ମାଗଣା ବିଜୁଳିକୁ ନେଇ ତେଜିଲା ରାଜନୀତି, ବିଜେଡିର ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଲା ବିଜେପି

Published By : Prameya-News7 Bureau | May 19, 2024 IST

ଭୁବନେଶ୍ଵର: ମାଗଣା ବିଜୁଳିକୁ ନେଇ ତେଜିଲା ରାଜନୀତି । ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଲା ବିଜେପି । ରାଜ୍ୟରେ ୧କୋଟି ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି । ଏମିତିରେ ବିଜେଡି କେତେ ଉପଭୋକ୍ତାଙ୍କୁ ମାଗଣା ବିଜୁଳି ଦେବ ତାହା ସ୍ପଷ୍ଟ କରୁ । ରାଜ୍ୟରେ କେତେ ପରିବାର ୫୦ ୟୁନିଟ୍‌ରୁ କମ୍ ଓ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଛନ୍ତି ତାହା ଶାସକ ଦଳ ସ୍ପଷ୍ଟ କରୁ ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେପଟେ ବିଜେଡିର କହିବା କଥା ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାରକାରୀଙ୍କ ଲାଗି ବିଜୁଳି ଫ୍ରି ଓ ୧୫୦ ୟୁନିଟ୍ ବ୍ୟବହାରକାରୀଙ୍କୁ ୫୦ ୟୁନିଟ୍ ରିହାତି ମିଳିବ।ଏହା ଦ୍ବାରା ରାଜ୍ୟର ୯୦ ପ୍ରତିଶତ ପରିବାର ଉପକୃତ ହେବେ ।

Also read: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନିର୍ବାଚନ ବିଜୟ ନେଇ ଦଳୀୟ କର୍ମକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର

ମାଗଣା ବିଜୁଳିକୁ ନେଇ ତେଜିଲା ରାଜନୀତି । ମାଗଣା ବିଜୁଳି ଯୋଜନାକୁ ନେଇ ମୁହାଁ ମୁହିଁ ବିଜେପି-ବିଜେଡି । ନିଜର ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାବାସୀଙ୍କୁ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଛି ବିଜେଡି । ହେଲେ ବିଜେଡିର ଏଭଳି ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛି ବିଜେପି । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି,  ରାଜ୍ୟରେ ୧କୋଟି ବିଜୁଳି ଉପଭୋକ୍ତା ଅଛନ୍ତି । ଯଦି ବିଜେଡି ମାଗଣା ବିଜୁଳି ଦେବା କଥା କହୁଛି ତାହେଲେ କେତେ ପରିବାର ଏଥିରୁ ଉପକୃତ ହେବେ ତାହା ସ୍ପଷ୍ଟ କରନ୍ତୁ । କାରଣ ରାଜ୍ୟରେ ୧୦୦ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାରକାରୀଙ୍କ ସଂଖ୍ୟା ବହୁତ କମ୍ ରହିଛି । 

ବିଜେଡିର ଘୋଷଣା ଅନୁସାରେ ଯେଉଁମାନେ ୧୦୦ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଛନ୍ତି ତାଙ୍କୁ ବିଜୁଳି ବିଲ୍ ଦେବାକୁ ପଡ଼ିବ ନାହିଁ । ଆଉ ଯେଉଁମାନେ ୧୫୦ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଛନ୍ତି ସେମାନଙ୍କୁ ୫୦ ୟୁନିଟ୍ ରିହାତି ଅର୍ଥାତ୍ ୧୦୦ୟୁନିଟ୍ର ପଇସା ଦେବାକୁ ପଡ଼ିବ । ସେହିଭଳି ୧୫୦ ୟୁନିଟ୍ରୁ ଅଧିକ ବିଜୁଳି ବ୍ୟବହାରକାରୀଙ୍କୁ ପୂରା ବିଲ୍ ଦେବାକୁ ହେବ। ଏମିତିରେ ବିଜେଡିର ମାଗଣା ବିଜୁଳି ଯୋଜାନାରେ ପ୍ରକୃତରେ କେତେ ପରିବାର ଉପକୃତ ହେବେ ତାହା ଦଳ ସ୍ପଷ୍ଟ କରୁ ବୋଲି ଦାବୀ କରିଛନ୍ତି ସମୀର ମହାନ୍ତି । ଏଥି ସହ ସମୀର କହିଛନ୍ତି ବିଜେପି କ୍ଷମତାକୁ ଆସିଲେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଘରେ ଘରେ ସୋଲାର ପ୍ୟାନେଲ୍ ଲଗାଯିବ । ଯାହା ଦ୍ବାରା ଲାକେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ । ଯେତିକି ଦରକାର ବ୍ୟବହାର କରିବେ ବଳକା ବିଜୁଳିକୁ ବିକ୍ରି କରି ଫାଇଦା ପାଇବେ । 

ସେପଟେ ବିଜେଡି କହିଛି ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଘୋଷଣା କରି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୦୦ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାରକାରୀଙ୍କୁ ଆଉ ବିଜୁଳି ବିଲ୍ ଦେବାକୁ ପଡ଼ିବନି । ୧୫୦ ୟୁନିଟ୍ ବ୍ୟବହାର କଲେ ୫୦ୟୁନିଟ୍ ରିହାତି ମିଳିବ । ଏହା ଦ୍ବାରା ରାଜ୍ୟର ୯୦ ପ୍ରତିଶତ ଘରର ବିଜୁଳି ବିଲ୍ ଜିରୋ ହେବ । ବିଜେପି ସୋଲାର୍ ପ୍ୟାନେଲ୍ ଲଗାଇ ବିଜୁଳି ବିଲ୍ ଫ୍ରି କରିବା କଥା କହୁଛି । ହେଲେ ଏଥି ପାଇଁ ଲୋକଙ୍କୁ ୫୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଜୁନ୍ ୯ ତାରିଖରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ଆଉ ସେହିଦିନ ହିଁ ବିଜୁଳି ବିଲ୍ ଛାଡ଼ କରିବା, ସମସ୍ତଙ୍କୁ BSKYରେ ସାମିଲ କରିବା ଓ ମିଶନ ଶକ୍ତି ମହିଳାଙ୍କ ପାଇଁ ପେନସନ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବ ବିଜେଡି । 

ସେପଟେ କଂଗ୍ରେସ କ୍ଷମତାକୁ ଆସିଲେ ସବୁ ଲୋକଙ୍କୁ ୨ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଛି । ଏଥର ନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳର ଇସ୍ତାହାରରେ ମୁଖ୍ୟ ବିନ୍ଦୁ ହୋଇଛି ମାଗଣା ବିଜୁଳି । ହେଲେ ଏଥିରୁ କେଉଁ ଦଳକୁ କେତେ ଫାଇଦା ମିଳିବ ସେକଥା ଜନତା ଜନାର୍ଦ୍ଦନଙ୍କ ଉପରେ ନିର୍ଭର କରୁଛି । 

 

 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.