ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସହଜ ବିଜୟ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୬.୩ ଓଭରରେ ଆରସିବି ଗୋଟିଏ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ବିରାଟ କୋହଲି (୨୩) ଏବଂ ଦେବଦତ୍ତ ପାଡିକଲ (୩୪) ଅପରାଜିତ ରହି ଆରସିବିକୁ ଜିତାଇଛନ୍ତି । ଆଜିର ମ୍ୟାଚ୍ରେ ୧୧ ରନ୍ କରିବା ମାତ୍ରେ ଆଇପିଏଲରେ ପ୍ରଥମ ଖେଳାଳି ଭାବରେ ୯ ହଜାର ରନ୍ ପୂରଣ କରିଛନ୍ତି ବିରାଟ କୋହଲି ।

ଜ୍ୟାକବ ବେଥେଲ ୨୦ ରନ୍ କରି ଆଉଟ ହୋଇଯିବା ପରେ, ପାଡିକଲ ବ୍ୟାଟିଂ କରିବାକୁ ଆସିଥିଲେ । ଆସୁ ଆସୁ ଦିଲ୍ଲୀ ବୋଲରଙ୍କୁ ପ୍ରହାର କରିଥିଲେ ପାଡିକଲ । ଏହା ପରେ କୋହଲି ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ । ଟିମ୍ ଆଗରେ ମାତ୍ର ୭୬ ରନ ଟାର୍ଗେଟ ଥିବାରୁ ଏହାକୁ ଅତି ସହଜରେ ହାସଲ କରିନେଇଛି ଆରସିବି ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟି କରିବାକୁ ଆସିଥିଲା ଦିଲ୍ଲୀ । ଆରସିବି ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଦେଇଥିଲେ ଦିଲ୍ଲୀ ବ୍ୟାଟର । ମାତ୍ର ୭୫ ରନ୍ରେ ଅଲଆଉଟ୍ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଭୁବନେଶ୍ବର କୁମାର ଏବଂ ଜୋସ୍ ହାଜେଲଉଡଙ୍କ ବଲ ଘାଇଲା ହୋଇଥିଲା ଦିଲ୍ଲୀ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ IPL 2026 ର ୩୯ ତମ ମ୍ୟାଚ ଖେଳାଯାଇଛି । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୭୫ ରନ୍ କରି ଅଲଆଉଟ୍ ହୋଇଥିଲା ।

ଦିଲ୍ଲୀ IPL ଇତିହାସରେ ପାୱାର ପ୍ଲେ’ରେ ସର୍ବନିମ୍ନ ସ୍କୋର କରି ଲଜ୍ଜାଜନକ ରେକର୍ଡ ନିଜ ନାଁରେ କରିଛି। ଜୋସ ହାଜେଲଉଡ୍ ଏବଂ ଭୁବନେଶ୍ୱର କୁମାର ପାୱାର ପ୍ଲେ’ରେ ବେଙ୍ଗାଲୁରୁ ପାଇଁ ତିନୋଟି ଲେଖାଏଁ ୱିକେଟ ନେଇଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ରଜତ ପାଟିଦାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ବେଙ୍ଗାଲୁରୁର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଥିବା ବେଳେ, ଦିଲ୍ଲୀ ତାର ପ୍ଲେଇଂ ଏକାଦଶରେ ତିନୋଟି ପରିବର୍ତ୍ତନ କରିଥିଲା । କାଇଲ ଜାମିସନ୍ ଏବଂ ଦୁଷ୍ମନ୍ତ ଚାମୀରାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ଆଜି ଦିଲ୍ଲୀର ୮ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଦିଲ୍ଲୀ ପକ୍ଷରୁ କେବଳ ଅଭିଷେକ ପୁରେଲ (୩୦), ଡେଭିଡ ମିଲର (୧୯) ଏବଂ କାଇଲ ଜାମିସନ (୧୨) ଡବଲ୍ ଡିଜିଟ୍ ରନ୍ ସ୍କୋର କରିପାରିଥିଲେ ।

ସେପଟେ ଆରସିବି ପକ୍ଷରୁ ଜୋସ୍ ହାଜେଲଉଡ୍ ମାତ୍ର ୧୨ ରନ ଦେଇ ସର୍ବାଧିକ ୪ଟି ଓ୍ବିକେଟ ନେଇଥିଲେ । ଭୁବନେଶ୍ବର କୁମାର ୩ଟି ଓ୍ବିକେଟ ନେଇଥିବା ବେଳେ ରାଶିଖ ଦାର, ସୁୟାଶ ଶର୍ମା ଏବଂ କୃଣାଲ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଦିଲ୍ଲୀ ପକ୍ଷରୁ କାଇଲ ଜାମିସନ ୪୨ ରନ୍ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ ।