ନୂଆଦିଲ୍ଲୀ ୧୫/୦୬: ଦିୱାଲୀରେ ସିନେମାଘରକୁ ଆସିବ ସିଂଘମ୍ ଫ୍ରାଞ୍ଚାଇଜିର ୩ୟ ଫିଲ୍ମ ‘ସିଂଘମ୍ ଏଗେନ୍’ । ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀ ଏହା ଘୋଷଣା କରିଛନ୍ତି । ଏହି ଦିନ ଫିଲ୍ମ ‘ଭୁଲ୍ ଭୁଲୈୟା’ ମଧ୍ୟ ରିଲିଜ୍ ହେବ । ତେଣୁ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।
‘ସିଂଘମ୍ ଏଗେନ୍’ରେ ରୋହିତ ଶେଟ୍ଟୀଙ୍କ କପ୍ ୟୁନିଭର୍ସର ୩ ହିରୋ ଅକ୍ଷୟ କୁମାର, ଅଜୟ ଦେବଗନ ଓ ରଣବୀର ସିଂହ ଏକାଠି ନଜର ଆସିବେ । ଏଥିରେ କରୀନା କପୁର ଓ ଦୀପିକା ପାଦୁକୋନ ମଧ୍ୟ ନଜର ଆସିବେ । ଭିଲେନ ଭୂମିକାରେ ନଜର ଆସିବେ ଅର୍ଜୁନ କପୁର ।
ଫିଲ୍ମର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ ଶେୟାର କରି ଫିଲ୍ମ ରିଲିଜ୍ ବିଷୟରେ ସୂଚନା ଦେଇଛନ୍ତି । ପୋଷ୍ଟ୍ ସହିତ ସେ ଲେଖିଛନ୍ତି ‘ସିଂହ ଆତଙ୍କ ଖେଳାଏ, ଆହତ ସିଂହ ଧ୍ୱଂସ କରେ । ଏଇ ଦିୱାଲୀରେ ପୁଣି ଥରେ ସିନେମାଘରେ ଭେଟ ।’ ଫିଲ୍ମର ଅଳ୍ପ କିଛି ଅଂଶର ସୁଟିଂ ବାକି ଅଛି । ଏହା ପୂର୍ବରୁ ଫିଲ୍ମର ରିଲିଜ୍ ତାରିଖ ଥିଲା ଅଗଷ୍ଟ ୧୫ । ‘ପୁଷ୍ପା-୨’ ଅଗଷ୍ଟ ୧୫ରେ ମୁକ୍ତିଲାଭ କରୁଥିବାରୁ ନିର୍ମାତା ‘ସିଂଘମ୍ ଏଗେନ୍’ର ରିଲିଜ୍ ତାରିଖ ଘୁଞ୍ଚାଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷେ, ‘ଭୁଲ୍ ଭୁଲୈୟା-୩’ରେ କାର୍ତ୍ତିକ ଆର୍ୟନ ଓ ତୃପ୍ତି ଡିମରୀ ମୁଖ୍ୟ ଭୂମିକାରେ ଅଛନ୍ତି । ମଞ୍ଜୁଲିକା ଚରିତ୍ରରେ ନଜର ଆସିବେ ବିଦ୍ୟା ବାଲନ । ଏହି ଫ୍ରାଞ୍ଚାଇଜିର ଦୁଇଟିଯାକ ଫିଲ୍ମ ହିଟ୍ ହୋଇଛି । ୩ୟ ସଂସ୍କରଣକୁ ନେଇ ନିର୍ମାତା ଖୁବ୍ ଆଶାବାଦୀ ଅଛନ୍ତି । ଦର୍ଶକ ମଧ୍ୟ ଏହାକୁ ନେଇ ଉତ୍ସାହିତ ଅଛନ୍ତି ।