ନୂଆଦିଲ୍ଲୀ: ୟୁକ୍ରେନ୍ ଯୁଦ୍ଧର ସମାପ୍ତି ପାଇଁ କୂଟନୈତିକ ଆଲୋଚନା ପୁଣି ଆରମ୍ଭ ହୋଇଛି। ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଜେରେଡ୍ କୁଶନର୍ ଶାନ୍ତି ଆଲୋଚନା ପାଇଁ ମସ୍କୋରେ ପହଞ୍ଚିବା ପରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନର ରାଜଧାନୀ କିଭ୍ ଉପରେ ତିନି ଦିନ ପାଇଁ ସାମରିକ ଆକ୍ରମଣ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସକୋଭଙ୍କ ସୂଚନା ଅନୁଯାୟୀ, ପୁଟିନ୍ ଏହି ଦୁଇ ଆମେରିକୀୟ ଦୂତଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ରୁଷିଆର ପ୍ରେସିଡେନ୍ସିଆଲ୍ ଏନଭୟ କିରିଲ୍ ଡିମିଟ୍ରିଏଭ୍ ଏହି ଆମେରିକୀୟ ପ୍ରତିନିଧି ମଣ୍ଡଳୀକୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ।

ଶାନ୍ତି ବୁଝାମଣା ପାଇଁ ଟ୍ରମ୍ପଙ୍କ ନୂଆ ପ୍ରସ୍ତାବ

ପ୍ରାୟ ୫ ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧକୁ ଶେଷ କରିବା ପାଇଁ ୱାଶିଂଟନ୍ ପାଖରେ ଏକ ନୂଆ ଏବଂ ସ୍ପଷ୍ଟ ପ୍ରସ୍ତାବ ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ଘୋଷଣା କରିଥିଲେ। ଟ୍ରମ୍ପ କହିଥିଲେ, ‘ଆମ ପାଖରେ ଶାନ୍ତି ପାଇଁ ଏକ ଯୋଜନା ରହିଛି। ମୁଁ ମୋର ଦୁଇ ଜଣ ଦକ୍ଷ ଆଲୋଚକ ଷ୍ଟିଭ୍ ୱିଟକଫ୍ ଏବଂ ଜେରେଡ୍ କୁଶନରଙ୍କୁ ପଠାଇଛି। ସେମାନେ ସେଠାରେ ସ୍ଥିତି ଅନୁଧ୍ୟାନ କରିବେ ଏବଂ ଆମେ ଏହି ଯୁଦ୍ଧ ସମାପ୍ତ କରିବାରେ ସଫଳ ହେବାର ବହୁତ ଭଲ ସମ୍ଭାବନା ରହିଛି।’

ୟୁକ୍ରେନର ଆଭିମୁଖ୍ୟ

ମସ୍କୋ ଗସ୍ତ ଶେଷ ହେବା ପରେ ଏହି ଆମେରିକୀୟ ପ୍ରତିନିଧିମାନେ ୟୁକ୍ରେନ୍ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ଗସ୍ତ ସମୟରେ ଆକାଶମାର୍ଗରୁ ଆକ୍ରମଣ ବନ୍ଦ ରଖିବାକୁ ପ୍ରସ୍ତାବ ଦେଇଥିଲେ।

ସୋସିଆଲ ମିଡିଆ ପୋଷ୍ଟରେ ଜେଲେନସ୍କି କହିଛନ୍ତି ଯେ, ଆମେରିକୀୟ ଖୂଟନୈତିଜ୍ଞଙ୍କ ସୁରକ୍ଷିତ ଯାତାୟାତ ପାଇଁ ୟୁକ୍ରେନ୍ ପକ୍ଷରୁ କୌଣସି ଏୟାର-ଷ୍ଟ୍ରାଇକ୍ କରାଯିବ ନାହିଁ। ଆଲୋଚନା ଏବଂ ଅନ୍ୟାନ୍ୟ କାର୍ଯ୍ୟ ସୁଚାରୁରୂପେ ଶେଷ ହେବା ପର୍ଯ୍ୟନ୍ତ ରୁଷିଆ ମଧ୍ୟ ସମାନ ଭାବାର ଆକ୍ରମଣ ବନ୍ଦ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି।