ନୂଆଦିଲ୍ଲୀ: ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଆରାଘଚି ଏବଂ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ସୋମବାର ସାକ୍ଷାତ ଆଲୋଚନା ହୋଇଛି । ଆମେରିକା ସହ ଯୁଦ୍ଧ ମଧ୍ୟରେ ଏହି ଆଲୋଚନା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଆରାଘଚିଙ୍କ ସହ ସାକ୍ଷାତ ସମୟରେ ପୁଟିନ୍ ଇରାନକୁ ସମର୍ଥନ ଜଣାଇଛନ୍ତି ଏବଂ ଦ୍ବିପାକ୍ଷିକ ସମ୍ବନ୍ଧ ପୂର୍ବପରି ଜାରି ରହିବ ବୋଲି କହିଛନ୍ତି । ଏହା ସହ ଇରାନ ଯୁଦ୍ଧରୁ ମୁକ୍ତି ପାଉ ଏବଂ ଦେଶକୁ ଖୁବଶୀଘ୍ର ଶାନ୍ତି ଫେରିଆସୁ ବୋଲି ପୁଟିନ ଆଶା ପ୍ରକାଶ କରିଛନ୍ତି ।

ଇରାନର ସ୍ବାର୍ଥ ରକ୍ଷା ପାଇଁ ରୁଷ ସବୁକିଛି କରିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ପୁଟିନ । ଇରାନ- ଆମେରିକା ସଂଘର୍ଷ ମଧ୍ୟରେ ପୁଟିନ ତେହେରାନକୁ ଖୋଲା ସମର୍ଥନ କରିଛନ୍ତି । ପୁଟିନଙ୍କ ସମର୍ଥନ ପାଇ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ଆରାଘଚି । ସେ କହିଛନ୍ତି, ରୁଷ ଏବଂ ଇରାନ ମଧ୍ୟରେ ରଣନୈତିକ ସଂପର୍କ ରହିଛି ଏବଂ ଆହୁରି ମଜଭୁତ ହେଉଛି ।

ଆରାଘଚି ଆହୁରି କହିଛନ୍ତି, ‘ସମସ୍ତଙ୍କ ଆଗରେ ପ୍ରମାଣ ହୋଇଯାଇଛି ଯେ, ଇରାନର ରୁଷ ଭଳି ବନ୍ଧୁ ଏବଂ ସହଯୋଗୀ ଅଛନ୍ତି । ଆବଶ୍ୟକ ପଡ଼ିଲେ ସେମାନେ ଇରାନ ସମର୍ଥନରେ ଆଗକୁ ଆସିବେ । ଏଭଳି ସମର୍ଥନ ଲାଗି ରୁଷ ପାଖରେ ଆମେ ଋଣୀ ।’

Also Read: ହର୍ମୁଜ ଖୋଲିବାକୁ ପ୍ରସ୍ତୁତ ଇରାନ, ଆମେରିକା ଆଗରେ ରଖିଲା ବଡ଼ ସର୍ତ୍ତ

ପୁଟିନ ଏବଂ ଆରାଘଚିଙ୍କ ଏହି ବୈଠକକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ରୁଷ ଏବଂ ଇରାନ ଯୋଗାଯୋଗରେ ଅଛନ୍ତି ଏବଂ ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରୁଛନ୍ତି। ଦୁଇ ଦେଶ ମଧ୍ୟରେ ସହଯୋଗ ଏବଂ ଆଲୋଚନା ଜାରି ରହିବ ବୋଲି ଆଶା କରାଯାଉଛି। ସାମଗ୍ରିକ ଭାବରେ, ଏହି ବୈଠକକୁ ଶାନ୍ତି ଏବଂ ସ୍ଥିରତା ପାଇଁ ଏକ ସକାରାତ୍ମକ ସଙ୍କେତ ଭାବରେ ଦେଖାଯାଉଛି ।

ଇରାନକୁ ସମର୍ଥନ କରିବା ସହ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ରୁଷ । ସୂଚନାଯୋଗ୍ୟ, ଇରାନ ଏବଂ ଆମେରିକା ମଧ୍ୟରେ ପାକିସ୍ତାନର ଇସଲାମାବାଦରେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ହୋଇପାରି ନାହିଁ । କ'ଣ ରୁଷ ଏବେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନାକୁ ଆଗକୁ ବଢ଼ାଇବ କି ? ସେପଟେ ଆଲୋଚନା ବାତିଲ ଲାଗି ଆମେରିକାକୁ ଦାୟୀ କରିଛନ୍ତି ଇରାନ ବୈଦେଶିକ ମନ୍ତ୍ରୀ ଅବାସ ଆରାଘଚି ।