Princess Isabella of Denmark: ୟୁରୋପରେ ବଦଳୁଥିବା ସୁରକ୍ଷା ପରିସ୍ଥିତି ମଧ୍ୟରେ ଡେନମାର୍କ ନିଜ ସେନାକୁ ଅଧିକ ଶକ୍ତିଶାଳୀ କରିବାରେ ଲାଗିଛି। ଆଉ ଏହି ଅଭିଯାନରେ ସାମିଲ ହୋଇଛନ୍ତି ଖୋଦ୍ ରାଜକୁମାରୀ। ଡେନମାର୍କର ୧୯ ବର୍ଷୀୟା ରାଜକୁମାରୀ ଇସାବେଲା ଆରମ୍ଭ କରିଛନ୍ତି ୧୧ ମାସର ସାମରିକ ପ୍ରଶିକ୍ଷଣ। ସବୁଠାରୁ ବଡ଼ କଥା ହେଲା, ସାଧାରଣ ସୈନିକଙ୍କ ପରି ସେ ପ୍ରଶିକ୍ଷଣ ନେବେ ଏବଂ ଏଥିପାଇଁ ସରକାରଙ୍କଠାରୁ କୌଣସି ଦରମା କିମ୍ବା ଭତ୍ତା ମଧ୍ୟ ନେବେ ନାହିଁ। କାହିଁକି ସେନାରେ ଯୋଗ ଦେଲେ ରାଜକୁମାରୀ? କାହିଁକି ବଦଳିଲା ଡେନମାର୍କର ସାମରିକ ନୀତି? ପଢ଼ନ୍ତୁ ରିପୋର୍ଟ

ରାଜପ୍ରାସାଦର ଆରାମଦାୟକ ଜୀବନ ଛାଡ଼ି ସାମରିକ ୟୁନିଫର୍ମ ପିନ୍ଧିଛନ୍ତି ଡେନମାର୍କର ରାଜକୁମାରୀ ଇସାବେଲା। ରାଜା ଫ୍ରେଡ୍ରିକ୍-୧୦ ଓ ରାଣୀ ମେରୀଙ୍କ ଝିଅ ଇସାବେଲା। ଅଗଷ୍ଟ ୩ ତାରିଖରେ ସ୍ଲାଗେଲସେ ସ୍ଥିତ ଗାର୍ଡ ହୁସାର ରେଜିମେଣ୍ଟରେ ରିପୋର୍ଟ କରିଛନ୍ତି। ସେ ଏବେ ୧୧ ମାସ ପାଇଁ ଡେନମାର୍କ ସେନାକୁ ଯୋଗାଇବେ ସାମରିକ ସେବା। ଉଚ୍ଚମାଧ୍ୟମିକ ସ୍କୁଲ୍ରେ ସ୍ନାତକ ଶେଷ କରିବା ପରେ ରାଜକୁମାରୀ ବାଛି ନେଇଛନ୍ତି ଦେଶ ସେବାର ପଥ।

ଡେନମାର୍କର ରାଜପରିବାରରେ ସାମରିକ ସେବାର ପରମ୍ପରା ରହିଛି। ଏହା ପୂର୍ବରୁ ଇସାବେଲାଙ୍କ ବଡ଼ ଭାଇ କ୍ରାଉନ୍ ପ୍ରିନ୍ସ କ୍ରିଷ୍ଟିଆନ୍ ମଧ୍ୟ ଏହି ଗାର୍ଡ ହୁସାର ରେଜିମେଣ୍ଟରେ ପ୍ରଶିକ୍ଷଣ ନେଇଥିଲେ। ସେହି ପରମ୍ପରାକୁ ଆଗକୁ ବଢ଼ାଇ ଏବେ ଇସାବେଲା ମଧ୍ୟ ସାଧାରଣ ଯବାନଙ୍କ ପରି ସମାନ ନିୟମ, ସମାନ ପ୍ରଶିକ୍ଷଣ ଏବଂ ସମାନ ଦୈନନ୍ଦିନ ଜୀବନ ଅନୁସରଣ କରିବେ।

୨୦୨୬ରେ ଡେନମାର୍କ ନିଜର ସାମରିକ ସେବା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଛି। ପୂର୍ବରୁ ମାତ୍ର ୪ ମାସର ଥିବା ବାଧ୍ୟତାମୂଳକ ସାମରିକ ସେବାକୁ ବଢ଼ାଇ ୧୧ ମାସ କରାଯାଇଛି। ଏଥିରେ ପ୍ରଥମ ୫ ମାସ ମୌଳିକ ସାମରିକ ପ୍ରଶିକ୍ଷଣ ଓ ପରବର୍ତ୍ତୀ ୬ ମାସ ଅପରେସନାଲ୍ ସେବା ରହିବ। ସବୁଠୁ ବଡ଼ ପରିବର୍ତ୍ତନ ହେଲା, ଏବେ ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ଏହି ବିସ୍ତାରିତ ସାମରିକ ବ୍ୟବସ୍ଥାର ଅଂଶ ହୋଇଛନ୍ତି।

ସେନାରେ କରାଯାଇଥିବା ଏହି ସୁଧାର ପଛରେ ରହିଛି ୟୁରୋପର ବଦଳୁଥିବା ସୁରକ୍ଷା ପରିସ୍ଥିତି। ୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଡେନମାର୍କ ସମେତ ଅନେକ ୟୁରୋପୀୟ ଦେଶ ନିଜର ସାମରିକ କ୍ଷମତା ବଢ଼ାଇବାରେ ଲାଗିଛନ୍ତି। ନାଟୋ ସଦସ୍ୟ ଭାବେ ଡେନମାର୍କ ପ୍ରତିରକ୍ଷା ବଜେଟ୍ ବୃଦ୍ଧି, ସେନାର ଆଧୁନିକୀକରଣ ଏବଂ ଡ୍ରୋନ୍ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜୀରେ ପ୍ରଶିକ୍ଷଣକୁ ଅଧିକ ଗୁରୁତ୍ୱ ଦେଉଛି।

ଏଥରର ନୂଆ ସାମରିକ ଯୋଜନାରେ ପ୍ରଥମ ଥର ପାଇଁ କିଛି ସୈନିକଙ୍କୁ ଗ୍ରୀନଲ୍ୟାଣ୍ଡରେ ମଧ୍ୟ ନିଯୁକ୍ତ କରାଯିବ। ଆର୍କଟିକ୍ ଅଞ୍ଚଳରେ ବଢ଼ୁଥିବା ଭୂ-ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାକୁ ଦୃଷ୍ଟିରେ ରଖି ଗ୍ରୀନଲ୍ୟାଣ୍ଡକୁ ଡେନମାର୍କର ପ୍ରତିରକ୍ଷା ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ବିକଶିତ କରାଯାଉଛି।

ସାଧାରଣତଃ ଡେନମାର୍କର ସାମରିକ ପ୍ରଶିକ୍ଷଣରେ ଯୋଗ ଦେଉଥିବା ସୈନିକମାନଙ୍କୁ ଦରମା, ରହିବା ସୁବିଧା, ଯାତାୟାତ ଭତ୍ତା ସହ ଅନ୍ୟାନ୍ୟ ସୁବିଧା ମିଳିଥାଏ। କିନ୍ତୁ ରାଜକୁମାରୀ ଇସାବେଲା ସ୍ୱେଚ୍ଛାକୃତ ଭାବେ ସମସ୍ତ ଦରମା ଓ ଭତ୍ତା ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କ ବଡ଼ ଭାଇ କ୍ରିଷ୍ଟିଆନ୍ ମଧ୍ୟ ନିଜ ପ୍ରଶିକ୍ଷଣ ସମୟରେ ଏହି ପଦକ୍ଷେପ ନେଇଥିଲେ। ରାଜପରିବାରର ମତରେ, ସାମରିକ ସେବା କୌଣସି ଆର୍ଥିକ ଲାଭ ପାଇଁ ନୁହେଁ, ବରଂ ଦେଶ ପ୍ରତି କର୍ତ୍ତବ୍ୟବୋଧର ପ୍ରତୀକ।

ତେବେ ଡେନମାର୍କ ଏକା ନୁହେଁ। ସ୍ୱିଡେନ୍, ନରୱେ ଏବଂ ଫିନଲ୍ୟାଣ୍ଡ ଭଳି ଅନେକ ୟୁରୋପୀୟ ଦେଶ ମଧ୍ୟ ବାଧ୍ୟତାମୂଳକ ସାମରିକ ସେବାକୁ ଜାରି ରଖିଛନ୍ତି। ବଦଳୁଥିବା ବୈଶ୍ୱିକ ସୁରକ୍ଷା ପରିସ୍ଥିତି ମଧ୍ୟରେ ୟୁରୋପର ଅଧିକାଂଶ ଦେଶ ପ୍ରତିରକ୍ଷା ବଜେଟ୍ ବୃଦ୍ଧି, ସେନା ନିଯୁକ୍ତି ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ଉପରେ ଜୋର ଦେଉଛନ୍ତି।

ରାଜପରିବାରର ସଦସ୍ୟ ହୋଇଥିଲେ ମଧ୍ୟ ସାଧାରଣ ସୈନିକଙ୍କ ପରି ପ୍ରଶିକ୍ଷଣ ନେବା ଏବଂ ସରକାରୀ ଦରମାକୁ ପ୍ରତ୍ୟାଖ୍ୟାନ କରିବା ରାଜକୁମାରୀ ଇସାବେଲାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ପରିଚୟ ଦେଇଛି। ସେହିପରି ଡେନମାର୍କର ନୂଆ ୧୧ ମାସିଆ ସାମରିକ ସେବା ବ୍ୟବସ୍ଥା କେବଳ ଏକ ପ୍ରଶାସନିକ ସୁଧାର ନୁହେଁ, ବରଂ ୟୁରୋପର ବଦଳୁଥିବା ସୁରକ୍ଷା ପରିସ୍ଥିତିରେ ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବାର ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।