ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଜାରି ବାର୍ତ୍ତାରେ ଖୁବ୍ ଶୀଘ୍ର ଏକ ବଡ଼ ସଫଳତା ଘୋଷଣା ହୋଇପାରେ। ଖବର ଅନୁସାରେ ଆମେରିକା-ଇରାନ ବୁଝାମଣାର ଚୂଡ଼ାନ୍ତ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଗଲାଣି। ପ୍ରସ୍ତାବିତ ବୁଝାମଣାରେ ସବୁ ମୋର୍ଚ୍ଚାରେ ତତ୍କାଳ, ବ୍ୟାପକ ଓ ନିସର୍ତ୍ତ ଯୁଦ୍ଧବିରାମ ଆହ୍ୱାନ କରାଯାଇଛି। ଚିଠା ପ୍ରସ୍ତାବରେ ଉଭୟ ପକ୍ଷରୁ ସାମରିକ, ନାଗରିକ ଅଥବା ଆର୍ଥିକ ଭିତ୍ତିଭୂମି ଟାର୍ଗେଟ୍ ନ କରିବାକୁ ପ୍ରତିଜ୍ଞା ସହିତ ସାମରିକ କାର୍ଯ୍ୟାନୁଷ୍ଠାନ ଓ ଶତ୍ରୁତାପୂର୍ଣ୍ଣ ଗଣମାଧ୍ୟମ ଅଭିଯାନ ରୋକିବା ଲାଗି ପ୍ରାବଧାନ ରହିଛି।

ଅଲ ଆରବିୟାର ଏକ ରିପୋର୍ଟ ଅନୁସାରେ ପ୍ରସ୍ତାବିତ ବୁଝାମଣାରେ ସାର୍ବଭୌମତ୍ୱ, କ୍ଷେତ୍ରିୟ ଅଖଣ୍ଡତା ଓ ଅନ୍ତରୀଣ ମାମଲାରେ ପାରସ୍ପରିକ ସମ୍ମାନ ଉପରେ ସଂକଳ୍ପ ମଧ୍ୟ ରହିଛି। ବୁଝାମଣାରେ ଉପସାଗରୀୟ ଜଳକ୍ଷେତ୍ରରେ ନୌ ପରିବହନର ସ୍ୱାଧୀନତା ଗ୍ୟାରେଣ୍ଟିର ମଧ୍ୟ ଉଲ୍ଲେଖ ରହିଛି। ରିପୋର୍ଟରେ କୁହାଯାଇଛି ଯେ ୱାସିଂଟନ ଓ ତେହେରାନ ଦ୍ୱାରା ଘୋଷଣା ମାତ୍ରେ ଏହି ବୁଝମଣା ତୁରନ୍ତ ପ୍ରଭାବୀ ହୋଇଯିବ। ଏହି ଘଟଣାକ୍ରମ ଶୁକ୍ରବାର ପାକିସ୍ତାନ ଗୃହମନ୍ତ୍ରୀ ମୋହସୀନ ନକଭୀଙ୍କ ତେହେରାନ ଗସ୍ତ ପରେ ସାମ୍ନାକୁ ଆସିଛି। ନକଭୀ ତାଙ୍କ ଯାତ୍ରା କାଳରେ ଇରାନ ବୈଦେଶିକ ମନ୍ତ୍ରୀ ଅବାସ୍ ଅରଘଚୀଙ୍କ ସହ ଦ୍ୱିତୀୟ ବୈଠକ କରିଛନ୍ତି। ଏବେ ଏପରି ଆକଳନ କରାଯାଉଛି ଉଭୟ ପକ୍ଷଙ୍କ ଅଧିକାରୀକ ଘୋଷଣା ଲାଗି ପ୍ରସ୍ତୁତି ପରେ ପାକ୍ ସେନା ମୁଖ୍ୟ ଅସୀମ ମୁନିର ଇରାନ ଗସ୍ତରେ ଯାଇ ପାରନ୍ତି।

ଏହା ପୂର୍ବରୁ ୨୧ ମେ ଗୁରୁବାର ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ ମଧ୍ୟ ଉଭୟ ପକ୍ଷଙ୍କ ମଧ୍ୟରେ ବାର୍ତ୍ତାକୁ ନେଇ ଆଶାବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ଏହା ଦ୍ୱାରା ଆଲୋଚନାରେ ଆହୁରି ପ୍ରଗତି ହୋଇପାରେ। ଯଦିଓ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ଜାରି ରହିଛି ତେବେ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଇରାନର ପରମାଣୁ କ୍ଷମତାକୁ ନିଷ୍କ୍ରିୟ କରିବା ଲାଗି ଦାବି କରୁଛନ୍ତି। ଏଥିରେ ଇରାନର କହିବା କଥା ହେଉଛି ୟୁରେନିୟମ ସମ୍ବର୍ଦ୍ଧନ କରିବା ତାର ଅଧିକାର। ଏହା ପୂର୍ବରୁ ୨୧ ମେ ଗୁରୁବାର ଟ୍ରମ୍ପ ସାମ୍ବାଦିକଙ୍କୁ କହିଥିଲେ ଯେ ଆମେ ସେ ସବୁକୁ ହାସଲ କରିନେବୁ। ଆମକୁ ସେ ସବୁର ଆବଶ୍ୟକତା ନାହିଁ ହେଲେ ଆମେ ଏହା ଚାହୁଁନୁ। ହୁଏତ ହାସଲ କରିବା ପରେ ଆମେ ସମ୍ବର୍ଦ୍ଧିତ ୟୁରେନିୟମକୁ ନଷ୍ଟ କରିଦେଇପାରୁ। ହେଲେ ଆମେ ଇରାନକୁ ତାହା ରଖିବାକୁ ଦେବୁନି।