କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଅଭିଷେକ ବାନାର୍ଜୀଙ୍କୁ ରବିବାର ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ଦକ୍ଷିଣ ୨୪ ପ୍ରଗଣାର ଆମତାଲାରେ ଥିବା କାର୍ଯ୍ୟାଳୟ ଭଙ୍ଗା ଅଭିଯାନ ଉପରେ କଲିକତା ହାଇକୋର୍ଟ ତୁରନ୍ତ ରୋକ ଲଗାଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସମସ୍ତ ପକ୍ଷଙ୍କୁ 'ଯଥାସ୍ଥିତି ବଜାୟ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଷେକ ବାନାର୍ଜୀଙ୍କ କମ୍ପାନୀ 'ଲିପ୍ସ ଆଣ୍ଡ ବାଉଣ୍ଡସ୍' (Leaps and Bounds) ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ରୋକିବା ପାଇଁ ଜରୁରୀ ହସ୍ତକ୍ଷେପ ଦାବି କରି ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲା। କାର୍ଯ୍ୟାଳୟ ଭଙ୍ଗାଯିବା ପରେ ଏହି ମାମଲାକୁ ଜରୁରୀ ଶୁଣାଣି ପାଇଁ ବିଚାରପତି ରାଜା ବସୁ ଚୌଧୁରୀଙ୍କ ଖଣ୍ଡପୀଠ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ସମ୍ପୃକ୍ତ ଜମି ପାଇଁ ସେମାନଙ୍କ ପାଖରେ ବୈଧ ଦସ୍ତାବିଜ ଥିବା ସତ୍ତ୍ୱେ ତାଙ୍କୁ କାର୍ଯ୍ୟାଳୟକୁ ବୁଲଡୋଜର ଚଳାଇ ଭଙ୍ଗାଯାଇଛି ବୋଲି ଅଭିଯୋଗ ପକ୍ଷ ତଥ୍ୟ ରଖିଥିଲା। 

ଟିଏମସି-ବିଜେପି ମଧ୍ୟରେ ରାଜନୈତିକ ବିବାଦ ତୀବ୍ର

ଏହି ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ବିବାଦ ଜୋର ଧରିଛି। ଟିଏମସି ଅଭିଯୋଗ କରିଛି ଯେ, ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ସତ୍ତ୍ୱେ ବିଜେପି ନେତାଙ୍କ ଉପସ୍ଥିତିରେ ଏହି ଭଙ୍ଗା କାର୍ଯ୍ୟ କରାଯାଇଛି। କାର୍ଯ୍ୟାଳୟ ଭଙ୍ଗାଯିବା ପରେ ଅଭିଷେକ ବାନାର୍ଜୀ ପଶ୍ଚିମବଙ୍ଗ ପୋଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ପୋଲିସ ବେଆଇନ ଭାବେ କାର୍ଯ୍ୟାଳୟ ଭଙ୍ଗାରୁଜା କରିବା ସହିତ କାର୍ଯ୍ୟାଳୟର ମୂଲ୍ୟବାନ ସାମଗ୍ରୀ ମଧ୍ୟ ନେଇଯାଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଅଭିଷେକ ଲେଖିଛନ୍ତି "ବେଙ୍ଗଲରେ ଆଇନଶୃଙ୍ଖଳାର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବୁଲଡୋଜର ଦ୍ୱାରା ଭଙ୍ଗାକୁ ଅସାମ୍ବିଧାନିକ ବୋଲି କହିଥିବା ସତ୍ତ୍ୱେ ମୋ ଆମତାଲା ଲୋକସଭା କାର୍ଯ୍ୟାଳୟକୁ ଗତକାଲି ଭଙ୍ଗି ଦିଆଯାଇଛି।”ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଭାଇରାଲ ଭିଡିଓରେ ପଶ୍ଚିମବଙ୍ଗ ପୋଲିସ କର୍ମଚାରୀମାନେ ଲାପଟପ୍, ପ୍ରିଣ୍ଟର, ଜରୁରୀ ଦସ୍ତାବିଜ, ଆସବାବପତ୍ର ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ସାମଗ୍ରୀକୁ ବିଜେପି ଗୁଣ୍ଡାମାନଙ୍କ ସହ ମିଶି ନେଇଯାଉଥିବା ଦେଖିବାକୁ ମିଳିଛି ବୋଲି ଅଭିଷେକ ବାନାର୍ଜୀ କହିଛନ୍ତି। ଏହା ଉଚ୍ଛେଦ ଅଭିଯାନ ନୁହେଁ ୟୁନିଫର୍ମ ପିନ୍ଧି ଚୋରି କରାଯାଇଛି ବୋଲି ଅଭିଷେକ ଅଭଯୋଗ କରିଛନ୍ତି। ଅଭିଷେକ ଏହା ମଧ୍ୟ କହିଛନ୍ତି ଯେ, ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ସତ୍ତ୍ୱେ ପୋଲିସ ଏଭଳି କାର୍ଯ୍ୟ କରି ଆଇନର ଶାସନ ପ୍ରତି ଚରମ ଅବମାନନା ପ୍ରଦର୍ଶନ କରିଛି।

ପୂର୍ବରୁ ମଧ୍ୟ ହୋଇଥିଲା ହାଇକୋର୍ଟର ଦ୍ୱାରସ୍ଥ

ଏହି ନୂଆ ଆବେଦନ ପୂର୍ବରୁ ମଧ୍ୟ ଟିଏମସି ପକ୍ଷରୁ ଏକ ଆଇନଗତ ପଦକ୍ଷେପ ନିଆଯାଇଥିଲା। ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପରେ ଦଳୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରି ଟିଏମସି ହାଇକୋର୍ଟରେ ଆବେଦନ କରିଥିଲା। ସେତେବେଳେ ଦଳ ପକ୍ଷରୁ ପୋଲିସ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ କରାଯାଇଥିଲା। ଏହି ମାମଲା ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଖଣ୍ଡପୀଠରେ ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ଶୁଣାଣି ହୋଇନଥିଲା।

ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ

ରବିବାରର ଶୁଣାଣି ପରେ କଲିକତା ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମ୍ପୃକ୍ତ ସ୍ଥାନରେ ଆଉ କୌଣସି ଭଙ୍ଗା କାର୍ଯ୍ୟ କରାଯିବ ନାହିଁ। ପରବର୍ତ୍ତୀ ଶୁଣାଣି କିମ୍ବା ନୂଆ ନିର୍ଦ୍ଦେଶ ପର୍ଯ୍ୟନ୍ତ ଯଥାସ୍ଥିତି ବଜାୟ ରଖିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଏହି ଆଦେଶ ପରେ ଅଭିଷେକ ବାନାର୍ଜୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି।