ପୁରୀ ୨୪।୦୫ : ଶନିବାର ରଥ ଚାଳିରେ ଚଉଦନାହାକା ହଣା ଜାରି ରହିଛି । ବିଶ୍ୱକର୍ମାମାନେ ଏହି ଚଉଦ କାଠକୁ ପ୍ରସ୍ତୁତ କରୁଛନ୍ତି । ଦଣ୍ଡା ଉପରେ ଖଦିଓରା ପଡ଼ିବ । ଚଉଦନାହାକାର ସାଲ ସବୁକୁ ଖଦିଓରାର ବିନ୍ଧରେ ସ୍ଥାପନ କରାଯିବ। ଚାରିନାହାକା ଓ ଛଅ କାଠକୁ ଦୃଷ୍ଟିଦେଇ ରଥରେ ବୁଲିବ ଚଉଦନାହାକା। ଏହାପରେ ପ୍ରଥମ ଭୂଇଁ ଟୁଙ୍ଗୁରା ହେବ।

ରଥତ୍ରୟର ୪୨ ଚକ ଶେଷ ହୋଇ ସାଇତା ଯାଇଛି। ୨୧ ଅଖ ନିର୍ମାଣ ଶେଷ ହେଉଥିବା ସମୟକୁ ଦେବୀ ରଥର ଏକ ଅଖ ଦୁର୍ବଳ ଥିବା ନଜରକୁ ଆସିଲା। ଏହା ସାନଉଛୁଳା ତଥା ବ୍ରେକ୍ ଅଖ । କାଠ କାଟିବା ସମୟରେ ଉକ୍ତ କାଠ ଅଖ ପାଇଁ ଉପଯୁକ୍ତ ନୁହେଁ ଦର୍ଶାଯିବାରେ ଆଉ ଏକ କାଠ ନିର୍ମାଣକାରୀଙ୍କୁ ଯୋଗାଯାଇ ନୂତନ ଅଖ ନିର୍ମାଣ ଆରମ୍ଭ ହୋଇଛି।

Also Read:-Dwi Dwadash Yog: ୨ ଜୁନ୍‌ରେ ଗୁରୁ-ଶୁକ୍ରଙ୍କ ମଧ୍ୟରେ ସୃଷ୍ଟି ହେବ ଦ୍ୱିଦ୍ୱାଦଶ ଯୋଗ, ୩ ରାଶି ବ୍ୟକ୍ତିଙ୍କର ହେବ ବଡଧରଣ ପରିବର୍ତ୍ତନ

ସେହିଭଳି ଚଉଦନାହାକା ହଣା ସମୟରେ ଚାଳିରେ ଗୋଟିଏ କାଠ ଅନୁପଯୁକ୍ତ ଜାଣି ବଦଳା ଯାଇଛି। ରଥ ଅମିନଙ୍କ ପରାମର୍ଶ କ୍ରମେ ଦଣ୍ଡା ଖେଳାଇଛନ୍ତି ଭୋଇ ସେବକ । ଦଣ୍ଡା କାଠ ଯଥା ସ୍ଥାନରେ ପଡ଼ିଛି। ତିନି ରଥର ୧୨ଟି କରି ମୋଟ ୩୬ଟି ଚଉତା କାଠ । ଚକ ଓ ଅଖ ସଂଯୁକ୍ତ ହୋଇ ରଥର ମୂଳଦୁଆ ପ୍ରସ୍ତୁତ ହେବ। ଅଖ ଉପରେ ଦଣ୍ଡା ପଡ଼ିବ। ଦଣ୍ଡା ଉପରେ ଗରଗରା ରହିବ। ଗରଗରା ଉପରେ ଚାରି ନାହାକା ଉଠିବ। ପରେ ଚଉଦନାହାକା ବୁଲିବ। କୋଣଗୁଜରେ ଅଳଙ୍କରଣ କାର୍ଯ୍ୟ ଜାରି ରହିଛି। ମୁଖ୍ୟ କରତି ସେବକ ରଣଜିତ ମହାରଣାଙ୍କ ତତ୍ତ୍ୱାବଧାନରେ ଗୟଳ କାମ ଚାଲିଛି।