ବିବାଦ ମଧ୍ୟରେ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା, ଛାଡ଼ିଲେ ଇଣ୍ଡିଆନ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦ

Published By : Prameya-News7 Bureau | May 08, 2024 IST

ନୂଆଦିଲ୍ଲୀ: ଇଣ୍ଡିଆନ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ସାମ୍‌ ପିଟ୍ରୋଡା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପାର୍ଟୀ ମହାସଚିବ ଜୟରାମ ରମେଶ କହିଛନ୍ତି ପାର୍ଟୀ ନେତୃତ୍ବ ପିଟ୍ରୋଡାଙ୍କ ଇସ୍ତଫା ସ୍ବୀକାର କରିଛନ୍ତି। ପ୍ରକୃତରେ ଗତକାଲି ପିଟ୍ରୋଡାଙ୍କ ବର୍ଣବୈଷମ୍ୟକୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ ଦେଖାଦେଇଥିଲା। ଏମିତିରେ ତ’ ଇନ୍ଦିରାଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଡା. ମନମୋହନ ସିଂହଙ୍କ ପରାମର୍ଶଦାତା ରହିସାରିଥିବା ସାମ୍‌ ପିଟ୍ରୋଡା ନିଜ ଉତ୍ତରଧିକା ବୟାନକୁ ନେଇ ଚର୍ଚ୍ଚାରେ ରହିଥିଲେ। ଆଉ ରଙ୍ଗକୁ ନେଇ ବୟାନ ପରେ ରାଜନୀତି ଆହୁରି ତୀବ୍ର ହୋଇଥିଲା। ଅବଶ୍ୟ କଂଗ୍ରେସ, ପିଟ୍ରୋଡାଙ୍କ ବୟାନରୁ ନିଜକୁ ଦୂରେଇ ରଖିଥିଲା। 

ସୂଚନାଯୋଗ୍ୟ, ‘ଦ ଷ୍ଟେଟ୍ସମ୍ୟାନ’କୁ ଏକ ସାକ୍ଷାତକାରରେ ସାମ ପିଟ୍ରୋଡା ଦେଶର ବିବିଧତାକୁ ଏକ ଲୋକତାନ୍ତ୍ରିକ ଉଦାହରଣ ଦେଇ କହିଥିଲେ ‘‘ଆମେ ବିବିଧତାରେ ଏକତା ବଜାୟ ରଖିପାରୁଛୁ, ଯେପରି ଆଜି ଯାଏ ଅଛୁ । ଗତ ୭୫ ବର୍ଷରେ ଆମେ ଏକ ଭଲ ମାହୋଲ ସୃଷ୍ଟି କରିଛୁ, ଯେଉଁଠି ସମସ୍ତେ ରହିପାରିବେ । ସେ କହିଛନ୍ତି, ଆମେ ଭାରତ ପରି ବିବିଧତା ଥିବା ଦେଶକୁ ଏକ କରି ରଖିପାରିବା । ପୂର୍ବ ଭାରତର ଲୋକ ଚୀନ ଲୋକ ପରି ଦେଖାଯାଆନ୍ତି । ପଶ୍ଚିମ ଲୋକ ଅରବ ପରି ଏବଂ ଉତ୍ତରର ଲୋକ ଗୋରା ଏବଂ ଦକ୍ଷିଣ ଭାରତୀୟ ଅଫ୍ରିକୀୟଙ୍କ ପରି ଦେଖାଯାଆନ୍ତି । ଏହା ଗୁରୁତ୍ୱ ରଖେ ନାହିଁ । ଆମେ ସମସ୍ତେ ଏକ ଏବଂ ଭାଇ-ଭଉଣୀ ।’’

ଆହୁରି ପଢ଼ନ୍ତୁ: 

ପୂର୍ବୋତ୍ତରର ଲୋକ ଚୀନ ପରି, ଦକ୍ଷିଣ ଭାରତୀୟ ଆଫ୍ରିକୀୟ ପରି ଦେଖାଯାଆନ୍ତି...କଂଗ୍ରେସ ନେତା ସାମ୍ ପିଟ୍ରୋଡାଙ୍କ ବୟାନରୁ ବିବାଦ

ପିଟ୍ରୋଡାଙ୍କ ବୟାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିରୋଧୀ ଦଳ ନେତା ତୀବ୍ର ପ୍ରତିକ୍ରିୟା ରଖିଥିଲେ। ଏହା ପରେ ଦଳର ମହାସଚିବ ଜୟରାମ ରମେଶ ପିଟ୍ରୋଡାଙ୍କ ବୟାନ ଠାରୁ ଦଳକୁ ଦୂରେଇ ରଖିବା ସହ କହିଥିଲେ ଯେ, ‘‘ ସାମ୍‌ ପିଟ୍ରୋଡାଙ୍କ ପୋଡକାଷ୍ଟ ଭାରତର ବିବିଧତାକୁ ଦର୍ଶାଇବା ପାଇଁ ଯେଉଁ ଉଦାହରଣ ଦେଇଛନ୍ତି, ତାହା ସବୁଠୁ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଅସ୍ବୀକାର୍ଯ୍ୟ। ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଏହି ଉଦାହରଣ ଠାରୁ ନିଜକୁ ଦୂରେଇ ରଖିଛି।

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ପିଟ୍ରୋଡାଙ୍କ ଏହି ରଙ୍ଗକୁ ନେଇ ଟିପ୍ପଣୀକୁ ଟାର୍ଗେଟ କରିଥିଲେ। ମୋଦୀ କହିଥିଲେ ରଙ୍ଗ ଆଧାରରେ ଦେଶବାସୀଙ୍କୁ ଅପମାନ କରିବା ଚେଷ୍ଟାକୁ ବରଦାସ୍ତ କରାଯିବନାହିଁ। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ପିଟ୍ରୋଡାଙ୍କ ଉତ୍ତରାଧିକାର ଟିକସକୁ ନେଇ ବିବାଦ ହୋଇଥିଲା। ଆଉ ଏହାକୁ ବିଜେପି ନିର୍ବାଚନୀ ପ୍ରସ୍ତଙ୍ଗ ମଧ୍ୟ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.