ନୂଆଦିଲ୍ଲୀ : ଦିଲ୍ଲୀରେ ରବିବାର ସନ୍ଧ୍ୟାରେ ମାହୋଲ ସରଗରମ ହୋଇଛି। ପଲ୍ୟୁସନ ମାମଲାରେ ବହୁ ସଂଖ୍ୟାରେ ଲୋକେ ଇଣ୍ଡିଆ ଗେଟ୍‌ରେ ଜମା ହୋଇଥିଲେ। ବିକ୍ଷୋଭ ପ୍ରଦର୍ଶନକାରୀ ସ୍ୱଚ୍ଛ ବାୟୁ ଓ ପାଣିର ଦାବିକୁ ନେଇ କର୍ତ୍ତବ୍ୟ ପଥରେ ରବିବାର ବିରୋଧ ପ୍ରଦର୍ଶନ କରିଥିଲେ। ସେପଟେ ପୁଲିସ ଶାନ୍ତି ଭଙ୍ଗ ହେବାର ଆଶଙ୍କା ଯୋଗୁଁ ସୁରକ୍ଷା ବଢାଇ ଦେଇଛି। କର୍ତ୍ତବ୍ୟ ପଥ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରି ଦିଆ ଯାଇଛି। ଇଣ୍ଡିଆ ଗେଟ୍‌ରେ ବହୁ ଫୋର୍ସ ମୁତୟନ କରିଦିଆ ଯାଇଛି। ପୁଲିସ ବାହିନୀ ସହ ଅର୍ଦ୍ଧସୈନିକ ବାହିନୀର ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି। ମାମଲା ବଢିବାର ଦେଖି ପୁଲିସ ଅନେକ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ହେପାଜତକୁ ନେଇଛି।

ବିରୋଧ ପ୍ରଦର୍ଶନକାରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ କରି କହିଛନ୍ତି ଯେ, ସରକାର ଲୋକଙ୍କୁ ବିଷାକ୍ତ ବାୟୁରେ ନିଃଶ୍ୱାସ ନେବା ପାଇଁ ଛାଡ଼ି ଦେଇଛନ୍ତି। ସରକାର ବଦଳିବା ପରେ ମଧ୍ୟ ପଲ୍ୟୁସନର ମାମଲାରେ କିଛି କରିନାହାନ୍ତି। ବିରୋଧ ପ୍ରଦର୍ଶନକାରୀଙ୍କ ମଧ୍ୟରେ ନାଗରିକ ଗ୍ରୁପ୍‌ଙ୍କ ସହ ଅଲଗା ଅଲଗା ଛାତ୍ର ସଙ୍ଗଠନର ଲୋକେ ମଧ୍ୟ ସାମିଲ ହୋଇଛନ୍ତି।

ଏଏନଆର ରିପୋର୍ଟ ମୁତାବିକ , ଏହି ବିରୋଧ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଶୈକ୍ଷଣିକ ସଂସ୍ଥା , ହସ୍ପିଟାଲ , ବସ ଓ ରେଲୱେ ଷ୍ଟେସନର ପରିସରରୁ ବୁଲା କୁକୁରଙ୍କୁ ହଟେଇବାକୁ ସୁପ୍ରିମକୋର୍ଟଙ୍କ ନୂଆ ନିର୍ଦ୍ଦେଶ ବିରୋଧରେ କିଛି ସଙ୍ଗଠନର ଲୋକ ମଧ୍ୟ ସାମିଲ ଥିଲେ। ପ୍ରଦର୍ଶନକାରୀମାନେ ୱି ୱାଣ୍ଟ ଜଷ୍ଟିସ୍‌ ...ଏବଂ ସ୍ୱାଧୀନତା ନେଇକି ରହିବୁ...ଏହି ନାରା ବି ଦେଇଥିଲେ। ପ୍ରଦର୍ଶନକାରୀଙ୍କ ହାତରେ ବ୍ୟାନର ଓ ପୋଷ୍ଟର ଥିଲା। ଜଣେ ବିକ୍ଷୋଭକାରୀ କହୁଥିଲେ , ସରକାର ପଶୁଙ୍କୁ ହଟାଉଛନ୍ତି , ହେଲେ ପଲ୍ୟୁସନକୁ ହଟେଇବା ଉଚିତ୍‌।

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଇଣ୍ଡିଆ ଗେଟ୍‌ରେ ବିରୋଧ ପ୍ରଦର୍ଶନ କରିବାର କୌଣସି ଅନୁମତି ନାହିଁ। ଆଇନ-ବ୍ୟବସ୍ଥା ବଜାୟ ରଖିବା ପାଇଁ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ହେପାଜତକୁ ନିଆ ଯାଇଛି। ପ୍ରଦର୍ଶନକାରୀଙ୍କୁ ସତର୍କତା ନେଇ ହେପାଜତକୁ ନିଆଯାଇଛି।