ବ୍ରହ୍ମପୁର: ମୃତଦେହଟିଏ ଦେଖିଲେ ସାଧାରଣ ଲୋକଙ୍କ ଛାତି ଧଡ଼ଧଡ଼ ହୁଏ। ପୁଲିସ କର୍ମଚାରୀଙ୍କ ପାଇଁ ଶବ ଦେଖିବା ଦେହସୁହା ହୋଇଥିଲେ ମଧ୍ୟ, ଯେତେବେଳେ ରେଳଧାରଣାରେ ଦୁର୍ଘଟଣା ବା ଆତ୍ମହତ୍ୟା ଜନିତ ଖଣ୍ଡବିଖଣ୍ଡିତ କିମ୍ବା ବିକୃତ ଶବ ମିଳେ, ସେତେବେଳେ ସେମାନେ ବି ତାକୁ ଛୁଇଁବାକୁ ବା ଉଠାଇବାକୁ ପଛଘୁଞ୍ଚା ଦିଅନ୍ତି। ଆଉ ସେହିଭଳି ଜଟିଳ ପରିସ୍ଥିତିରେ ସମସ୍ତଙ୍କର ମନେପଡ଼ନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ସଞ୍ଜୟ।

୧. କିଏ ଏହି ସଞ୍ଜୟ?

ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଟିପ ସାହିର ବାସିନ୍ଦା ସଞ୍ଜୟ ନାୟକ (୪୪ ବର୍ଷ)। ତାଙ୍କ ବାପା ଗୋପାଳ ନାୟକ ମ୍ୟୁନିସିପାଲିଟିର ଜଣେ ଅବସରପ୍ରାପ୍ତ କର୍ମଚାରୀ।

ସଞ୍ଜୟ ବିବାହିତ ଏବଂ ତାଙ୍କର ଦୁଇଟି ପୁଅ ଅଛନ୍ତି। ସେମାନେ ୩ ଭାଇ ଓ ୫ ଭଉଣୀ । ସଞ୍ଜୟଙ୍କ ସମେତ ପରିବାରର ଅନ୍ୟ ସମସ୍ତ ସଦସ୍ୟ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି।

୨. ୧୦ ବର୍ଷରେ ୧୦୦୦ରୁ ଅଧିକ ଶବ ଉଦ୍ଧାର

ସଞ୍ଜୟ ଗତ ୧୦ ବର୍ଷ ହେଲାଣି ଦିନ ହେଉ ବା ରାତି, ଯେତେବେଳେ ବି ଡକରା ଆସେ, ପୁଲିସକୁ ଶବ ଉଦ୍ଧାର କାର୍ଯ୍ୟରେ ସହାୟତା କରିଆସୁଛନ୍ତି।

ସଂଖ୍ୟା ସଠିକ୍ ଭାବେ ମନେ ନଥିଲେ ମଧ୍ୟ ଏହି ୧୦ ବର୍ଷ ଭିତରେ ସେ ପ୍ରାୟ ୧,୦୦୦ରୁ ଅଧିକ ମୃତଦେହ ଉଠାଇ ସାରିଥିବା କହନ୍ତି।

କେବଳ ରେଳବାଇ ପୁଲିସ (GRP) ନୁହେଁ, ବ୍ରହ୍ମପୁର ସହରର ପ୍ରାୟ ଅଧିକାଂଶ ପୁଲିସ ଥାନାରୁ କୌଣସି ଶବ ଉଦ୍ଧାର ପାଇଁ ତାଙ୍କ ପାଖକୁ ତୁରନ୍ତ ଡକରା ଆସେ। ଏହାବାଦ୍ ଅପରିଚିତ କିମ୍ବା ବେୱାରିସ୍ ଶବର ସଂସ୍କାର କରିବାରେ ମଧ୍ୟ ସେ ସକ୍ରିୟ ଭୂମିକା ଗ୍ରହଣ କରନ୍ତି।

୩. କେମିତି ଆରମ୍ଭ ହୋଇଥିଲା ଏହି ଯାତ୍ରା?

"ମଣିଷ ଶବକୁ ମଣିଷ କାହିଁକି ବୋହି ପାରିବନି?" – ସଞ୍ଜୟ ନାୟକ

ପ୍ରଥମ ଅନୁଭବ (୨୦୧୫-୧୬ ମସିହା):ଜଣେ ପରିଚିତ ଆମ୍ବୁଲାନ୍ସ ଡ୍ରାଇଭର ସଞ୍ଜୟଙ୍କୁ ଏମ୍କେସିଜି (MKCG) ମେଡିକାଲ କଲେଜର ଏଫ୍ଏମ୍ଟି (FMT) ବିଭାଗକୁ ଗୋଟିଏ ଶବ ଆଣିବା ପାଇଁ ସାହାଯ୍ୟ ମାଗିଥିଲେ। ସଞ୍ଜୟ ବିନା ଦ୍ୱିଧାରେ ତୁରନ୍ତ ଆମ୍ବୁଲାନ୍ସରେ ବସି ପଳାଇଥିଲେ।

ପ୍ରଥମେ ବ୍ରହ୍ମପୁର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମ ନିକଟରେ ଏକ ଖଣ୍ଡବିଖଣ୍ଡିତ ଶବ ଦେଖି ସଞ୍ଜୟଙ୍କୁ ସାମାନ୍ୟ ଭୟ ଲାଗିଥିଲା, କିନ୍ତୁ ସେ ସାହସ ସଞ୍ଚୟ କରି ତାକୁ ଆମ୍ବୁଲାନ୍ସରେ ରଖିଥିଲେ। କିଛିଦିନ ଏଭଳି କାମ କରିବା ପରେ ତାଙ୍କ ମନରୁ ଭୟ ସମ୍ପୂର୍ଣ୍ଣ ଦୂର ହୋଇଯାଇଥିଲା।

୪. ପରିବାରର ସମର୍ଥନ

ସେ ଏଭଳି କାମ କରୁଥିବାରୁ ପ୍ରଥମେ ପ୍ରଥମେ ତାଙ୍କ ପତ୍ନୀଙ୍କର ଏହା ପସନ୍ଦ ନଥିଲା ଏବଂ ସେ ଅସନ୍ତୋଷ ପ୍ରକାଶ କରୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟର ମହତ୍ତ୍ୱ ଏବଂ ମାନବିକତାକୁ ବୁଝି ସେ ସଞ୍ଜୟଙ୍କୁ ସମର୍ଥନ କରିଥିଲେ।

ଆଜି ବ୍ରହ୍ମପୁର ପୁଲିସ ପ୍ରଶାସନ ପାଇଁ ସଞ୍ଜୟ ଜଣେ ଅପରିହାର୍ଯ୍ୟ ସହଯୋଗୀ ପାଲଟିଛନ୍ତି, କାରଣ ସେ ଗଲେ ହିଁ ଅନେକ ଜଟିଳ ସ୍ଥାନରୁ ଶବ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିଥାଏ।