ନୂଆଦିଲ୍ଲୀ: ନିର୍ବାଚନ ଶେଷ ହେଉ ହେଉ ବଢ଼ିଲା କମର୍ସିଆଲ ଏଲପିଜିର ଦାମ । ଗୋଟିଏ ଦିନରେ ବାଣିଜ୍ୟିକ ସିଲିଣ୍ଡର ପିଛା ୯୯୩ ଟଙ୍କା ବଢ଼ାଇଛନ୍ତି ସରକାର । ଏହାକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ଗ୍ୟାସ୍ ସିଲିଣ୍ଡର ସମେତ ପେଟ୍ରୋଲ ଏବଂ ଡିଜେଲ ଦାମ ବଢ଼ିବା ବୋଲି ପୂର୍ବରୁ କହିଥିଲେ ରାହୁଲ ଗାନ୍ଧୀ । ଆଜି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦାମ ବଢ଼ିବା ପରେ, ସେ ପୁଣି ଥରେ ସରକାରଙ୍କୁ ଘେରିଛନ୍ତି ।

ଏକ୍ସରେ ଏକ ପୋଷ୍ଟ କରି ରାହୁଲ ଗାନ୍ଧୀ କହିଛନ୍ତି, ‘ନିର୍ବାଚନ ପରେ ମହଙ୍ଗା ତାତି ଆସିବ, ମୁଁ କହିଥିଲି । ଆଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୯୯୩ ଟଙ୍କା ବୃଦ୍ଧି ପାଇଛି । ଗୋଟିଏ ଦିନରେ ସର୍ବାଧିକ ବୃଦ୍ଧି ।ଏହା ନିର୍ବାଚନୀ ବିଲ୍ । ଫେବ୍ରୁଆରୀରୁ ଏବେ ସୁଦ୍ଧା ୧୩୮୦ ଟଙ୍କା ମହାଙ୍ଗା ହେଲାଣି ଗ୍ୟାସ୍ ସିଲିଣ୍ଡର । ୩ ମାସରେ ଦାମ ୮୧ ପ୍ରତିଶତ ବଢ଼ିଛି ।’

ସେ ଆହୁରି ଲେଖିଛନ୍ତି, ଦର ବୃଦ୍ଧିର ପ୍ରଭାବ ଚା’ଷ୍ଟଲ୍, ଢାବା, ହୋଟେଲ, ବେକେରି ଏବଂ ମିଠା ଦୋକାନ ଭଳି ଛୋଟ ବ୍ୟବସାୟ ଉପରେ ପଡ଼ିବ ଏବଂ ଅତିରିକ୍ତ ଘରୋଇ ଖର୍ଚ୍ଚ ବୃଦ୍ଧି ପାଇବ। ଏହା ଆପଣଙ୍କ ପ୍ଲେଟକୁ ମଧ୍ୟ ପ୍ରଭାବିତ କରିବ। ସେ ଚେତାବନୀ ଦେଇଛନ୍ତି ଯେ, ପ୍ରଥମ ଆକ୍ରମଣ ଗ୍ୟାସ ଉପରେ , ପରବର୍ତ୍ତୀ ଆକ୍ରମଣ ପେଟ୍ରୋଲ ଏବଂ ଡିଜେଲ ଉପରେ ହେବ।

ଏହା ପୂର୍ବରୁ ଗୁରୁବାର ରାହୁଲ ଗାନ୍ଧୀ ଦାବି କରିଥିଲେ, ପଶ୍ଚିମବଙ୍ଗ, କେରଳ ତାମିଲନାଡୁ ଏବଂ ଆସାମ ଭଳି ରାଜ୍ୟରେ ନିର୍ବାଚନ ଶେଷ ହୋଇଥିବା ବେଳେ ସରକାର ପେଟ୍ରୋଲିୟମ ଉତ୍ପାଦର ଦାମ ବଢ଼ାଇବେ । ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି କହିଥିଲେ, ‘ନିର୍ବାଚନରୁ ମୁକ୍ତି ମିଳିଲା, ମୁଦ୍ରାସ୍ଫୀତିର ତାପ ଆସିବାକୁ ଯାଉଛି ! ୨୯ ଏପ୍ରିଲ ପରେ ସାବଧାନ ରୁହନ୍ତୁ - ପେଟ୍ରୋଲ, ଡିଜେଲ, ସବୁକିଛି ମହଙ୍ଗା ହୋଇଯିବ। ଯେତେବେଳେ ତେଲ ଶସ୍ତା ଥିଲା, ମୋଦୀ ସରକାର ଲାଭକୁ ପକେଟରେ ପୂରାଇଥିଲେ। ଏବେ ଏହା ମହଙ୍ଗା ହୋଇଥିବାରୁ ଏବେ ଆପଣଙ୍କ ଉପରେ ବୋଝ ଲଦିଦେବେ। ଯେଉଁ ସରକାର ଶସ୍ତା ହେଲେ ଲୁଟ କରେ, ମୁଦ୍ରାସ୍ଫୀତିର ଭାର ଜନତାଙ୍କୁ ବହନ କରିବାକୁ ଛାଡିଦିଏ।’

ଅନ୍ୟପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି, ‘ସିଲିଣ୍ଡର ମହଙ୍ଗା ନୁହେଁ; ରୁଟି ଏବଂ ଖାଇବା ଥାଳି ମହଙ୍ଗା। ଯେଉଁମାନେ ଏହାକୁ କିଣନ୍ତି ସେମାନେ ଏହା ଜାଣନ୍ତି, କିନ୍ତୁ ଯେଉଁମାନେ ଅନ୍ୟ ସ୍ଥାନକୁ ଯାଇ ଖାଆନ୍ତି କିମ୍ବା ଅନ୍ୟମାନଙ୍କ ପ୍ଲେଟରୁ ଚୋରି କରନ୍ତି, ସେମାନଙ୍କୁ ଏହାର କଷ୍ଟ ଜଣାପଡ଼ିବ ନାହିଁ ।’ ସେ କହିଛନ୍ତି ଯେ, ଯଦି ସିଲିଣ୍ଡର ମହଙ୍ଗା ହେବାର ଥିଲା, ତେବେ ଏହାକୁ ୧୦୦୦ ଟଙ୍କା କରିଦେଇଥାନ୍ତେ। ୧୦୦୦ ଟଙ୍କାରୁ ୭ ଟଙ୍କା କମ କରି ବିଜେପି ସରକାର ଲୋକମାନଙ୍କୁ କେଉଁଭଳି ସାହାଯ୍ୟ କରୁଛି ?