ନୂଆପଡ଼ା ୯୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ରବିବାର ଶେଷ ହେଉଛି ପ୍ରଚାର । ପ୍ରଚାର କରି ଭୋଟରଙ୍କୁ ହାତେଇବା ପାଇଁ ପ୍ରାର୍ଥୀଙ୍କ ପାଖରେ ରହିଛି ଶେଷ ସୁଯୋଗ । ସଂଧ୍ୟା ସୁଦ୍ଧା ପ୍ରଚାର ଶେଷ କରି ବାହାର ଜିଲ୍ଲାରୁ ଆସିଥିବା ନେତା ଓ କର୍ମୀମାନେ ନୂଆପଡ଼ା ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପରାମର୍ଶ ଦିଆଯାଇଛି । ​​​​​​​ସେପଟେ ଭୋଟ୍ ଦାନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସୋମବାର ବୁଥ୍ ମୁହାଁ ହେବେ ପୋଲିଂ ପାର୍ଟି । ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ ଟାଇଟ୍ କରିଥିବା ବେଳେ ଜୋରଦାର ଚେକିଂ କରୁଛି ।

ନୂଆପଡ଼ା ଉପନିର୍ବାଚନ ପାଇଁ ଡିସ୍ପୋଜାଲ ସେଣ୍ଟରରେ ପହଞ୍ଚିଲା ଇଭିଏମ୍ ମେସିନ୍ । ସୋମବାର ଏଠାରୁ ପୋଲିଂ ସେଣ୍ଟରକୁ ପୋଲିଂ ପାର୍ଟି ଯିବେ ବୋଲି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ସୂଚନା ଦେଇଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ ପୋଲିଂ ଅଧିକାରୀ ସୋମବାର ପ୍ରଥମାର୍ଦ୍ଧରେ ବୁଥ୍‌ରେ ପହଞ୍ଚିବେ । ଡିସ୍ପୋଜାଲ ସେଣ୍ଟରରେ ଗାଡ଼ିର ବ୍ୟବସ୍ଥା ପାଇଁ ମାଇକ୍ରୋ ପ୍ଲାନ୍ କରାଯାଇଛି । ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ୩୫୮ ଟି ମତଦାନ କେନ୍ଦ୍ର କରାଯାଇଛି । ସୁନାବେଡ଼ାର ଅପହଞ୍ଚ ୮ଟି ବୁଥ୍‌ ପାଇଁ ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ବୁଥ୍ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ନୂଆପଡ଼ା ଜିଲ୍ଲାପାଳ କହିଛନ୍ତି । ସେହିପରି ୬ଟି ପିଙ୍କ୍ ବୁଥ୍ କରାଯାଇଛି । ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ମାନଙ୍କ ସୁବିଧା ନିମନ୍ତେ ଆଗୁଆ ବ୍ୟବସ୍ଥା କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ସର୍ବମୋଟ୍ ଭୋଟର ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୨୪ ରହିଛି । ଏଥିରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮,  ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୫ ଏବଂ ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ୨୧ ଜଣ ରହିଛନ୍ତି । ଭୋଟର ମାନଙ୍କ ମଧ୍ୟରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ସଂଖ୍ୟା ୧୭୮୬,  ନୂଆ ଭୋଟର ୯୪୨୯ ଏବଂ ଦିବ୍ୟାଙ୍ଗ ଭୋଟର ୩୯୮୮ ଜଣ ଅଛନ୍ତି l

ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉପନିର୍ବାଚନ ପାଇଁ ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ମୈଦାନରେ ଓହ୍ଲାଇଛି ।