ନୂଆଦିଲ୍ଲୀ ୧୯।୫: ଦୀର୍ଘ ଦଶନ୍ଧୀରୁ ସଂସଦର ସୁରକ୍ଷା କରିଆସୁଥିବା ସିଆରପିଏଫର ସୋମବାର ଅଧିକାରୀକ ବିଦାୟ ହେବ, ଏବେ ଏହି ଦାୟିତ୍ୱ ସିଆଇଏସଏଫ ଜବାନଙ୍କ ଉପରେ ନ୍ୟସ୍ତ କରାଯିବ। ଗତବର୍ଷ ସଂସଦରେ ହୋଇଥିବା ଏକ ବଡ଼ ସୁରକ୍ଷା ଉଲ୍ଲଂଘନର ପାଖାପାଖି ୫ ମାସ ପରେ ଏହି ପଦକ୍ଷେପ ନିଆଯାଇଛି। ଡିସେମ୍ବର ୧୩ ତାରିଖ ଦିନ ସଂସଦ ସୁରକ୍ଷାରେ ହୋଇଥିବା ଅବହେଳା ପରେ ଏପରି ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ଆକଳନ କରାଯାଉଥିଲା।
ସଂସଦ ସୁରକ୍ଷା ନିମନ୍ତେ ୧,୪୦୦ ସିଆରପିଏଫ ଜବାନଙ୍କୁ ମୂତୟନ କରାଯାଉଥିଲା। ଏବେ ଏହି ସ୍ଥାନରେ ସିଆଇଏସଏଫର ୩,୩୦୦ରୁ ଅଧିକ ଜବାନ, ଆତଙ୍କବାଦ ରୋଧୀ ତଥା ଅନ୍ୟ ସୁରକ୍ଷାର ଦାୟିତ୍ୱ ନିଜ ହାତକୁ ନେବେ। ଅଧିକାରୀକ ସୂତ୍ର ଅନୁସାରେ ସିଆରପିଏଫର ସଂସଦ ଦାୟିତ୍ୱ ସମୂହ (ପିଡିଜି) ଶୁକ୍ରବାର ପରିସରରୁ ତାଙ୍କର ପ୍ରଶାସନିକ ଓ ଅଭିଯାନଗତ କର୍ମଚାରୀ ଯଥା ବାହନ, ଅସ୍ତ୍ରଶସ୍ତ୍ର ଓ କମାଣ୍ଡୋଙ୍କୁ ହଟାଇ ନେଇଛନ୍ତି। ଏହା ସହିତ ସିଆରପିଏଫର କମାଣ୍ଡର ଓ ଉପମହାନିରୀକ୍ଷକ ପଦବୀର ଅଧିକାରୀ ସମସ୍ତ ସୁରକ୍ଷା ଦାୟିତ୍ୱ ସିଆଇଏସଏଫକୁ ହସ୍ତାନ୍ତର କରିଛନ୍ତି।
ଜନୈକ ଅଧିକାରୀଙ୍କ ସୂଚନା ଅନୁସାରେ ପୁରୁଣା ଓ ନୂଆ ସଂସଦ ଭବନ ଓ ପରିସରସ୍ଥିତ ଅନ୍ୟ ନିର୍ମାଣର ସୁରକ୍ଷା ନିମନ୍ତେ ସିଆଇଏସଅଫର ମୋଟ ୩,୩୧୭ କର୍ମୀଙ୍କୁ ସାମିଲ କରାଯାଉଛି। ଗତବର୍ଷ ଡିସେମ୍ବର ୧୩ ତାରିଖ ଘଟଣା ପରେ ସରକାର ସିଆଇଏସଏଫକୁ ସିଆରପିଏଫଠାରୁ ସୁରକ୍ଷା କାର୍ଯ୍ୟଭାର ସମ୍ଭାଳିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବାର୍ଷିକ ଅବସରରେ ୨୦୨୩ ଡିସେମ୍ବର ୧୩ ତାରିଖ ଦିନ ସଂସଦ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ହୋଇଥିଲା। ଗୃହର ଶୂନ୍ୟକାଳରେ ଦର୍ଶକଦୀଘାରେ ବସିଥିବା ୨ ଜଣ ଯୁବକ ଗୃହମଧ୍ୟକୁ କୁଦି ଯାଇଥିଲେ ଓ କଲର କ୍ୟାନରୁ ହଳଦିଆ ଧୂଆଁ ଛାଡିଥିଲେ। ସେମାନଙ୍କୁ ସାଂସଦମାନେ ଧରିପକାଇଥିଲେ।