ନୂଆଦିଲ୍ଲୀ,୦୨। ୦୮ : ଆସାମରେ ଭୟଙ୍କର ଜଳ ପ୍ରଳୟ । ପ୍ରବଳ ବର୍ଷା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆସାମବାସୀ । ଅନେକ ଘର ପାଣିରେ ବୁଡ଼ି ଥିବା ବେଳେ ଅନେକ ଲୋକ ହନ୍ତସନ୍ତ ହେଉଛନ୍ତି । ସୂଚନାରୁ ଜଣାପଡ଼ିଛି ଯେ, ଏପର୍ଯ୍ୟନ୍ତ ୮୨ ଜଣଙ୍କର ମୃତ୍ୟୁ ହୋଇଛି। ୧୯୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ଏବଂ ଏନଜିଓ ଦ୍ୱାରା ରିଲିଫ୍ କାର୍ଯ୍ୟ ଜାରି ରହିଛି ।

ଏହି ସମୟରେ, ବଲିଉଡ୍ ଅଭିନେତା ରଣଦୀପ ହୁଡା ମଧ୍ୟ ଆସାମରେ ପହଞ୍ଚି ରିଲିଫ୍ କାର୍ଯ୍ୟରେ ଅଂଶ ଗ୍ରହଣ କରିଛନ୍ତି । ଯାହାର ଫଟୋ ମଧ୍ୟ ଭାଇରାଲ ହେଉଛି । ରଣଦୀପ ବର୍ତ୍ତମାନ ପରିସ୍ଥିତିର ସମୀକ୍ଷା ସହ ପୀଡିତମାନଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରିଛନ୍ତି । ସେ ଆସାମର ପରିସ୍ଥିତି ଦେଖି ଗଭୀର ଦୁଃଖ ପ୍ରକାଶ କରିବା ସହ ଦେଶର ଜନତାଙ୍କୁ ଅପିଲ୍ କରିଛନ୍ତି । ସମସ୍ତ ଏହି ପରିସ୍ଥିତି ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଯଥାସମ୍ଭବ ସହାୟତା ଯୋଗାଇବାର ପ୍ରୟାସ କରନ୍ତୁ ।

ରଣଦୀପ ହୁଡା କ’ଣ କହିଲେ?

ଅଭିନେତା ରଣଦୀପ ହୁଡା କହିଛନ୍ତି, "ଏଠାରେ ଅନେକ ଗାଁ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି । ଏହା ଦେଖି ମତେ ଦୁଃଖ ଲାଗୁଛି । ଲୋକମାନେ ବହୁତ କିଛି ହରାଇଛନ୍ତି । ମୁଁ ସମସ୍ତଙ୍କୁ ଆଗେଇ ଆସି ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ନିବେଦନ କରୁଛି ।  ଯଦି ଆପଣ ଚାହାଁନ୍ତି, ତେବେ ଆର୍ଥିକ ସହାୟତା ପ୍ରଦାନ କରି ପାରିବେ କିମ୍ବା ରିଲିଫ୍ ପାଣ୍ଠିରେ ଯୋଗଦାନ କରି ପାରିବେ। ନଚେତ୍, ଏହି ପରିସ୍ଥିତିରେ ସେମାନଙ୍କ ପାଇଁ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।  ମୁଁ ଏୟାର ଇଣ୍ଡିଆ କୁ କୃତଜ୍ଞତା ଜଣାଉଛି । ଆସାମ ଯାଏ ରିଲିଫ୍ ସାମଗ୍ରୀ ପରିବହନ ପାଇଁ ଆମକୁ ସାଧନ ଯୋଗାଇ ଦେଇଥିବାରୁ, ଏବଂ ନିଶୁଳ୍କରେ ଏହି ସେବା ପ୍ରଦାନ କରିଥିବାରୁ ।

ଦେଶବାସୀଙ୍କୁ ମୋର ଅନୁରୋଧ ସେମାନେ ଆସାମବାସୀଙ୍କୁ ସମର୍ଥନ କରନ୍ତୁ । ଯେକୌଣସି ପ୍ରକାରର ସହାୟତା ଦେଇ ପାରିବେ ସହଯୋଗ କରନ୍ତୁ । ଏହା ପୂର୍ବରୁ, ବଲିଉଡ୍ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ ଆସାମ ବନ୍ୟା ପୀଡିତଙ୍କ ପାଇଁ ତାଙ୍କର ଚିନ୍ତା ପ୍ରକାଶ କରିଥିଲେ। ସେ ଆସାମ ବନ୍ୟାକୁ ହୃଦୟବିଦାରକ ବୋଲି ବର୍ଣ୍ଣନା କରିଥିଲେ ଏବଂ ଆସାମବାସୀଙ୍କୁ ଯଥାସମ୍ଭବ ସାହାଯ୍ୟ ଯୋଗାଇବାକୁ ଲୋକଙ୍କୁ ନିବେଦନ କରିଥିଲେ ।