ପୂର୍ବୋତ୍ତରର ଲୋକ ଚୀନ ପରି, ଦକ୍ଷିଣ ଭାରତୀୟ ଆଫ୍ରିକୀୟ ପରି ଦେଖାଯାଆନ୍ତି...କଂଗ୍ରେସ ନେତା ସାମ୍ ପିଟ୍ରୋଡାଙ୍କ ବୟାନରୁ ବିବାଦ

Published By : Prameya-News7 Bureau | May 08, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଭିତରେ କଂଗ୍ରେସ ନେତା ସାମ୍ ପିତ୍ରୋଡାଙ୍କ ଅର୍ଥ ପୁନର୍ବିତରଣ ଏବଂ ଉତ୍ତରାଧିକାରୀ ଟିକସ ନୂଆ ପ୍ରସଙ୍ଗ କରିଥିଲା । ଏହାକୁ ନେଇ ପିଏମ୍ ମୋଦୀ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଥିଲେ । ଏବେ ପୁଣି ଥରେ ସାମ୍ ପିଟ୍ରୋଡାଙ୍କ ବୟାନ ନୂଆ ବିବାଦ ସୃଷ୍ଟି କରିଛି । ସାମ୍ ପିଟ୍ରୋଡା ଏକ ମିଡିଆ ସଂସ୍ଥାକୁ ବୟାନ ଦେଇ ଭାରତୀୟଙ୍କ ରଙ୍ଗକୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି ଯେ ପୂର୍ବୋତ୍ତର ଭାରତର ଲୋକ ଚାଇନିଜ୍ ପରି ଦେଖାଯାଆନ୍ତି । ଦକ୍ଷିଣ ଭାରତର ଲୋକ ଆଫ୍ରିକୀୟ ପରି ଏବଂ ଉତ୍ତର ଭାରତୀୟ ସାମାନ୍ୟ ଗୋରା ଅଛନ୍ତି । ଭାରତର ବିବିଧତା କଥା କହି ସାମ ପିଟ୍ରୋଡାଙ୍କ ଏପରି ଟିପ୍ପଣୀ ନୂଆ ବିବାଦ ସୃଷ୍ଟି କରୁଛି । 

ଇଣ୍ଡିଆନ୍ ଓଭରସିସ୍ କଂଗ୍ରେସର ଅଧ୍ୟକ୍ଷ ସାମ୍ ପିଟ୍ରୋଡା କହିଛନ୍ତି, ଆମେ ବିବିଧତାରେ ଏକତା ବଜାୟ ରଖିପାରୁଛୁ, ଯେପରି ଆଜି ଯାଏ ଅଛୁ । ଗତ ୭୫ ବର୍ଷରେ ଆମେ ଏକ ଭଲ ମାହୋଲ ସୃଷ୍ଟି କରିଛୁ, ଯେଉଁଠି ସମସ୍ତେ ରହିପାରିବେ । ସେ କହିଛନ୍ତି, ଆମେ ଭାରତ ପରି ବିବିଧତା ଥିବା ଦେଶକୁ ଏକ କରି ରଖିପାରିବା । ପୂର୍ବ ଭାରତର ଲୋକ ଚୀନ ଲୋକ ପରି ଦେଖାଯାଆନ୍ତି । ପଶ୍ଚିମ ଲୋକ ଅରବ ପରି ଏବଂ ଉତ୍ତରର ଲୋକ ଗୋରା ଏବଂ ଦକ୍ଷିଣ ଭାରତୀୟ ଅଫ୍ରିକୀୟଙ୍କ ପରି ଦେଖାଯାଆନ୍ତି । ଏହା ଗୁରୁତ୍ୱ ରଖେ ନାହିଁ । ଆମେ ସମସ୍ତେ ଏକ ଏବଂ ଭାଇ-ଭଉଣୀ । ସାମ୍ ପିଟ୍ରୋଡା ଦ ଷ୍ଟେଟ୍ସମ୍ୟାନକୁ ଦେଇଥିବା ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ସେ କହିଛନ୍ତି ଯେ ଭାରତର ଲୋକ ଭାଷା, ଧାର୍ମିକ ଏବଂ ଖାଦ୍ୟପେୟ ବିବିଧର ସମ୍ମାନ କରନ୍ତି । ମୁଁ ଏହି ଭାରତରେ ବିଶ୍ୱାସ ରଖେ । ଯେଉଁଠି ସମସ୍ତଙ୍କ ପାଇଁ ସ୍ଥାନ ଅଛି ଏବଂ ନିଜ ହିସାବରେ ଜୀବନ ବଞ୍ଚିବାର ସୁଯୋଗ ମିଳୁଛି । ସେ ଏହା ମଧ୍ୟ କହିଛନ୍ତି ଯେ ଭାରତର ବିଚାର ଗଣତନ୍ତ୍ର, ସ୍ୱଧୀନତା, ଉଦାରତା ଅଟେ, ଯାହାକୁ ଆଜି ରାମ ମନ୍ଦିର ଦ୍ୱାରା ଚ୍ୟାଲେଞ୍ଜ କରାଯାଉଛି । ସେ କହିଛନ୍ତି ଯେ ପିଏମ୍ ସବୁବୁଳେ ମନ୍ଦିର ହିଁ ଯାଆନ୍ତି । ସେ ରାଷ୍ଟ୍ରୀୟ ନେତା ପରି କଥା କୁହନ୍ତି ନାହିଁ ବରଂ ବିଜେପି ନେତାଙ୍କ ପରି ଚର୍ଚ୍ଚା କରନ୍ତି । ତେବେ ସାମ୍ ପିଟ୍ରୋଡାଙ୍କ ଏହି ବୟାନ ଏବେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏଥିପାଇଁ ତାଙ୍କୁ ସମାଲୋଚନା କରୁଛନ୍ତି ।
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.