହୁ ବିଶିଷ୍ଟ ଶିକ୍ଷାବିତ୍ ଓ ବିଶ୍ୱବିଦ୍ୟାଳୟର କୁଳପତି ଯୋଗ ଦେଇଥିଲେ । ଦ୍ୱିସ୍ତରୀୟ ନିର୍ବାଚନ ପ୍ରକ୍ରିୟାରେ ଆସନ୍ତା ଦୁଇ ବର୍ଷ ପାଇଁ ଜାତୀୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପ୍ରଫେସର ଅରୁଣ ରଞ୍ଜନ ମିଶ୍ର । ସେ ବର୍ତ୍ତମାନର ସଭାପତି ତଥା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ପ୍ରଫେସର ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗର ପୁରାତନ ଛାତ୍ର । ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ପ୍ରାୟ ୧୯ ବର୍ଷ ଅଧ୍ୟାପନା କରିବା ପରେ ସେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନର ସଂସ୍କୃତ ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ୨୦୨୩ ମସିହାରେ ତାଙ୍କ କାବ୍ୟଗ୍ରନ୍ଥ ‘ଶୂନ୍ୟେ ମେଘଗାନ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ଇଂରାଜୀ, ଓଡ଼ିଆ ଓ ସଂସ୍କୃତ ଭାଷାରେ ୪୦ଟି ପୁସ୍ତକ ରଚନା କରିଥିବା ପ୍ରଫେସର ମିଶ୍ର ଇଂରାଜୀରେ ପ୍ରାୟ ୧୫୦ଟି ଗବେଷଣାତ୍ମକ ପ୍ରବନ୍ଧ ମଧ୍ୟ ଲେଖିଛନ୍ତି । ନୂତନ ଦାୟିତ୍ୱ ଗ୍ରହଣ କରି ସେ ସମ୍ମେଳନର ସଦସ୍ୟମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଭାରତୀୟ ଜ୍ଞାନ ପରମ୍ପରାର ପୁନରୁତ୍ଥାନ ଓ ପ୍ରସାର ପାଇଁ ସମସ୍ତ ରାଜ୍ୟର ପ୍ରାଚ୍ୟବିଦ୍ୟା ଗବେଷକଙ୍କ ସହଯୋଗ କାମନା କରିଛନ୍ତି । ଏହି ନିଯୁକ୍ତି ଓଡ଼ିଶାର ଶିକ୍ଷା, ସଂସ୍କୃତ ଭାଷା ଏବଂ ଭାରତୀୟ ଜ୍ଞାନ ପରମ୍ପରାର ଗବେଷଣା କ୍ଷେତ୍ର ପାଇଁ ଏକ ଗୌରବମୟ ଉପଲବ୍ଧି ।