ହରିଦ୍ୱାର: ଶିକ୍ଷା ଏବଂ ନିଯୁକ୍ତି ପରୀକ୍ଷାରେ ହେଉଥିବା ଅନିୟମିତତା ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ନେଇ ନରେନ୍ଦ୍ର ମୋଦୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ। ସରକାର ଯଦି ଏହି ଦୁର୍ନୀତିକୁ ତୁରନ୍ତ ବନ୍ଦ ନକରନ୍ତି, ତେବେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ଏବଂ ତାଙ୍କୁ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଏହା ସହିତ ସେ ଦେଶର ଯୁବପିଢ଼ି (Gen Z) ଙ୍କୁ ହିଂସା ଓ ଅରାଜକତାରୁ ଦୂରେଇ ରହି ସମ୍ବିଧାନସମ୍ମତ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଆହ୍ୱାନ ଦେଇଛନ୍ତି। ୮୦ତମ ସ୍ୱାଧୀନତା ଦିବସ ଅବସରରେ ହରିଦ୍ୱାରସ୍ଥିତ ପତଞ୍ଜଳି ଯୋଗପୀଠରେ ରାମଦେବ କହିଛନ୍ତି ଯେ, ସ୍କୁଲ ଓ କଲେଜଗୁଡ଼ିକରେ ଶିକ୍ଷକ, ପାଣି ଏବଂ ବିଜୁଳି ପରି ମୌଳିକ ସୁବିଧାର ଅଭାବକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସରକାରୀ ଚାକିରି ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ଏବଂ ଅର୍ଥବଳର ବ୍ୟାପକ ପ୍ରଭାବ ରହୁଥିବା ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ‘ଦେଶସାରା ଅରାଜକତା ଦେଖାଦେଇଛି। ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନାହାନ୍ତି, ବିଜୁଳି, ପାଣି ଓ ଶୌଚାଳୟ ପରି ମୌଳିକ ସୁବିଧା ନାହିଁ ବୋଲି ପିଲାମାନେ ଅଭିଯୋଗ କରୁଛନ୍ତି। କେତେକ ସ୍ଥାନରେ କପି ବ୍ୟାପକ ହେଉଛି ତ ଆଉ କେଉଁଠି ପ୍ରଶ୍ନପତ୍ର ଲିକ୍ ହେଉଛି। ସରକାରୀ ଚାକିରି ଭର୍ତ୍ତି ପରୀକ୍ଷାରେ ୯୯ ପ୍ରତିଶତ ଦୁର୍ନୀତି ହେଉଛି। ଜାତି ଓ ଧର୍ମ ଆଧାରରେ ଚୟନ କରାଯାଉଛି, ଯାହାକି ସମ୍ବିଧାନ ବିରୋଧୀ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ଗୋଟିଏ ପଟେ ଆମେ 'ସତ୍ୟମେବ ଜୟତେ' ନାରା ଦେଉଛୁ, ଅନ୍ୟପଟେ ୧ କୋଟି ଟଙ୍କା ଲାଞ୍ଚ ନଦେଲେ ନିଯୁକ୍ତି ମିଳୁନାହିଁ। ଯଦି ସମସ୍ତେ ରାଜରାସ୍ତାକୁ ଓହ୍ଲାଇବେ, ତେବେ ଦେଶ କିପରି ଚାଲିବ ? ତେଣୁ ସରକାର ନିଜର ଶୈଳୀରେ ସୁଧାର ଆଣନ୍ତୁ, ନଚେତ୍ ଆନ୍ଦୋଳନ ଆହୁରି ତୀବ୍ର ହେବ।’

ଯୋଗଗୁରୁ ଚେତାବନୀ ଦେଇ କହିଛନ୍ତି ଯେ, ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ କରନ୍ତୁ, ନଚେତ୍ ବାବା ରାମଦେବଙ୍କୁ ପୁଣି ଆନ୍ଦୋଳନ କରିବାକୁ ପଡ଼ିବ। ସେ ୨୦୧୧ ମସିହାରେ ଦିଲ୍ଲୀର ରାମଲୀଳା ମୈଦାନରେ ଦୁର୍ନୀତି ବିରୋଧରେ କରିଥିବା ନିଜର ପୂର୍ବ ଆନ୍ଦୋଳନକୁ ମନେ ପକାଇଛନ୍ତି। ଦେଶରେ ଜାତି ଓ ଧର୍ମ ନାମରେ ବଢ଼ୁଥିବା ଶତ୍ରୁତାକୁ ସେ କଠୋର ଭାବେ ନିନ୍ଦା କରିଛନ୍ତି।

ସେ କହିଛନ୍ତି, ଭାରତୀୟ ନାଗରିକ ହୋଇ ମଧ୍ୟ ଯେଉଁମାନେ ରାଜନୀତି ଓ ଜାତି ଆଧାରରେ ପରଷ୍ପରକୁ ଘୃଣା କରୁଛନ୍ତି, ସେମାନଙ୍କ ପାଇଁ ଲଜ୍ଜାର ବିଷୟ। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ଦଳିତ, ଆଦିବାସୀ, ହିନ୍ଦୁ, ମୁସଲିମ୍, ଶିଖ୍, ଖ୍ରୀଷ୍ଟିଆନ୍, ଜୈନ ଏବଂ ବୌଦ୍ଧ ସମସ୍ତେ ପରଷ୍ପର ବିରୋଧରେ ଶତ୍ରୁ ଭାବରେ ଛିଡ଼ା ହୋଇଛନ୍ତି। ଆମକୁ ଏହି ଘୃଣାର ପ୍ରାଚୀରକୁ ଭାଙ୍ଗିବାକୁ ପଡ଼ିବ।