ନୂଆପଡ଼ା ୯୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ରବିବାର ଶେଷ ହେଉଛି ପ୍ରଚାର । ଜୋରଦାର କ୍ୟାମ୍ପେନ୍‌ ଓ ଭୋଟରଙ୍କୁ ହାତେଇବା ପାଇଁ ପ୍ରାର୍ଥୀଙ୍କ ହାତରେ ରହିଛି ଶେଷ ସୁଯୋଗ । ଆଉ ରବିବାର ସଂଧ୍ୟା ସୁଦ୍ଧା ପ୍ରଚାର ଶେଷ କରି ବାହାରୁ ଆସିଥିବା ବିଭିନ୍ନ ଦଳର ନେତା ଓ କର୍ମୀମାନେ ନୂଆପଡ଼ା ଛାଡ଼ି ଚାଲିଯିବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପରାମର୍ଶ ଦିଆଯାଇଛି ।

ତେବେ ନୂଆପଡ଼ା ଉପନିର୍ବାଚନ ପାଇଁ ଡିସ୍ପୋଜାଲ ସେଣ୍ଟରରେ ପହଞ୍ଚିଲା ଇଭିଏମ୍ ମେସିନ୍ । ସୋମବାର ଠାରୁ ଏଠାରୁ ପୋଲିଂ ସେଣ୍ଟରକୁ ପୋଲିଂ ଅଧିକାରୀ ଯିବେ ବୋଲି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ ପୋଲିଂ ଅଧିକାରୀ ସୋମବାର ପ୍ରଥମାର୍ଦ୍ଧରେ ବୁଥ୍‌ରେ ପହଞ୍ଚିବେ । ଏଠାରେ ଗାଡ଼ିର ବ୍ୟବସ୍ଥା ପାଇଁ ମାଇକ୍ରୋ ପ୍ଲାନ୍ କରାଯାଇଛି । ସୁନାବେଡ଼ାର ଅପହଞ୍ଚ ୮ଟି ବୁଥ୍‌ ପାଇଁ ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ବୁଥ୍ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ନୂଆପଡ଼ା ଜିଲ୍ଲାପାଳ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉପନିର୍ବାଚନ ପାଇଁ ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ମୈଦାନରେ ଓହ୍ଲାଇଛି ।