LIVE TV

ଦୀପାବଳିରେ ଚମକିଲା ଡାକ ବିଭାଗ କର୍ମଚାରୀଙ୍କ ଭାଗ୍ୟ, ମିଳିଲା ୨ ମାସର ବେତନ ସହ ସମାନ ବୋନସ୍

NEWS7
Department of post

ନୂଆଦିଲ୍ଲୀ ୧୮।୧୦: ପାର୍ବଣରେ ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର ଉପରେ ଖୁସି ଖବର ଆସିବାରେ ଲାଗିଛି। ନିକଟରେ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଡାକ ବିଭାଗ ମଧ୍ୟ ନିଜ କର୍ମଚାରୀଙ୍କ ଲାଗି ଦୀପାବଳି ପୂର୍ବରୁ ବୋନସ ଘୋଷଣା କରିଛି। ଡାକ ବିଭାଗଙ୍କ ଏହି ଘୋଷଣା ଦେଶରେ କାମ କରୁଥିବା ଲକ୍ଷଲକ୍ଷ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ଡାକ ବିଭାଗ କର୍ମଚାରୀଙ୍କୁ ଉତ୍ପାଦକତା ଆଧାରିତ (ପ୍ରଡକ୍ଟିଭିଟି ଲିଙ୍କଡ) ବୋନସ କୁ ମଞ୍ଜୁରୀ ଦେଇଛି। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହି ବୋନସ ଘୋଷଣା କରାଯାଇଛି।

ଘୋଷଣା ଅନୁସାରେ ଡାକ ବିଭାଗ କର୍ମଚାରୀଙ୍କୁ ୬୦ ଦିନର ବେତନ ସହ ସମାନ ବୋନସ ମିଳିବ, ଅର୍ଥାତ ପାଖାପାଖି ଦୁଇ ମାସର ଦରମା କର୍ମଚାରୀମାନେ ବୋନସରେ ପାଇବେ। ଏହି ବୋନସ ଗ୍ରୁପ-ସି, ମଲ୍ଟି ଟାସ୍କିଂ ଷ୍ଟାଫ, ଅଣଗେଜେଟେଡ ଗ୍ରୁପ-ବି କର୍ମଚାରୀ, ଗ୍ରାମୀଣ ଡାକସେବକ ଓ  ପୂର୍ଣ୍ଣକାଳୀନ ଆକଶ୍ମିକ ଶ୍ରମିକଙ୍କୁ ମିଳିବ। ଡାକବିଭାଗ କର୍ମଚାରୀଙ୍କ ଲାଗି ଏହି ଦୀପାବଳି ବାସ୍ତବରେ ‘ଡବଲ ସେଲିବ୍ରେସନ’ ହେବାକୁ ଯାଉଛି। ଏଣୁ ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଡାକ ବିଭାଗ କର୍ମଚାରୀଙ୍କ ପରିବାରରେ ଏବେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।

ଇକୋନମିକ୍ ଟାଇମ୍ସ ରିପୋର୍ଟ ଅନୁସାରେ କର୍ମଚାରୀଙ୍କ ବୋନ ରାଶି ଗଣନା ତାଙ୍କ ହାରାହାରି ବେତନ ଆଧାରରେ କରାଯିବ। ନିୟମିତ କର୍ମଚାରୀଙ୍କ ଲାଗି ଏହି କାଲକୁଲେସନ (ହାରାହାରି ବେତନx୬୦ ଦିନ/୩୦.୪) । ଏହି କାଲକୁଲେସନରେ ବେସିକ୍ ପେ,ମହଙ୍ଗା ଭତ୍ତା (ଡିଏ), ବିଶେଷ ଭତ୍ତା, ଡ୍ୟୁଟି ଭତ୍ତା ଓ ଟ୍ରେନିଂ ଭତ୍ତାକୁ ମଧ୍ୟ ସାମିଲ କରାଯିବ। ବୋନସ ପାଇଁ ମାସିକ ବସର୍ବାଧିକ ବେତନ ସୀମା ମାସିକ ୭,୦୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି।

ସେହିପରି ଗ୍ରାମୀଣ ଡାକ ସେବକଙ୍କ ନିମନ୍ତେ ଏହି ବୋନସ କାଲକୁଲେସନ ସେମାନଙ୍କ ଟାଇମ ରିଲେଟେଡ କଣ୍ଟିନ୍ୟୁଟି ଆଲାଉନ୍ସ (ଟିଆରସିଏ) ଓ ମହଙ୍ଗା ଭତ୍ତା ଆଧାରରେ ନିର୍ଦ୍ଧାରଣ ହେବ। ଏହା ପୂର୍ବରୁ କେନ୍ଦ୍ର ସରକାର ସରକାରୀ କର୍ମଚାରୀ ଓ ପେନସନରଙ୍କ ନିମନ୍ତେ ୩ଟି ବଡ଼ ଘୋଷଣା କରିଥିଲେ। ଏଥିରେ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ଓ କେନ୍ଦ୍ରୀୟ ସରକାରୀ ସ୍ୱାସ୍ଥ୍ୟ ଯୋଜନା (ସିଜିଏଚଏସ) ଘୋଷଣା କରିଥିବା ବେଳେ ଏବେ ଡାକ କର୍ମଚାରୀଙ୍କ ନିମନ୍ତେ ବୋନସ ଘୋଷଣା କରିଛନ୍ତି।