ବାରାଣସୀ: ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୫୯୪ କିମି ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍‌ ୱେର ଉଦଘାଟନ କରିଛନ୍ତି। ପ୍ରାୟ ୩୬୨୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ, ଗଙ୍ଗା ଏକ୍ସପ୍ରେସୱେ ହେଉଛି ଉତ୍ତର ପ୍ରଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସୱେ ଏବଂ ଭାରତର ସବୁଠାରୁ ବଡ଼ ଗ୍ରିନ୍‌ଫିଲ୍ଡ ରାସ୍ତା ପ୍ରକଳ୍ପ ମଧ୍ୟରୁ ଗୋଟିଏ।

ଏହି ଛଅ ଲେନ ବିଶିଷ୍ଟ ରାସ୍ତା ୮ ଲେନ୍‌କୁ ସମ୍ପ୍ରସାରିତ ହୋଇପାରୁଥିବାବେଳେ ମିରଟରୁ ପ୍ରୟାଗରାଜ ମଧ୍ୟରେ ୧୨ ଟି ଜିଲ୍ଲା ସହିତ ସଂଯୋଗ କରିଥାଏ। ଏହା କେବଳ ଏକ ରାସ୍ତା ଭାବରେ ନୁହେଁ, ବରଂ ଏକ ଶିଳ୍ପ, ଲଜିଷ୍ଟିକ୍ସ ଏବଂ ବିକାଶ କରିଡର ଭାବରେ କାର୍ଯ୍ୟ କରିବ। ତେବେ ଏହି ଅବସରରେ ୟୁପି ବାସୀଙ୍କୁ ସମ୍ୱୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଥିଲେ ୟୁପିର ବିକାଶର ନୂତନ ଜୀବନରେଖା ହେଉଛି ଗଙ୍ଗା ଏକ୍ସପ୍ରେସୱେ । ସେହିଭଳି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି କହିଥିଲେ ଯେ ୨୦୨୧ର ସ୍ୱପ୍ନ ପୂରଣ ହୋଇଛି । 

 

ଏହାପୂର୍ବରୁ ମୋଦୀ ବାରାଣସୀରେ ରୋଡଶୋ’ କରିଥିଲେ ପ୍ରଧାନମନ୍ତ୍ରୀ । ମୋଦୀ ୧୪ କିଲୋମିଟର ପର୍ଯ୍ୟନ୍ତ ରୋଡସୋ’ କରି କାଶୀ ବିଶ୍ବନାଥ ମନ୍ଦିରରେ ପହଞ୍ଚି ଥିଲେ। ବିଜେପି କର୍ମୀଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଲୋକମାନେ ବିଭିନ୍ନ ସ୍ଥାନରେ ଫୁଲ ପକାଇ ସ୍ବାଗତ କରିଥିଲେ। ଗତ ୧୧ ବର୍ଷରେ ପ୍ରଧାନମନ୍ତ୍ରୀ କାଶୀକୁ ୫୪ ଥର ଗସ୍ତ କରିଛନ୍ତି। ତେବେ ୨୦୨୬ରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାଶୀ ଗସ୍ତ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନଭେମ୍ବର ୨୦୨୫ରେ କାଶୀ ଗସ୍ତ କରିଥିଲେ।