ଆସନ୍ତା ୧୯ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ : ପୁରୀରେ ରୋଡ୍ ଶୋ’, କଟକରେ କରିବେ ଜନସଭା

Published By : Prameya-News7 Bureau | May 17, 2024 IST

ଭୁବନେଶ୍ବର ୧୭।୫: ଆସନ୍ତା ୧୯ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯ ତାରିଖ ସନ୍ଧ୍ୟା ୭ଟାରେ ଭୁବନେଶ୍ଵରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ପହଞ୍ଚିବା ପରେ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ପାଖାପାଖି ଘଣ୍ଟାଏ ଯାଏଁ ନିର୍ବାଚନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିବେ । ୨୦ ତାରିଖ ସକାଳେ ପୁରୀ ଯାଇ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ପ୍ରଧାନମନ୍ତ୍ରୀ ଦର୍ଶନ କରିବେ । ତାପରେ ପୁରୀ ବଡ଼ଦାଣ୍ଡରେ ମୋଦି ରୋଡ୍ ଶୋ’ କରିବେ । 

ଏହାପରେ ଅନୁଗୋଳ ଯାଇ ସେଠାରେ ଆୟୋଜିତ ବିଶାଳ ଜନସଭାରେ ଯୋଗଦେବେ । ତାପରେ କଟକ ଆସି ଜନସମାବେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୯ ତାରିଖରେ ଭୁବନେଶ୍ବର ଆସିବେ । ୨୦ ତାରିଖରେ ପୁରୀରେ ପହଞ୍ଚି ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଦର୍ଶନ ସାରି ବଡ଼ଦାଣ୍ଡରେ ଏକ ବିଶାଳ ରୋଡ୍‌ ଶୋ’ କରିବେ । ରୋଡ୍‌ ଶୋ’ ସିଂହଦ୍ୱାରଠାରୁ ଆରମ୍ଭ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଶେଷ ହେବ । ରୋଡ୍‌ ଶୋ’ରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି । ଏହି ସମୟରେ ସାରା ସହର କଡ଼ା ସୁରକ୍ଷା ଛାଉଣୀରେ ରହିବ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ସହ ପୁରୀ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପାଇଁ ୨ ଦିନ ତଳେ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରରେ ଦର୍ଶନ ସାରି ମୋଦି ପରିକ୍ରମା ପ୍ରକଳ୍ପ ବୁଲିବେ ସେଥିପାଇଁ ସୁରକ୍ଷା ଯୋଗାଇବାକୁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । 

ଗୋଟିପୁଅ ଏବଂ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ମୋଦିଙ୍କୁ ସ୍ୱାଗତ କରାଯିବ । ଏହାସହ ମୋଦିଙ୍କ ସ୍ୱାଗତରେ ପୁରୀର ପାରମ୍ପରିକ କଳା ସଂସ୍କୃତିକୁ ପ୍ରଦର୍ଶନ କରାଯିବ । ବଡ଼ଦାଣ୍ଡକୁ ପିପିଲି ଚାନ୍ଦୁଆ ଓ ରଘୁରାଜପୁରର ପଟ୍ଟଚିତ୍ର ମାଧ୍ୟମରେ ସଜାଇବାକୁ ମଧ୍ୟ ଯୋଜନା ରହିଛି । ପୁରୀ ବିଜେପି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମୋଦି ଘୋଷଣା କରିଥିବା ସୁଭଦ୍ରା ଯୋଜନା ମହିଳାଙ୍କ ସମୃଦ୍ଧିରେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏଣୁ ଏହି ସୁଭଦ୍ରା ଯୋଜନାର ବାର୍ତ୍ତା ପହଞ୍ଚାଇବାକୁ ବଡ଼ଦାଣ୍ଡରେ ମୁଖ୍ୟତଃ ମହିଳାଙ୍କ ସମାଗମ ହେବ । ରାଲିରେ ପୁରୁଷଙ୍କଠାରୁ ଅଧିକ ମହିଳା ଯୋଗ ଦେବେ । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ମୋଦିଙ୍କର ହେବ ଦ୍ୱିତୀୟ ପୁରୀ ଗସ୍ତ । ଏହା ପୂର୍ବରୁ ୨୦୧୬ ଫେବୃୟାରୀ ୭ ତାରିଖରେ ମଧ୍ୟ ମୋଦି ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ବେଳେ ୨୦୧୩ ରଥଯାତ୍ରା ସମୟରେ ମଧ୍ୟ ମୋଦି ପୁରୀ ଆସି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । 

You Can Read :

ରାଉରକେଲା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆୟୋଜିତ ନିର୍ବାଚନୀ ସମାବେଶରେ ଦେବେ ଯୋଗ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.