ନୂଆଦିଲ୍ଲୀ: ରୁଷ- ୟୁକ୍ରେନ ଯୁଦ୍ଧ ମଧ୍ୟରେ ରବିବାର ପୁଣି ରୁଷ ୟୁକ୍ରେନ ଉପରେ ଭୟଙ୍କର ମିସାଇଲ ଏବଂ ଡ୍ରୋନ ମାଡ଼ କରିଛି। ଏଥିରେ ୟୁକ୍ରେନର F-16ର ଲଢ଼ୁଆ ବିମାନ ନଷ୍ଟ ହୋଇଥିବାବେଳେ ଏହାକୁ ଉଡ଼ାଉ ଥିବା ପାଇଲଟଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଏନେଇ ୟୁକ୍ରେନ ସେନା ସୂଚନା ଦେଇଛି।
ୟୁକ୍ରେନ ବାୟୁସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପାଇଲଟ ରୁଷର ସାତଟି ମିସାଇଲକୁ ଖସାଇଥିଲେ। କିନ୍ତୁ ଶେଷ ମିସାଇଲକୁ ନଷ୍ଟ କରିବାବେଳେ ବିମାନ କ୍ଷତିଗ୍ରସ୍ତ ହୋଇ ତଳକୁ ଖସିବାରେ ଲାଗିଥିଲା। ପାଇଲଟ ବିମାନକୁ ଜନବସତି ଠାରୁ ଦୂରକୁ ନେବା ଚେଷ୍ଟା କରିଥିଲେ, ହେଲେ ଏମିତି କରିବାରୁ ତାଙ୍କୁ ଇଜେକ୍ଟ କରିବାକୁ ସମୟ ମିଳିନଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଛି।
ଆକ୍ରମଣ ଯୋଗୁ ଲ୍ବୀଭ, ପୋଲ୍ଟାଓ୍ବା, ମାଇକୋଲାଇଭ, ଡନିପ୍ରୋପେଟ୍ରୋବ୍ବସ୍କ ଏବଂ ଚେରକାସୀ ଭଳି ସହର ପ୍ରଭାବିତ ହୋଇଛି। ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ ଅନେକ ଆବସିକ ବିଲ୍ଡିଂ ଏବଂ ଭିତ୍ତିଭୂମି ନଷ୍ଟ ହୋଇଛି। ପ୍ରାୟ ୬ ଜଣ ଆହତ ହୋଇଛନ୍ତି। ୟୁକ୍ରେନ ସେନା ଅନୁସାରେ ରୁଷ ପ୍ରାୟ ୪୭୭ ଡ୍ରୋନ ଏବଂ ୬୦ ମିସାଇଲ ମାଡ଼ କରିଛି। ୟୁକ୍ରେନ ଏୟାର ଡିଫେନ୍ସ ସିଷ୍ଟମ ୨୧୧ ଡ୍ରୋନ ଏବଂ ୩୮ ମିସାଇଲ ମାରି ଖସାଇଛି।
ତେବେ ଏହା ତୃତୀୟ ଥର ଯେତେବେଳେ ରୁଷ- ୟୁକ୍ରେନ ଯୁଦ୍ଧ ସମୟରେ ୟୁକ୍ରେନର F-16 ବିମାନ ନଷ୍ଟ ହୋଇଛି। ଆମେରିକା ଏବଂ ସହଯୋଗୀ ଦେଶ ନିକଟରେ ହିଁ ୟୁକ୍ରେନକୁ ଏହି ଉନ୍ନତ ଫାଇଟର ଜେଟ ପ୍ରଦାନ କରିଥିଲେ।